Odisha Link
Bridging the Missing Links in Odisha

ମୋଦି-ପାୱାର ଭେଟଘାଟ

ନୂଆଦିଲ୍ଲୀ: ମହାରାଷ୍ଟ୍ର ରାଜନୀତିରେ ଆଜି ଆସିଛି ନୂଆ ଟ୍ବିଷ୍ଟ। ଦିନକ ପୂର୍ବେ ଏନସିପିକୁ ରାଜ୍ୟସଭାରେ ପ୍ରଶଂସା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଅନ୍ୟପଟେ ଆଜି ଏନ୍‌ସିପି ମୁଖ୍ୟ ଶରଦ ପାୱାର ସଂସଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ରୁଦ୍ଧଦ୍ୱାର ବୈଠକ କରିଛନ୍ତି। ଅବଶ୍ୟ ବୈଠକ ରାଜନୀତିକ ନଥିବା ବେଳେ ଶରଦ ପାୱାର ପ୍ରଧାନମନ୍ତ୍ରୀଙ୍କ ସହ ମହାରାଷ୍ଟ୍ରର ଚାଷୀଙ୍କ ସମସ୍ୟା ଉପରେ ଆଲୋଚନା କରିଥିବା କୁହାଯାଉଛି। ହେଲେ ଏହି ବୈଠକ ମହାରାଷ୍ଟ୍ର ରାଜନୀତିରେ ନୂଆ ଟ୍ବିଷ୍ଟ ଭରିଦେଇଛି।

୪୫ ମିନିଟ୍‌ ଧରି ଚାଲିଥିବା ଏହି ବୈଠକରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଓ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟ ଉପସ୍ଥିତ ରହିଥିଲେ। ବୈଠକ ବେଳେ ଶରଦ ପାୱାର ମହାରାଷ୍ଟ୍ର ଚାଷୀମାନେ ଭୋଗୁଥିବା ସମସ୍ୟା ସମ୍ପର୍କିତ ଏକ ତାଲିକା ମୋଦିଙ୍କୁ ଦେଇଥିଲେ। ଏଥିସହ ପାୱାର ତୁରନ୍ତ କେନ୍ଦ୍ର ସରକାର ମହାରାଷ୍ଟ୍ରର ଚାଷୀଙ୍କ ପାଇଁ ପ୍ୟାକେଜ ଘୋଷଣା କରିବା ସହ କୃଷ ଋଣ ଛାଡ଼ କରିବାକୁ ମଧ୍ୟ ଦାବି କରିଛନ୍ତି।

ଅନ୍ୟପକ୍ଷରେ ମୋଦି ଓ ପାୱାରଙ୍କ ଭେଟଘାଟକୁ ନେଇ ନୂଆ ରାଜନୀତିକ ସମୀକରଣ ମଧ୍ୟ ସୃଷ୍ଟି ହୋଇଥିବା ଚର୍ଚ୍ଚା ହେଉଛି। ମହାରାଷ୍ଟ୍ରରେ ବିଜେପିକୁ ବାଦ ଦେଇ ପୂର୍ବତନ ସହଯୋଗୀ ଶିବସେନା ଦୁଇ ବିରୋଧୀ ଏନ୍‌ସିପି ଓ କଂଗ୍ରେସ ସହ ମିଶି ସରକାର ଗଠନ କରିବାକୁ ପ୍ରୟାସ କରୁଛି। ହେଲେ ବିଜେପି ଏବେ ଶିବସେନାକୁ ଚେକ ଦେଇ କ୍ଷମତା ରେସ୍‌ରୁ ବାଦ୍‌ ଦେବା ପାଇଁ ଗୋଟି ଚଳନା ଆରମ୍ଭ କରିଦେଇଛି।

Comments are closed.