Odisha Link
Bridging the Missing Links in Odisha

ସମବାୟ ସମୀକ୍ଷା ନିର୍ଦ୍ଦେଶାଳୟ ଅଚାନକ ଗସ୍ତ କଲେ ରଣେନ୍ଦ୍ର ପ୍ରତାପ

ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ଯୋଗାଣ ନିଗମ କାର୍ଯ୍ୟାଳୟରେ ଖୋଲା ଯାଇଥିବା କଲ୍‌ସେଣ୍ଟର ସେଲ୍‌କୁ ଅଧିକ କ୍ରିୟାଶୀଳ ଓ ଦକ୍ଷ କରିବା ପାଇଁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଜନ ସାଧାରଣଙ୍କ ଅଭିଯୋଗ ଗ୍ରହଣ କରିବା ପାଇଁ ବିଭାଗ ପକ୍ଷରୁ ଜାରି କରାଯାଇଥିବା ଟୋଲ୍‌ଫି୍ର ନମ୍ବର ୧୯୬୭ ଯେପରି ନିରନ୍ତର ଟେଲିଫୋନ୍‌ କଲ୍‌ ଗ୍ରହଣ କରି ପାରିବ ସେଥି ନିମନ୍ତେ ବୈଷୟିକ ବ୍ୟବସ୍ଥାକୁ ଅଧିକ ଉନ୍ନତ କରିବା ପାଇଁ ମନ୍ତ୍ରୀ ସ୍ୱାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ପୂର୍ବାହ୍ନରେ ମନ୍ତ୍ରୀ ସ୍ୱାଇଁ ଓଡ଼ିଶା ରାଜ୍ୟ ଯୋଗାଣ ନିଗମ କାର୍ଯ୍ୟାଳୟର ଅଚାନକ ଗସ୍ତ କରି କଲ୍‌ ସେଣ୍ଟରର କାର୍ଯ୍ୟକାରିତା ସଂପର୍କରେ ଅନୁଧ୍ୟାନ କରିବା ଅବସରରେ ଚାଷୀମାନଙ୍କ ସହିତ ସର୍ବଦା ସଂପର୍କ ସ୍ଥାପନ ଦିଗରେ ଏହାକୁ ଅଧିକ ସୁଦୃଢ଼ ଓ ତ୍ରୁଟିଶୂନ୍ୟ କରିବା ଉପରେ ଗୁରୁତ୍ୱ ଦେଇଥିଲେ । ଏଥି ସହିତ ଧାନସଂଗ୍ରହ କେନ୍ଦ୍ରରେ ଚାଷୀମାନେ ଧାନ ବିକ୍ରିଲବ୍ଧ ଅର୍ଥ ଯେପରି ଧର୍ଯ୍ୟ ସମୟସୀମା ମଧ୍ୟରେ ସେମାନଙ୍କର ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ପାଇ ପାରିବେ ସେଥି ନିମନ୍ତେ ନିୟମିତ ସମୀକ୍ଷା କରିବା ପାଇଁ ମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଏଥି ସହିତ ମନ୍ତ୍ରୀ ସ୍ୱାଇଁ ସମବାୟ ସମୀକ୍ଷା ନିର୍ଦ୍ଦେଶାଳୟ ଅଚାନକ ଗସ୍ତ କରିଥିଲେ । ବିଳମ୍ବରେ କାର୍ଯ୍ୟାଳୟକୁ ଆସିଥିବା କର୍ମଚାରୀଙ୍କୁ କୈଫିୟତ ତଲବ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। କାର୍ଯ୍ୟାଳୟ ପରିସରକୁ ସର୍ବଦା ସ୍ୱଚ୍ଛ ରଖିବା ଉପରେ ମନ୍ତ୍ରୀ ସ୍ୱାଇଁ ପରାମର୍ଶ ଦେଇଥିଲେ ଓ କର୍ମଚାରୀମାନେ ଯେପରି ଠିକ୍‌ ସମୟରେ କାର୍ଯ୍ୟାଳୟ ଆସିବେ ସେଥି ନିମନ୍ତେ ନିର୍ଦ୍ଦେଶ ଦେବା ସହିତ ନିର୍ଦ୍ଦେଶାଳୟରେ ବାୟୋମେଟ୍ରିକ ବ୍ୟବସ୍ଥା ଲାଗୁ କରିବା ପାଇଁ କହିଥିଲେ ।

ମନ୍ତ୍ରୀ ସ୍ୱାଇଁ ବିଭିନ୍ନ କାର୍ଯ୍ୟକ୍ରମ ସଂ ପର୍କରେ ସମୀକ୍ଷା କରିବା ଅବସରରେ କର୍ମଚାରୀମାନେ ଯେପରି ଠିକ୍‌ ସମୟରେ ପଦୋନ୍ନତି ପାଇ ପାରିବେ ସେଥି ନିମନ୍ତେ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

Comments are closed.