Odisha Link
Bridging the Missing Links in Odisha

ଓପିଜିସି ଶ୍ରମିକ ସଂଘ ସହିତ ଆଲୋଚନା କଲେ ଶକ୍ତି ମନ୍ତ୍ରୀ

ଭୁବନେଶ୍ୱର : ଓପିଜିସି ଶ୍ରମିକ ସଂଘର କର୍ମ କର୍ତ୍ତାମାନଙ୍କ ସହିତ ଏକ ଆଲୋଚନା ଶକ୍ତି, ଶିଳ୍ପ, ଏମ୍‌ଏସ୍‌ଏମ୍‌ଇ, ଗୃହ ମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ରଙ୍କ ବିଧାନସଭା କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ସଂଘର ଉପଦେଷ୍ଟା ତଥା ବ୍ରଜରାଜନଗର ବିଧାୟକ କିଶୋର ଚନ୍ଦ୍ର ମହାନ୍ତି ବୈଠକରେ ଉପସ୍ଥିତ ରହି ଶ୍ରମିକମାନଙ୍କର ବିଭିନ୍ନ ଦାବି ଉପସ୍ଥାପନା କରିବା ସହିତ ତୁରନ୍ତ ପଦକ୍ଷେପ ନେଇ ସେଗୁଡ଼ିକୁ ସମାଧାନ କରିବା ପାଇଁ ମନ୍ତ୍ରୀ କ୍ୟାପ୍‌ଟେନ୍‌ ମିଶ୍ରଙ୍କୁ ଅନୁରୋଧ କରିଥିଲେ ।

ମୁଖ୍ୟ ଦାବି ମଧ୍ୟରେ ଶ୍ରମିକମାନଙ୍କ ପାଇଁ ୨ଟି ଅଗ୍ରୀମ ଇନ୍‌କ୍ରିମେଣ୍ଟ, ପଦୋନ୍ନତିର ତାରତମ୍ୟ ଦୂରୀକରଣ, ବକେୟା ଘରଭଡ଼ା ଆଦି ବିଷୟରେ ଆଲୋଚନା କରାଯାଇଥିଲା । ଓପିଜିସି ମ୍ୟାନେଜ୍‌ମେଣ୍ଟ ତରଫରୁ ଅର୍ଥ ନିର୍ଦ୍ଦେଶକ ପ୍ରଭାକର ମହାନ୍ତି ଯୋଗଦେଇ କମ୍ପାନୀର ବର୍ତ୍ତମାନ ପରିସ୍ଥିତି, ଆର୍ଥିକ ସମସ୍ୟା ତଥା ଶ୍ରମିକମାନଙ୍କ ଦାବିଗୁଡ଼ିକ ଉପରେ ମନ୍ତ୍ରୀ କ୍ୟାପ୍‌ଟେନ୍‌ ମିଶ୍ରଙ୍କୁ ଅବଗତ କରାଇଥିଲେ । ଏହି ଆଲୋଚନାରେ ମାନ୍ୟବର ମନ୍ତ୍ରୀ ଶ୍ରମିକମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ବିହିତ ପଦକ୍ଷେପ ନେବା ପାଇଁ କହିଥିଲେ ।

ବୈଠକରେ ଓପିଜିସିର ଏକ ସମୀକ୍ଷା ବୈଠକ ଖୁବ୍‌ଶୀଘ୍ର କରାଯିବା ସହିତ ଏଥିରେ ବର୍ତ୍ତମାନ ସମସ୍ୟା ସହିତ ଏହା କି ପରି ଭବିଷ୍ୟତରେ ଏକ ଅଧିକ ଲାଭଜନକ ସଂସ୍ଥା ହୋଇ ପାରିବ ସେହି ପ୍ରସଙ୍ଗ
ଉପରେ ଆଲୋଚନା କରାଯିବାକୁ ମନ୍ତ୍ରୀ କ୍ୟାପ୍‌ଟେନ୍‌ ମିଶ୍ର ଅର୍ଥ ନିର୍ଦ୍ଦେଶକଙ୍କୁ କହିଥିଲେ । ଏହି ଆଲୋଚନାରେ ଶ୍ରମିକ ସଂଘ ତରଫରୁ ସୁଶୀଲ କୁମାର ପଣ୍ଡା, ପ୍ରଶାନ୍ତ କୁମାର ହୋତା, ମନୋଜ କୁମାର ନାୟକ, ନିର୍ମଳ ଚନ୍ଦ୍ର ପାଢ଼ୀ ପ୍ରମୁଖ ବିଭିନ୍ନ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

Comments are closed.