Odisha Link
Bridging the Missing Links in Odisha

ବିଶ୍ୱ, ବିଶ୍ୱବିଦ୍ୟାଳୟ ଓ ବିଶ୍ୱ ମାନବ ମଧ୍ୟରେ ସମନ୍ୱୟ ଦରକାର: ରାଜ୍ୟପାଳ

ଭୁବନେଶ୍ବର: ଭାରତୀୟ ସଂସ୍କୃତି ଓ ପରମ୍ପରାରେ ନାରୀମାନଙ୍କୁ ଉଚ୍ଚ ସ୍ଥାନ ଦିଆଯାଇଛି। ଜଗତଜନନୀ ଓ ଜନନୀ ପରସ୍ପର ସଂପର୍କିତ ବୋଲି ବିଚାର କରାଯାଇଛି। ବାସ୍ତବରେ ନାରୀମାନଙ୍କୁ ଈଶ୍ୱର ଏକ ମହତ୍ତର ଚେତନାର ପରି ପ୍ରକାଶ ପାଇଁ ପୃଥିବୀକୁ ପ୍ରେରଣ କରିଥାନ୍ତି। ଯେଉଁ ସମାଜରେ ନାରୀମାନଙ୍କର ଅନ୍ତର୍ନିହିତ ଶକ୍ତି ଓ ସାମର୍ଥ୍ୟର ପ୍ରକାଶ ଓ ବିକାଶ ନିମନ୍ତେ ଅନୁକୂଳ ପରିବେଶ ଥାଏ, ସେ ସମାଜ ସମୃଦ୍ଧ ବିବେଚିତ ହୁଏ ବୋଲି ରାଜ୍ୟ ପାଳ ପ୍ରଫେସର ଗଣେଶୀ ଲାଲ ପ୍ରକାଶ କରିଛନ୍ତି।

ଆଜି ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ପଞ୍ଚମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗଗଦେଇ ରାଜ୍ୟପାଳ ତଥା କୁଳାଧିପତି ପ୍ରଫେସର ଗଣେଶୀ ଲାଲ କହିଛନ୍ତି ଯେ, ବିଶ୍ୱ, ବିଶ୍ୱବିଦ୍ୟାଳୟ ଓ ବିଶ୍ୱ ମାନବ ମଧ୍ୟରେ ସମନ୍ୱୟ ରହିବା ଦରକାର। ବିଶ୍ୱବିଦ୍ୟାଳୟ ବତୀଘର ଭାବରେ ମାର୍ଗଦର୍ଶନ କରାଇବା ସହ ସାମାଜିକ ଦାୟିତ୍ୱବୋଧ ନିର୍ବାହରେ ବିଶେଷ ଭୂମିକା ନେବା ଆବଶ୍ୟକ। ଚେତନାରୁ ବସ୍ତୁର ସୃଷ୍ଟି। ଚେତନା ଦୃଷ୍ଟିକୋଣରୁ ସବୁର ମୂଲ୍ୟାୟନ ହେବା ଆବଶ୍ୟକ। ଚେତନାର ଉଚ୍ଚସ୍ତରକୁ ପ୍ରବେଶ ନିମନ୍ତେ ବିଶ୍ୱବିଦ୍ୟାଳୟର ଶିକ୍ଷା ପଥ ପ୍ରସ୍ତୁତ କରିବାକୁ ରାଜ୍ୟପାଳ ପରାମର୍ଶ ଦେଇଥିଲେ। କାହା ଦ୍ୱାରା ପରିଚାଳିତ ନହୋଇ ନିଜେ ନିଜର ବାଟ ନିର୍ମାଣ କରିବା ପାଇଁ ବାଟ ପାଇବା ହିଁ ପ୍ରକୃତ ଶିକ୍ଷା। ପ୍ରତ୍ୟେକ ବ୍ୟକ୍ତି ଅନନ୍ୟ। ତେଣୁ ନିଜେ ନିଜର ଲକ୍ଷ୍ୟ ସ୍ଥିର କରି ସେ ଲକ୍ଷ୍ୟ ପୂରଣ ପାଇଁ ସାଧନା କରିବାକୁ ରାଜ୍ୟ ପାଳ ଛାତ୍ରୀମାନଙ୍କୁ କହିଥିଲେ।

ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ବିଶ୍ୱବିଦ୍ୟାଳୟ ଗବେଷଣାକୁ ଗୁରୁତ୍ୱ ଦେବାକୁ କହିବା ସହିତ ରାଜ୍ୟରେ ଉଚ୍ଚଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ନିମନ୍ତେ ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା
ଅନେକ ଅଭିନବ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ।ଏହି ଉତ୍ସବରେ କୁଳପତି ଡ. ପଦ୍ମଜା ମିଶ୍ର, ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷା ଡ. ସରିତା ସୂପକାର, କୁଳସଚିବ ଇତିଶ୍ରୀ ଦାସ ପ୍ରମୁଖ ବିଶ୍ୱବିଦ୍ୟାଳୟର ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ। ଏହି ଅବସରରେ କୃତୀ ଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ପ୍ରଫେଶର ଗଣେଶୀ ଲାଲ ନବନିର୍ମିତ ପ୍ରଶାସନିକ ସୌଧକୁ ଲୋକାର୍ପଣ କରିଥିଲେ।

Comments are closed.