Odisha Link
Bridging the Missing Links in Odisha

ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା

ନୂଆଦିଲ୍ଲୀ : ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା -୨୦୧୯ ଅବସରରେ ଅପରାହ୍ନରେ ନୂଆଦିଲ୍ଲୀର ପ୍ରଗତି ମୈଦାନ ସ୍ଥିତ ନ୍ୟୁ ହଂସଧ୍ୱନୀ ପ୍ରେକ୍ଷାଳୟ ଠାରେ ଓଡିଶା ଦିବସ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହାକୁ ଓଡିଶାର ସୂଚନା ଓ ଲୋକ ସଂପର୍କ ଏବଂ ଜଳ ସଂପଦ ମନ୍ତ୍ରୀ ରଘୁନନ୍ଦନ ଦାସ ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ।

ଏହି ଅବସରରେ ରାଜ୍ୟ ସରକାରଙ୍କ ମୁଖପତ୍ର ଉତ୍କଳ ପ୍ରସଙ୍ଗ ଏବଂ ଓଡିଶା ରିଭ୍ୟୁର ସ୍ୱତବ ସଂଖ୍ୟା ବିଭାଗୀୟ ମନ୍ତ୍ରୀ ଦାସଙ୍କ କର କମଳରେ ଉନ୍ମୋଚିତ ହୋଇଥିଲା । ହଂସଧ୍ୱନୀ ଥିଏଟରରେ ଓଡିଶା ଦିବସ ଅବସରରେ ଓଡିଶାର ଲୋକ କଳା ଓ ଲୋକ ସଂସ୍କୃତି ଉପରେ ଆଧାରିତ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହାକୁ ଦର୍ଶକମାନେ ମନଭରି ଉପଭୋଗ କରିଥିଲେ ।

ଭୁବନେଶ୍ୱରର ଦେବଦିପ୍ତୀ ବିଶ୍ୱାଳ ଏବଂ ସାଥୀ ତଥା ନୂଆଦିଲ୍ଲୀର ଅନିନ୍ଦ୍ୟ ଅନୁଷ୍ଠାନର କଳାକାରମାନଙ୍କ ଦ୍ୱାରା ପରିବେଷିତ ଓଡିଶୀ ନୃତ୍ୟରେ ଦର୍ଶକମାନେ ବିଭୋର ହୋଇଥିବା ବେଳେ କଳାହାଣ୍ଡି ଭବାନୀପାଟଣାର ପ୍ରତିଭା ଅନୁଷ୍ଠାନର କଳାକାରମାନଙ୍କ ଦ୍ୱାରା ଆଦିବାସୀ ଲୋକନୃତ୍ୟ-ବଜାସାଲ ମଧ୍ୟ ଦର୍ଶକମାନଙ୍କୁ ଉନ୍ମାଦିତ କରିଥିଲା ।

ସେହିପରି ସମ୍ବଲପୁର କଳା ଓ କଳାକାର ଅନୁଷ୍ଠାନ ଦ୍ୱାରା ପରିବେଷିତ ସମ୍ବଲପୁରୀ ଲୋକନୃତ୍ୟ ମଧ୍ୟ ବେଶ୍ ଆକର୍ଷଣୀୟ ହୋଇଥିଲା । ଆହୁରି ମଧ୍ୟ ଭୁବନେଶ୍ୱରର ସୁସ୍ମିତା ଦାସ ଓ ସାଥୀଙ୍କ ଦ୍ୱାରା ଗାନ୍ଧିଜୀଙ୍କ ଲୋକପ୍ରିୟ ଭଜନ “ବୈଷ୍ଣବ ଜନତୋ” କୁ ନେଇ ମ୍ୟୁଜିକାର କମ୍ପୋଜିଜନ ଓ ସ୍ୱଚ୍ଛ ଭାରତକୁ ନେଇ ନୃତ୍ୟ ଓ ସଂଗୀତ କାର୍ଯ୍ୟକ୍ରମ ମନଛୁଆଁ ହୋଇଥିଲା ।

ପ୍ରାରମ୍ଭରେ ସ୍ଥାନୀୟ ଆଇ.ଟି.ପି.ଓ କାର୍ଯ୍ୟଳୟଠାରୁ ଗଂଜାମ ଲୋକନୃତ୍ୟ କେନ୍ଦ୍ରର କଳାକାରମାନଙ୍କ ଦ୍ୱାରା ରଣପା ଏବଂ ବାଘ ନୃତ୍ୟର ତାଳେ ତାଳେ ବିଭାଗୀୟ ମନ୍ତ୍ରୀ, ଦିଲ୍ଲୀସ୍ଥିତ ଆବାସିକ କମିଶନର ସଂଜୀବ କୁମାର ମିଶ୍ର, ବିଭାଗୀୟ ନିର୍ଦ୍ଦେଶକ କୃପାସିନ୍ଧୁ ମିଶ୍ର, ଅତିରିକ୍ତ ନିର୍ଦ୍ଦେଶକ ନିରଂଜନ ସେଠୀ, ଉତ୍କଳ ପ୍ରସଙ୍ଗ ଏବଂ ଓଡିଶା ରିଭ୍ୟୁର ସଂପାଦକ ଡଃ ଲେନିନ୍ ମହାନ୍ତି ପ୍ରମୁଖଙ୍କୁ ଶୋଭାଯାତ୍ରାରେ ମଂଚ ନିକଟକୁ ପାଛୋଟି ଆଣିବା ଦୃଶ୍ୟରେ ହଜାର ହଜାର ଦର୍ଶକ ଅଭିଭୂତ ହୋଇଥିଲେ ।

ଓଡିଶା ଦିବସ ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଢେଙ୍କାନାଳ ସାଂସଦ ମହେଶ ସାହୁ, ଜଗତସିଂହପୁର ସାଂସଦ ଡଃ. ରାଜଶ୍ରୀ ମଲ୍ଲିକ, ଭଦ୍ରକ ସାଂସଦ ମଂଜୁଲତା ମଣ୍ଡଳଙ୍କ ସମେତ ନୂଆ ଦିଲ୍ଲୀରେ ଅବସ୍ଥାପିତ ବହୁ ଓଡିଆ ଉଚ୍ଚ ପଦାଧିକାରୀ, ଦିଲ୍ଲୀବାସୀ ଓଡିଆ ଏବଂ ଜନସାଧାରଣ ବହୁ ସଂଖ୍ୟାରେ ଯୋଗଦେଇଥିଲେ । ଡଃ. ମୃତ୍ୟୁଞ୍ଜୟ ରଥଙ୍କ ବଳିଷ୍ଠ ଉପସ୍ଥାପନା ମଧ୍ୟ ଉପସ୍ଥିତ ଦର୍ଶକମାନଙ୍କ ମନକୁ ଛୁଇଁଥିଲା । ଏହି ଅବସରରେ ମନ୍ତ୍ରୀ ଦାସ ଅତିଥିମାନଙ୍କ ସହିତ ଓଡିଶା ପାଭିଲିୟନ ପରିଦର୍ଶନ କରିଥିଲେ ।

ବିଭାଗୀୟ ଯୁଗ୍ମ ନିର୍ଦ୍ଦେଶକ ବିପିନି ବିହାରୀ ବାରିକୀ, ଉପ ନିର୍ଦ୍ଦେଶକ ରବୀନ୍ଦ୍ର କୁମାର ନାୟକ, ବରିଷ୍ଠ ସୂଚନା ଅଧିକାରୀ ସୂର୍ଯ୍ୟ ରଂଜନ ମହାନ୍ତି, ପ୍ରଦର୍ଶନୀ ସଂଗଠକ ରବୀନ୍ଦ୍ର କୁମାର ବେହେରା ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Comments are closed.