Odisha Link
Bridging the Missing Links in Odisha

ଆଜି ଲୋକସଭାରେ ଆଗତ ହେବ ନାଗରିକତା ସଂଶୋଧନ ବିଲ୍

ନୂଆଦିଲ୍ଲୀ: ଆଜି ଲୋକସଭାରେ ଆଗତ ହେବ ନାଗରିକତା ସଂଶୋଧନ ବିଲ୍। ଗୃହମନ୍ତ୍ରୀ ଅମିତ୍ ଶାହା ସୋମବାର ଅପରାହ୍ଣରେ ଏହି ବିଲ୍‌କୁ ଆଗତ କରିବେ। ଏହା ପରେ ଏହି ବିଲ୍‌ ଉପରେ ଆଲୋଚନା କରାଯିବ। ଏହି ବିଲ୍‌ରେ ପାକିସ୍ତାନ, ବାଂଲାଦେଶ ଏବଂ ଆଫଗାନିସ୍ଥାନର ଅଣ ମୁସଲିମ୍ ଶରଣାର୍ଥୀମାନଙ୍କୁ ଭାରତରେ ନାଗରିକତା ପ୍ରଦାନ କରାଯିବା ବ୍ୟବସ୍ଥା ରହିଥିବା ବେଳେ ଏହି ବିଲ୍‌କୁ ନେଇ ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ତୀବ୍ର ପ୍ରତିବାଦ ଆରମ୍ଭ ହୋଇଯାଇଛି। ବହୁ ପ୍ରତିଷ୍ଠାନ ଏବଂ ଜନସାଧାରଣ ଏହାକୁ ବିରୋଧ କରୁଛନ୍ତି। ଏହି ବିଲ୍ ଆଇନରେ ପରିଣତ ହେଲେ ଆସାମ ରାଜିନାମା ୧୯୮୫ର ବ୍ୟବସ୍ଥାର ପ୍ରାସଙ୍ଗିକତା ରହିବ ନାହିଁ।

ଏହି ରାଜିନାମାରେ ଯେ କୌଣସି ଧର୍ମର ପ୍ରବାସୀମାନଙ୍କୁ ଦେଶରୁ ତଡ଼ିବା ନିମନ୍ତେ ୧୯୭୧ ମସିହା ମାର୍ଚ୍ଚ ୨୪ ତାରିଖକୁ ଶେଷ ଦିବସ ଭାବେ ଧରାଯାଇଛି। ଉକ୍ତ ବିଲ୍‌କୁ ବିରୋଧ କରି ଉତ୍ତର ପୂର୍ବ ଛାତ୍ର ସଂଗଠନ (ଏନଇଏସଓ) ଆସନ୍ତା ୧୦ ତାରିଖରେ ବନ୍ଦ ଡ଼ାକରା ଦେଇଛି। ନାଗରିକତା ସଂଶୋଧନ ବିଲ୍‌ ୨୦୧୯ରେ ଥିବା ବ୍ୟବସ୍ଥା ଅନୁଯାୟୀ, ହିନ୍ଦୁ, ଶିଖ, ବୌଦ୍ଧ, ଜୈନ, ପାର୍ସୀ ଏବଂ ଖ୍ରୀଷ୍ଟିୟାନ ସମ୍ପ୍ରଦାୟର ଲୋକ ଯେଉଁମାନେ ୨୦୧୪ ଡିସେମ୍ବର ୩୧ ପର୍ଯ୍ୟନ୍ତ ପାକିସ୍ତାନ, ବାଂଲାଦେଶ ଏବଂ ଆଫଗାନିସ୍ଥାନରେ ନିର୍ଯାତିତ ହୋଇ ଭାରତକୁ ଆସିଛନ୍ତି ସେମାନଙ୍କୁ ନାଗରିକତା ପ୍ରଦାନ କରାଯିବ। ସେମାନଙ୍କ ବେଆଇନ ଆପ୍ରବାସୀ ଭାବେ ବିବେଚନ କରା ନଯାଇ ଭାରତୀୟ ନାଗରିକ ମାନ୍ୟତା ଦିଆଯିବ। କଗ୍ରେସ୍‌ ସମେତ ବିଭିନ୍ନ ଦଳ ଏହାକୁ ବିରୋଧ କରୁଛନ୍ତି।

Comments are closed.