Odisha Link
Bridging the Missing Links in Odisha

ଉତ୍କଳ ବିଶ୍ୱବିଦ୍ୟାଳୟରେ ‘ଜାତୀୟ ପ୍ରେସ୍ ଦିବସ’ ପାଳିତ

ଭୁବନେଶ୍ବର: ଆଜିର ସମୟରେ ଗଣମାଧ୍ୟମର ଭୂମିକା ବେଶ୍‌ ଗୁରୁତ୍ବପୂର୍ଣ୍ଣ। ଗଣମାଧ୍ୟମ ହେଉଛି ଦେଶର ଚତୁର୍ଥ ସ୍ତମ୍ଭ। ସମାଜରେ ପରିବର୍ତ୍ତନ ଆଣିବାରେ ବେଶ ଗୁରୁତ୍ବପୂର୍ଣ୍ଣ ଭୂମିକା ବହନ କରୁୁଥିବା ଗଣମାଧ୍ୟମ ପାଇଁ ଦିନଟିଏ। କାରଣ ଆଜି ହେଉଛି ଜାତୀୟ ପ୍ରେସ୍‌ ଦିବସ। ସାରା ଦେଶ ତଥା ସମଗ୍ର ରାଜ୍ୟରେ ଆଜି ଜାତୀୟ ପ୍ରେସ୍‌ ଦିବସ ପାଳିତ ହୋଇଛି। ସେହିଭଳି ଉତ୍କଳ ବିଶ୍ବବିଦ୍ୟାଳୟର ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗ ପକ୍ଷରୁ ମଧ୍ୟ ଜାତୀୟ ପ୍ରେସ୍‌ ଦିବସ ପାଳିତ ହୋଇଛି। ଏହି ଅବସରରେ ‘ଗଣମାଧ୍ୟମ ଓ ସାମାଜିକ ଦାୟିତ୍ୱ ବୋଧତା’ ଉପରେ ଏକ ଆଲୋଚନା ଚକ୍ର ମଧ୍ୟ ଅନୁଷ୍ଠିତ ହୋଇଥିଲା।

କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଫେସର ତ୍ରିଲୋକନାଥ ପାଣ୍ଡେ ଏହି ଆଲୋଚନା ଚକ୍ରରେ ଯୋଗ ଦେଇ ଗଣମାଧ୍ୟମ ଭୂମିକା ବିଷୟରେ ଆଲୋକପାତ କରିଥିଲେ। ସେ କହିଛନ୍ତି ଯେ,
“ସମାଜରେ ପରିବର୍ତ୍ତନ ଆଣିବାରେ ଗଣମାଧ୍ୟମର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ। ଗଣମାଧ୍ୟମ ଦିନକୁ ଦିନ ନିଜ ଭିତରେ ଅନେକ ପରିବର୍ତ୍ତନ ଆଣିବା ସହ ସମାଜରେ ପରିବର୍ତ୍ତନ ଆଣିବାରେ ବିଶେଷ ଭୂମିକା ଗ୍ରହଣ କରିଛି”।

ଏହି ଆଲୋଚନାରେ ଯୋଗଦେଇ ବରିଷ୍ଠ ସାମ୍ବାଦିକ ଦୁର୍ଗାମାଧବ ମିଶ୍ର କହିଥିଲେ, “ଅତୀତରୁ ଆରମ୍ଭ କରି ବର୍ତ୍ତମାନର ସମୟ ପର୍ଯ୍ୟନ୍ତ ଗଣମାଧ୍ୟମ ପ୍ରତିଟି ମୂହୁର୍ତ୍ତରେ ସମାଜ ପ୍ରତି ତା’ର ଦାୟିତ୍ୱବୋଧ ପାଳନ କରିଆସିଛି। ବିଭିନ୍ନ ପ୍ରକାର ଅପ୍ରୀତିକର ପରିସ୍ଥିତିରେ ମଧ୍ୟ ଗଣମାଧ୍ୟମ ନିଜର ସାମାଜିକ ଦାୟିତ୍ୱବୋଧତାକୁ କେବେ ବି ପଛରେ ପକାଇନାହିଁ।”

ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି ଯେ, ସମାଜରେ ଗଣମାଧ୍ୟମ ପ୍ରତିନିଧିମାନଙ୍କର ଏକ ସ୍ୱତନ୍ତ ପରିଚୟ ରହିଛି। ତାଙ୍କର ପ୍ରତ୍ୟେକଟି ପ୍ରଶ୍ନ ସମାଜର ଭବିଷ୍ୟତ ନିର୍ଦ୍ଧାରଣ କରିଥାଏ। ତେଣୁ ସେମାନେ ଶାସକମାନଙ୍କର ଗୁଲାମଗିରି ନକରି ସାଧାରଣ ଲୋକଙ୍କ ପାଇଁ କାମ କଲେ ସମାଜ ଆଗକୁ ବଢ଼ିପାରିବ।

ଉକ୍ତକାର୍ଯ୍ୟକ୍ରମରେ ଆଇଆଇଟି ଖଡ଼ଗପୁରର ପ୍ରଫେସର ବିନୟ କୁମାର ପଟ୍ଟନାୟକ, ପିଜି କାଉନସିଲ୍ ଅଧ୍ୟକ୍ଷ ପ୍ରଫେସର ସବିତା ଆଚାର୍ଯ୍ୟ, ବିଭାଗୀୟ ମୁଖ୍ୟ ସ୍ୱର୍ଣ୍ଣମୟୀ ତ୍ରିପାଠୀ ଓ ବିଭାଗର ପ୍ରଥମ ବର୍ଷ ଓ ଦ୍ବିତୀୟ ବର୍ଷର ଛାତ୍ରଛାତ୍ରୀ ପ୍ରମୁଖ ଯୋଗଦେଇଥିଲେ।

Comments are closed.