Odisha Link
Bridging the Missing Links in Odisha

ରାଜ୍ୟସ୍ତରୀୟ ଭିନ୍ନକ୍ଷମ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ

ଭୁବନେଶ୍ୱର : ଭିନ୍ନକ୍ଷମ ବ୍ୟକ୍ତିମାନଙ୍କର ସମସ୍ୟା ଓ ସେମାନଙ୍କର ମୌଳିକ ଅଧିକାର ସମ୍ବନ୍ଧରେ ଅନ୍ୟମାନଙ୍କୁ ସଚେତନ କରାଇବା ସହିତ ସେମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ଆଭିମୁଖ୍ୟ ନେଇ ପ୍ରତିବର୍ଷ ଡିସେମ୍ବର ୩ ତାରିଖ ଦିନ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳନ କରାଯାଇଥାଏ । ଏହି ଦିବସ ପାଳନ ଅବସରରେ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କର ପ୍ରତିଭାକୁ ଲୋକଲୋଚନକୁ ଆଣିବା ଓ ସେମାନଙ୍କୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି ।

ଏହି କ୍ରମରେ ଭୁବନେଶ୍ୱରସ୍ଥ କଳିଙ୍ଗ ଷ୍ଟାଡିୟମ୍‌ଠାରେ ରାଜ୍ୟସ୍ତରୀୟ ଭିନ୍ନକ୍ଷମ କ୍ରୀଡ଼ା ପ୍ରତିଯୋଗିତା ର ଆୟୋଜନ କରାଯାଇଥିଲା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ, ବିଜ୍ଞାନ ଓ କାରିଗରୀ, ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏହି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର କମିଶନର ତଥା ସଚିବ ଭାସ୍କର ଜ୍ୟୋତି ଶର୍ମା ଏବଂ ନିର୍ଦ୍ଦେଶିକା ବ୍ରତତୀ ହରିଚନ୍ଦନ ମଧ୍ୟ ଉପସ୍ଥିତ ଥିଲେ ।

ପ୍ରଥମ ଥର ପାଇଁ ବିଭାଗ ତରଫରୁ କ୍ରୀଡ଼ା ପ୍ରତିଯୋଗିତା ପ୍ରତ୍ୟେକ ଜିଲ୍ଲାରେ ଆୟୋଜନ କରାଯାଇଥିଲା । ସେଥିରେ କୃତିତ୍ୱ ଲାଭ କରିଥିବା ପ୍ରତିଯୋଗୀମାନେ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଭାଗ ନେଇଥିଲେ । ଏଥିରେ ୬ଟି ଖେଳରେ ପ୍ରତିଯୋଗିତା କରାଯାଇଥିଲା ଏବଂ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀମାନଙ୍କୁ ପ୍ରତ୍ୟେକ ଖେଳ ଅନୁଯାୟୀ ପୁରସ୍କୃତ କରାଯାଇଥିଲା । ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

Comments are closed.