Odisha Link
Bridging the Missing Links in Odisha

କମିଲା ଜିଡିପି ଆକଳନ, ରେପୋ ରେଟ୍‌ ଅପରିବର୍ତ୍ତିତ

ନୂଆଦିଲ୍ଲୀ: ପ୍ରକାଶ ପାଇଲା ଆରବିଆଇ ରେପା ରେଟ ଓ ଜିଡିପି ଆକଳନ। ଯାହା ସମସ୍ତଙ୍କୁ ଚକିତ କରିଛି। ଦେଶର ଅର୍ଥନୀତି ଦ୍ରୁତଗତିରେ ହ୍ରାସ ପାଇବା ଓ ଅଭିବୃଦ୍ଧି ହାର ୪.୫%ରେ ପହଞ୍ଚିଥିବାରୁ ଆରବିଆଇ ଏଥର ରେପୋ ରେଟ୍‌କୁ ଆହୁରି ହ୍ରାସ କରିବ ବୋଲି ଅର୍ଥନୀତିକ ବିଶାରଦମାନେ ଆଶା କରିଥିଲେ। ହେଲେ ଆରବିଆଇ ରେପୋ ରେଟ୍‌କୁ ୫.୧୫%ରେ ସ୍ଥିର ରଖିଛି। ସେହିପରି ରିଭର୍ସ ରେପୋ ରେଟ୍‌ ମଧ୍ୟ ୪.୯୦%ରେ ସ୍ଥିର ରହିଛି।

ଜାନୁଆରୀ ମାସ ଠାରୁ ପ୍ରାୟ ୫ ଥର ଆରବିଆଇ ରେପୋ ରେଟ୍ ହ୍ରାସ କରି ଚାଲିଛି। ତଥାପି ଏହା ଅର୍ଥନୀତିକ ଅଭିବୃଦ୍ଧି ଉପରେ କୌଣସି ପ୍ରଭାବ ପକାଇ ପାରୁନାହିଁ। ଆଜିର ସମୀକ୍ଷା ବୈଠକରେ ମଧ୍ୟ ରେପୋ ରେଟ୍ ହ୍ରାସ ସମ୍ପର୍କରେ ମତ ପ୍ରକାଶ ପାଇଥିଲେ। ତେବେ ଶେଷରେ ଆରବିଆଇର ୬ ଜଣିଆ ମୁଦ୍ରାନୀତି କମିଟି ଏହା ବିରୋଧରେ ଭୋଟ ଦେଇଥିଲେ। ଏହାପରେ ସର୍ବସମ୍ମତିକ୍ରମେ ରେପୋ ରେଟ୍‌କୁ ଅପରିବର୍ତ୍ତିତ ରଖାଯାଇଥିଲା।

ସେହିପରି ପୂର୍ବରୁ ଦେଶର ଜିଡିପି ୬.୧ ପ୍ରତିଶତ ରହିବ ବୋଲି କହୁଥିବା ଆରବିଆଇର ମୁଦ୍ରାନୀତି କମିଟି ଏବେ ଏହାକୁ ୫% ରହିବ ବୋଲି ପୂର୍ବାନୁମାନ କରିଛି। ଆରବିଆଇ ପକ୍ଷରୁ କୁହାଯାଇଛି ଯେ “ସେକେଣ୍ଡ କ୍ୱାଟରରେ ଜିଡିପି ଅଭିବୃଦ୍ଧି ଆକଳନ ଠାରୁ ବହୁତ କମ ରହିଛି। ଘରୋଇ ଓ ବିଦେଶୀ ମାର୍କେଟରେ ଲୋକଙ୍କ ଚାହିଦା ଅତ୍ୟନ୍ତ ଦୁର୍ବଳ ରହିଛି। ତେଣୁ ଏହାର ପ୍ରଭାବ ଅର୍ଥନୀତି ଉପରେ ପଡ଼ୁଛି ଏବଂ ଜିଡିପି ଅଭିବୃଦ୍ଧି ହ୍ରାସ ପାଉଛି।”

Comments are closed.