Odisha Link
Bridging the Missing Links in Odisha

ଶ୍ରୀମନ୍ଦିର ପାଇଁ ସ୍ୱେଚ୍ଛାକୃତ ଭାବେ ସଂଗ୍ରହ ହେଲା ୭୫ % ଘରୋଇ ଜମି, ନବୀନ କହିଲେ ମନେ ରହିବ..

ଭୁବନେଶ୍ବର: ସ୍ୱେଚ୍ଛାକୃତ ଭାବରେ ପୁରୀ ସହରରେ ସଂଗ୍ରହ ହେଲା ପ୍ରାୟ ୭୫ ପ୍ରତିଶତ ଘରୋଇ ଜମି। ଯାହା ମନ୍ଦିର ନିରାପତ୍ତା ବଳୟ ପାଇଁ ମିଳିଛି ଅଦ୍ଭୁତପୂର୍ବ ସମର୍ଥନ। ଆଉ ଜମି ପ୍ରଦାନକାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ମହାପ୍ରଭୁ ଓ ତାଙ୍କ ଶ୍ରୀମନ୍ଦିର ଓଡିଆ ଜାତିର ସବୁକିଛି। ସେ ଆମର ଅତୀତ, ବର୍ତ୍ତମାନ ଏବଂ ଭବିଷ୍ୟତ। ଶ୍ରୀମନ୍ଦିର ନିରାପତ୍ତା ପାଇଁ ତାର ୭୫ ମିଟର ପରିସର ମଧ୍ୟରେ ଥିବା ସ୍ଥାବର ସମ୍ପତ୍ତିକୁ ପ୍ରଦାନ କରିବା ପାଇଁ ପବିତ୍ର ଜନ୍ମାଷ୍ଟମୀ ଦିନ ଶ୍ରୀକ୍ଷେତ୍ରବାସୀଙ୍କୁ ନିବେଦନ କରିଥିଲେ ମୁଖ୍ୟମନ୍ତ୍ରୀ। ଆଉ ଅନୁରୋଧକୁ ରକ୍ଷା କରିଥିବାରୁ ଶ୍ରୀକ୍ଷେତ୍ରବାସୀଙ୍କ ନିକଟରେ କୃତଜ୍ଞ ଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ। ସେ କହିଛନ୍ତି, ମହାପ୍ରଭୁଙ୍କ ପାଇଁ ଜମି ପ୍ରଦାନକାରୀଙ୍କ ଏହି ତ୍ୟାଗକୁ ଓଡିଆ ଜାତି ସବୁଦିନ ଶ୍ରଦ୍ଧାର ସହ ମନେ ରଖିବ।

ତେବେ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ୪୦ ଦିନ ମଧ୍ୟରେ ସିଧାସଳଖ ବିକ୍ରୀ-ଖର୍ଦ୍ଦି ପ୍ରକ୍ରିୟାରେ ମୋଟାମୋଟି ୭୫ ପ୍ରତିଶତ ଘରୋଇ ଜମି ସଂଗ୍ରହ ହୋଇପାରିଛି। ତେବେ ମହାପ୍ରଭୁଙ୍କ ଏହି କାର୍ଯ୍ୟରେ ଜିଲ୍ଲା ପ୍ରଶାସନ ଓ ଏହାର ସମସ୍ତ ବିଭାଗର କର୍ମଚାରୀ ଏବଂ ପୋଲିସ କର୍ମଚାରୀମାନେ ରବିବାର ସମେତ ସବୁ ଛୁଟି ଦିନ ମାନଙ୍କରେ ମଧ୍ୟ ସେମାନଙ୍କ କାମ ଜାରି ରଖିଛନ୍ତି। ସେଥିପାଇଁ ସେମାନଙ୍କୁ ମଧ୍ୟ ବିଶେଷ ଧନ୍ୟବାଦ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

ଶ୍ରୀଜଗନ୍ନାଥ ହେଉଛନ୍ତି ଓଡିଆ ଜାତିର ଗର୍ବ। କାଂଚି ଅଭିଯାନ ସମୟରେ ସେ ନିଜେ ଯୁଦ୍ଧରେ ସାମିଲ ହୋଇ ଓଡିଆ ଜାତିର ଗୌରବ ରକ୍ଷା କରିଥିଲେ। ମହାପ୍ରଭୁଙ୍କ ପାଇଁ ପୁରୀବାସୀଙ୍କ ଏହି ମହାନ ତ୍ୟାଗ ଜଗନ୍ନାଥ ସଂସ୍କୃତିକୁ ଆହୁରି ଗରୀଆନ କରିଛି। ଶ୍ରୀକ୍ଷେତ୍ରକୁ ବିଶ୍ୱ ଐତିହ୍ୟ ନଗରୀ ଭାବରେ ଗଢି ତୋଳିବା ପାଇଁ ଆମେ ସଂକଳ୍ପକୁ ଆହୁରି ଦୃଢ କରିଛି। ମହାପ୍ରଭୁଙ୍କ ପାଇଁ ଆପଣ ମାନଙ୍କର ଏହି ଭଲ ପାଇବା, ଏହି ସମର୍ପଣ ଭାବ ଇତିହାସର ଏକ ଗୌରବୋଜ୍ଜଳ ଅଧ୍ୟାୟ ହୋଇରହିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

Comments are closed.