Odisha Link
Bridging the Missing Links in Odisha

୬’ଶ ନୁହେଁ, ହଜାରେ

ଭୁବନେଶ୍ବର: ଦୁଷ୍କର୍ମ ମାମଲା ରାଜ୍ୟରେ ଦିନକୁ ଦିନ ବଢ଼ି ଚାଲିଛି। ଚଳିତ ବର୍ଷ ୬ ମାସରେ ୬୦୪ ଜଣ ନାବାଳିକା ଧର୍ଷଣର ଶିକାର ହୋଇଛନ୍ତି। ଦୁଷ୍କର୍ମ ପ୍ରସଙ୍ଗରେ ଆଜି ବିଧାନସଭାରେ ଏହି ଉତ୍ତର ରଖିଥିଲେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର। ଅନ୍ୟପଟେ କଂଗ୍ରେସ ନେତା ନରସିଂହ ମିଶ୍ର ଗୃହମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଉତ୍ତରକୁ ଭୁଲ କହିଛନ୍ତି।

ନରସିଂହ ମିଶ୍ର କହିଛନ୍ତି ଯେ, ୬ମାସରେ ୬୦୦ ନୁହେଁ ହଜାରେ ନାବାଳିକାଙ୍କୁ ଦୁଷ୍କର୍ମ ହୋଇଛି। ଏନେଇ ରାଜ୍ୟ ସରକାର ସୁପ୍ରିମକୋର୍ଟରେ ସ୍ବୀକାର କରିଛନ୍ତି। ୨୦୧୯ ପ୍ରଥମ ୬ମାସରେ ୧୦୦୫ ନାବାଳିକାଙ୍କୁ ଦୁଷ୍କର୍ମ ହୋଇଥିବା ରାଜ୍ୟ ସରକାର ଦର୍ଶାଇଛନ୍ତି। ଏଥିସହିତ ଲୋକସଂଖ୍ୟା ତୁଳନାରେ ଓଡ଼ିଶାର ସ୍ଥାନ ଦେଶରେ ପ୍ରଥମ ବୋଲି କହିଛନ୍ତି ନରସିଂହ ମିଶ୍ର।

ସୂଚନାଯୋଗ୍ୟ, ଆଜି ଗୃହ ରାଷ୍ଟ୍ରମନ୍ତ୍ରୀ ଉତ୍ତରରେ କହିଛନ୍ତି, ୨୦୧୮ରେ ରାଜ୍ୟରେ ପ୍ରତିଦିନ ୪ ଜଣ ନାବାଳିକା ଧର୍ଷଣର ଶିକାର ହୋଇଥିଲେ। କିନ୍ତୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ୨୦୧୯ରେ ପ୍ରତିଦିନ ୭ ଜଣ ଧର୍ଷଣର ଶିକାର ହୋଇଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରୁ ଚଳିତବର୍ଷ ମୋଟ୍ ୨୫୦୨ଟି ଧର୍ଷଣ ମାମଲା ରୁଜୁ ହୋଇଛି। ୨୦୧୮ରେ ୧୦୭୩ ଧର୍ଷଣ ମାମଲାର ବିଚାର ସରିଛି। ୧୯୭ ଜଣ ଦୋଷୀ ଏବଂ ୮୭୬ ଜଣ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି। ଦୋଷୀ ସାବ୍ୟସ୍ତ ହାର ୧୮.୩୫ ପ୍ରତିଶତ ରହିଛି। ଝାରସୁଗୁଡା ଓ ସୋନପୁରରେ କେହି ଦୋଷୀ ସାବ୍ୟସ୍ତ ହୋଇନାହାନ୍ତି।

Comments are closed.