Odisha Link
Bridging the Missing Links in Odisha

ସ୍କୁଲ ଛାତ୍ରଛାତ୍ରୀଙ୍କୁ ଗାଡ଼ି ମନା

ଭୁବନେଶ୍ୱର: ଏଣିକି କମ୍ ବୟସ୍କ ଛାତ୍ରଛାତ୍ରୀ ସ୍କୁଲକୁ ଗାଡ଼ି ଆଣି ପାରିବେ ନାହିଁ। ଏନେଇ କଡ଼ା ଆଭିମୁଖ୍ୟ ପୋଷଣ କରିଛନ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ । ୧୮ ବର୍ଷରୁ କମ୍ ବୟସର ଛାତ୍ରଛାତ୍ରୀ ମୋଟରଚାଳିତ ଗାଡ଼ି ନ ଚଲାଇବା ନେଇ ଆଜି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏହି ନିୟମକୁ ଉଲଙ୍ଗନ କଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ କୁହାଯାଇଛି। ଏନେଇ ରାଜ୍ୟର ସମସ୍ତ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ପ୍ରିନ୍ସିପାଲଙ୍କୁ ଚିଠି ଲେଖିଛନ୍ତି ନିର୍ଦ୍ଦେଶାଳୟର ଉପନିର୍ଦ୍ଦେଶକ। ନୂଆ ଟ୍ରାଫିକ୍ ନିୟମ ଲାଗୁ ହେବା ପରେ ଏହାକୁ କଡ଼ାକଡ଼ି ପାଳନ କରିବା ସହ ଯେପରି ଛାତ୍ରଛାତ୍ରୀ ଏଦିଗରେ ସଚେତନ ହେବେ ସେ ନେଇ ଚିଠିରେ ଉଲ୍ଲେଖ ରହିଛି ।

ଖାଲି ପିଲାଙ୍କୁ ନୁହେଁ ସ୍କୁଲ ବସ୍ ନୀତିକୁ ମଧ୍ୟ କଡାକଡି ପାଳନ କରିବାକୁ ଏଥିରେ ଉଲ୍ଲେଖ କରାଯାଇଛି । ଏହାଛଡ଼ା ସ୍କୁଲକୁ ଛାତ୍ରଛାତ୍ରୀଙ୍କୁ ଆଣି ଆସୁଥିବା ୩ ଚକିଆ ଗାଡି ଯେଭଳି କ୍ଷମତାଠାରୁ ଅଧିକ ପରିବହନ କରିବେ ନାହିଁ ତଥା ସଡକ ସୁରକ୍ଷା ନିୟମକୁ କଡାକଡି ପାଳନ କରିବେ ସେ ଦିଗରେ ଦୃଷ୍ଟି ଦେବାକୁ ଚିଠିରେ କୁହାଯାଇଛି । ଯଦି ଏହି ସଡକ ସୁରକ୍ଷା ନିୟମ ପାଳନ କରିବାରେ କୌଣସି ଉଲ୍ଲଂଘନ ହେଲେ ତୁରନ୍ତ ସ୍ଥାନୀୟ ଆରଟିଓଙ୍କୁ ଜଣାଇବା ଲାଗି ନିର୍ଦ୍ଦେଶ ଦିଆଯାଇଛି ।

Comments are closed.