Odisha Link
Bridging the Missing Links in Odisha

ଟ୍ରାଫିକ୍‌ ନିୟମକୁ ଫୁ କଲେ ନେତା, ବିନା ହେଲମେଟରେ ଗଡ଼ିଲା ଶହ ଶହ ଗାଡ଼ି

ଭୁବନେଶ୍ବର: ଏମିତି ଦିନ ଥିଲା ନୂଆ ଟ୍ରାଫିକ୍‌ ନିୟମକୁ ନେଇ ରାଜ୍ୟସାରା ଭୟର ଲହରୀ ଖେଳି ଯାଇଥିଲା। ନୂଆ ଟ୍ରାଫିକ୍‌ ନିୟମ ଅନୁଯାୟୀ ଟ୍ରାଫିକ୍‌ ନିୟମ ଉଲଂଘନକାରୀଙ୍କୁ ମୋଟା ଅଙ୍କର ଜୋରିମାନା ଦେବାକୁ ପଡ଼ୁଥିଲା। ଏଭଳିକି ଟ୍ରାଫିକ୍‌ ନିୟମ ଭାଙ୍ଗିବାରୁ ଜନସାଧାରଣ ମୋଟା ଅଙ୍କର ଜୋରିମାନା ମଧ୍ୟ ଦେଉଛନ୍ତି। ହେଲେ କହିବାକୁ ଗଲେ ସାଧାରଣ ଲୋକଙ୍କୁ ସଜା, ନେତା ଓ ଦଳୀୟ କର୍ମୀଙ୍କୁ ସବୁ ମାଫ୍ । ନୂଆ ଟ୍ରାଫିକ ନିୟମ ଆସିବା ପରେ ରାଜଧାନୀରେ ପୋଲିସ ଓ ଟ୍ରାଫିକ ଅଧିକାରୀଙ୍କ ଏଭଳି ଦୁଇଟି ରୂପ ସାମ୍ନାକୁ ଆସିଛି । ମୁଣ୍ଡରେ ହେଲମେଟ ନଥିଲେ ସାଧାରଣ ଲୋକଙ୍କୁ ଗୋଡାଇ ଗୋଡାଇ ଧରୁଛନ୍ତି କିନ୍ତୁ ମୁଣ୍ଡରେ କିମ୍ବା ହାତରେ ଦଳୀୟ ପତାକା ଥିଲେ ସେମାନଙ୍କୁ ଧରିବା ତ ଦୂରର କଥା ସାତ ହାତ ଦୂରରେ ଛିଡା ହେଉଛନ୍ତି ପୋଲିସ ବାବୁ। ଟ୍ରାଫିକ ପୋଲିସର ଏଭଳି ପାନ୍ତରଅନ୍ତର ନୀତିକୁ ନେଇ ଏବେ ପ୍ରଶ୍ନ ଉଠିଛି।

ଡିସେମ୍ୱର ୨୬ ତାରିଖରେ ଶାସକ ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ ଥିଲା। ଏହି ପ୍ରତିଷ୍ଠା ଦିବସ ଅବସରରେ ବିଜେଡି ନେତାମାନେ ବାଇକ ରାଲି କରିଥିଲେ। ଆଉ ବାଇକ ଚଲାଉଥିବା କୌଣସି ବିଜେଡି ନେତା ହେଲମେଟ ପିନ୍ଧିନଥିଲେ। ବିନା ହେଲମେଟରେ ବାଇକ୍‌ ଚଳେଇ ବିଜେଡି ଜିନ୍ଦାବାଦ, ନବୀନ ବାବୁ ଜିନ୍ଦାବାଦ ନାରା ଦେଇ ରାଜରାସ୍ତାରେ ବାଇକ ରାଲି କରିଥିଲେ।

ସୂଚନାଥାଉକି, ରାସ୍ତାରେ ଯିଏ ଟ୍ରାଫିକ୍ ଆଇନକୁ ଉଲ୍ଲଂଘନ କରିବ ସେ ଆଇନ ଅନୁସାରେ ଦଣ୍ଡିତ ହେବେ। ଏହି ଆଇନରୁ କୌଣସି ନେତା, ସାମ୍ୱାଦିକ, ଅଭିନେତା, ଜନତା ବର୍ତ୍ତିପାରିବେ ନାହିଁ। କମିଶନରେଟ ପୁଲିସର ମୁଖ୍ୟ ସୁଧାଂଶୁ ଷଡ଼ଙ୍ଗୀ ପ୍ରେସ କନଫରେନସ କରି ଏଭଳି କଡ଼ା ନିର୍ଦ୍ଦେଶ ଦେଇଥିଲେ। ହେଲେ ନେତାଙ୍କ କ୍ଷେତ୍ରରେ ଏ ନିୟମ ପାଳନ ହୋଇନାହିଁ।

ନିକଟରେ ଓଲିଉଡ଼ ହିରୋ ବାବୁସାନ୍ ମହାନ୍ତି ବିନା ହେଲମେଟରେ ଗାଡ଼ି ଚାଳଉଥିଲେ। ଏ ନେଇ ବାବୁସାନ ଏକ ଭିଡିଓ ପୋଷ୍ଟ କରିଥିଲେ ନିଜ ସୋଶାଲ ମିଡିଆରେ। ଆଉ ଏହି ପୋଷ୍ଟକୁ କମିଶନରେଟ ପୁଲିସ ଏବଂ ଟ୍ରାଫିକକୁ ଟୁଇଟ କରିବା ପରେ ସଙ୍ଗେସଙ୍ଗେ ବାବୁସାନଙ୍କ ନାମରେ ଚାଲାଣ କଟାଯାଇଥିଲା। ୧୦୦୦ ଟଙ୍କାର ଚାଲାଣ କଟାଯିବା ସହ ଆଗାମୀ ଦିନରେ ଟ୍ରାଫିକ୍‌ ନିୟମ ମାନିବାକୁ କମିଶନରେଟ୍‌ ପୁଲିସ୍‌ ପକ୍ଷରୁ ତାଙ୍କୁ ପରାମର୍ଶ ଦିଆଯାଇଥିଲା। ଯାହାକି ଭୁବନେଶ୍ୱରରେ ଟ୍ରାଫିକ୍ ପୁଲିସ କେତେ ସକ୍ରିୟ ଦର୍ଶାଇଥିଲା।

ତେବେ ଆଇନ ଆଧାରରେ ଦୋଷୀ ସମସ୍ତେ ସମାନ। ଦୋଷୀ ବିରୋଧରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଇଏ ହେଉଛି ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୁର୍ନୀତି ଓ ଅଭିଯୁକ୍ତଙ୍କ ବାବଦରେ ପ୍ରତିକ୍ରିୟା। ହେଲେ ମୁଖ୍ୟମନ୍ତ୍ରୀଙ୍କର ଏହି କଡ଼ା ନିର୍ଦ୍ଦେଶକୁ ରାଜ୍ୟ ପୁଲିସ ମାନୁନଥିବା ଦେଖିବାକୁ ମିଳିଛି। ଅର୍ଥାତ୍ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଫୁ କରି ଉଡ଼ାଇ ଦେଇଛି ରାଜ୍ୟ ପୁଲିସ ଓ ଟ୍ରାଫିକ ପୁଲିସ୍। ଆଉ ତାଙ୍କ ଦଳର ନେତା ଓ କର୍ମୀମାନେ।

Comments are closed.