Odisha Link
Bridging the Missing Links in Odisha

କମ୍‌ ନମ୍ବର ରଖିବାରୁ ମୁହଁରେ କାଳି ବୋଳିଲେ

ଚଣ୍ଡୀଗଡ଼: ଘଟଣାଟି ଆପଣଙ୍କୁ ଚକିତ କରିଥିବ ନିଶ୍ଚିନ୍ତ କିନ୍ତୁ ସତ। ପରୀକ୍ଷାରେ କମ୍‌ ନମ୍ବର ରହିବାରୁ ସ୍କୁଲ କର୍ତ୍ତୃପକ୍ଷ ୬ ଜଣ ଛାତ୍ରଙ୍କ ମୁହଁରେ କାଳି ବୋଳି ସ୍କୁଲରେ ବୁଲାଇଛନ୍ତି। ଏଭଳି ଏକ ଲଜ୍ଜାଜନକ ଘଟଣା ଘଟିଛି ହରିୟାଣାର ହିସାର ଅଞ୍ଚଳରେ। ହିସାରର ମହାବୀର କଲୋନୀରେ ଥିବା ଏକ ଘରୋଇ ସ୍କୁଲରେ ଗତ ଶୁକ୍ରବାର ଏହି ଘଟଣା ଘଟିଥିବାବେଳେ ମଙ୍ଗଳବାର ଏହି ଘଟଣା ଲୋକଲୋଚନକୁ ଆସିଛି।ସ୍କୁଲର ଅଧ୍ୟକ୍ଷ ୪ର୍ଥ ଶ୍ରେଣୀ ପିଲାଙ୍କର ଇଂଲିଶ ପରୀକ୍ଷା କରିଥିଲେ। ଏଥିରେ ୬ ଜଣ ଛାତ୍ର ମୋଟ ୧୦ ନମ୍ବରରୁ ୮ରୁ କମ୍‌ ନମ୍ବର ରଖିଥିଲେ। ଜଣେ ଛାତ୍ରଙ୍କର ୭ ନମ୍ବର ଥିବାବେଳେ ଅନ୍ୟ ୫ ଜଣଙ୍କ ମଧ୍ୟ ୮ ତଳକୁ ରହିଥିଲା। ଏହା ପରେ ଅଧ୍ୟକ୍ଷ ପିଲାମାନଙ୍କୁ ଛିଡ଼ା କରାଇ ଦେଇଥିଲେ। ପରେ ପିଅନକୁ ଡକାଇ ସେମାନଙ୍କ ମୁହଁରେ କାଳି ବୋଳିଥିଲେ। ଏହା ପରେ ସମ୍ପୃକ୍ତ ଛାତ୍ରମାନଙ୍କୁ ସ୍କୁଲର ସମସ୍ତ ଶ୍ରେଣୀ ଗୃହ ବୁଲାଇଥିଲେ। ଏଥିରେ ଛାତ୍ରମାନେ ବହୁ ଅପମାନିତ ହୋଇଥିଲେ।

ସୂଚନା ଅନୁସାରେ, ଜଣେ ଛାତ୍ର ଏ ନେଇ ଘରେ ଜଣାଇଥିଲେ। ଶନିବାର ଦିନ ଉକ୍ତ ଛାତ୍ରଙ୍କ ଅଭିଭାବକ ସ୍କୁଲରେ ପହଞ୍ଚି କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ। ମାତ୍ର କର୍ତ୍ତୃପକ୍ଷ ଅଭିଭାବକଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଫଳରେ ଅଭିଭାବକ ଜଣକ ଥାନାରେ ଅଭିଯୋଗ କରିଥିଲେ। ମାତ୍ର ପୁଲିସ ପକ୍ଷରୁ ଏଦିଗରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନ ଥିଲା ପରେ ଅଭିଭାବକ ଏ ନେଇ ଡିଏସପିଙ୍କୁ ଜଣାଇବା ପରେ ସ୍କୁଲ କର୍ତ୍ତୃପକ୍ଷଙ୍କ ବିରୋଧରେ ମାମଲା ରୁଜୁ ହେବା ସହିତ ପୀଡ଼ିତ ଛାତ୍ରଙ୍କ ବୟାନ ରେକର୍ଡ କରାଯାଇଛି।

Comments are closed.