Odisha Link
Bridging the Missing Links in Odisha

ଏସ୍‌ପ୍ଳାନେଡ୍‌ ବନ୍ଦ, ମାର୍କେଟିଂ ହେଡ୍‌ ଶ୍ୟାମା ଝା’ ଗିରଫ୍

ଭୁବନେଶ୍ବର: ସାମ୍ବାଦିକା ସ୍ବାତୀ ଜେନାଙ୍କ ଉପରେ ଆକ୍ରମଣ ଘଟଣାରେ ଆଜି ଗଣମାଧ୍ୟମ ପ୍ରତିନିଧିମାନଙ୍କ ମିଳିତ ଆନ୍ଦୋଳନ ତୀବ୍ର ହୋଇଥିବା ବେଳେ ଏହାର ପ୍ରଭାବରେ ଭୁବନେଶ୍ବରର ସର୍ବବୃହତ୍ତ ମଲ୍‌ କୁହାଯାଉଥିବା ଏସ୍‌ପ୍ଳାନେଡ୍‌ ମଲ୍‌ ଦିନ ତମାମ୍‌ ବନ୍ଦ ରହିଛି। ଅନ୍ୟପଟେ ସାମ୍ବାଦିକମାନଙ୍କ ଚାପ ଯୋଗୁଁ ଶେଷରେ ବିଳମ୍ବିତ ସଂଧ୍ୟାରେ ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଏସ୍‌ପ୍ଳାନେଡ୍‌ ମଲ୍‌ର ମାର୍କେଟିଂ ମୁଖ୍ୟ ଶ୍ୟାମା ଝା’ଙ୍କୁ କମିଶନରେଟ୍‌ ପୁଲିସ ଗିରଫ କରିଛି।

ବେଆଇନ୍‌ ପାର୍କିଂ ଫି ବାବଦରେ ଖବର ସଂଗ୍ରହ କରିବା ପାଇଁ ଗତକାଲି ଏସ୍‌ପ୍ଳାନଡ୍‌ ମଲ୍‌ ଯାଇଥିବା ମହିଳା ସାମ୍ବାଦିକ ସ୍ବାତୀଙ୍କ ଉପରେ ମଲ୍‌ କର୍ମଚାରୀ ଓ ସୁରକ୍ଷାକର୍ମୀଙ୍କ ଦ୍ବାରା ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଥିଲା। ଏପରିକି ମଲ୍‌ର ମାର୍କେଟିଂ ହେଡ୍‌ ଶ୍ୟାମା ଝା ଓ ଅନ୍ୟ କର୍ମଚାରୀମାନେ ତାଙ୍କୁ ଗୋଟିଏ ବନ୍ଦ କୋଠରୀରେ ଅଟକ ରଖି ଆକ୍ରମଣ ଓ ଭୟଭୀତ କରିଥିବା ନେଇ ମଧ୍ୟ ସ୍ବାତୀ ନିଜ ଅଭିଯୋଗରେ ଦର୍ଶାଇଥିଲେ। ଏହି ଆକ୍ରମଣ ପ୍ରତିବାଦରେ ଭୁବନେଶ୍ବରର ଶତାଧିକ ଗଣମାଧ୍ୟମ ପ୍ରତିନିଧି ଓ ବିଭିନ୍ନ ଖବର ସରବରାହ ସଂସ୍ଥାର ବରିଷ୍ଠ ଅଧିକାରୀ ପ୍ରମୁଖ ମିଳିତ ଭାବରେ ଆଜି ସକାଳୁ ମଲ୍‌ର ତିନୋଟି ଫାଟକ ଆଗରେ ପ୍ରତିବାଦ ପ୍ରଦର୍ଶନ ପୂର୍ବକ ଧାରଣାରେ ବସିଥିଲେ। ଫଳରେ କୌଣସି ଗ୍ରାହକ ମଲ୍‌ ଭିତରକୁ ଯାଇପାରି ନଥିଲେ। ବିରୋଧ ବିଳମ୍ବିତ ରାତି ଯାଏଁ ଚାଲିଥିବା ବେଳେ ମଲ୍‌ରେ ବ୍ୟବସାୟ ସମ୍ପୂର୍ଣ ବନ୍ଦ ରହିଥିଲା। ଆଜି ରବିବାର ଓ ଆଗକୁ ନୂଆବର୍ଷ ଥିବା ବେଳେ ଗୋଟିଏ ଦିନ ମଲ୍‌ ବନ୍ଦ ହେବା ଏସ୍‌ପ୍ଲାନେଡ୍‌ କର୍ତୃପକ୍ଷ ଓ ଏଠାରେ ବ୍ୟବସାୟ ବିପଣି ଖୋଲିଥିବା ବ୍ୟକ୍ତି/ଅନୁଷ୍ଠାନ ପାଇଁ ଏ ବିରୋଧ ବେଶ୍‌ ମହଙ୍ଗା ସାବ୍ୟସ୍ତ ହୋଇଥିଲା।

ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଉପାୟରେ ବିରୋଧ ପ୍ରଦର୍ଶନ କରିଥିବା ସାମ୍ବାଦିକମାନେ ମଲ୍‌ କର୍ମଚାରୀଙ୍କୁ ବାହାରକୁ ଯିବାକୁ ସୁଯୋଗ ଦେଇଥିବା ବେଳେ ବାହାରେ ଥିବା ଗ୍ରାହକ ବା ସାଧାରଣ ଜନତାଙ୍କୁ ସହଯୋଗ ପାଇଁ ପ୍ରାର୍ଥନା କରି ଭିତରକୁ ଯିବାକୁ ବାରଣ କରିଥିଲେ। ବହୁ ସଂଖ୍ୟାରେ ସାଧାରଣ ଜନତା ସାମ୍ବାଦିକମାନଙ୍କ ଏ ବିରୋଧରେ ଆପଣାଛାଏଁ ନିଜର ସମର୍ଥନ ରଖି ସାମିଲ ହୋଇଥିଲେ। ଉତ୍କଳ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀ, ବିଭିନ୍ନ ସାମାଜିକ ସଂଗଠନ ଓ ରାଜନୈତିକ ଦଳର ପ୍ରତିନିଧି ମଧ୍ୟ ସାମ୍ବାଦିକମାନଙ୍କ ଆନ୍ଦୋଳନକୁ ସମର୍ଥନ ଜଣାଇ ଧାରଣାରେ ବସିଥିଲେ।

ମଧ୍ୟାହ୍ନରେ ଭୁବନେଶ୍ବର ଡିସିପି ଅନୁପ ସାହୁ ଧାରଣା ସ୍ଥଳକୁ ଆସି ସାମ୍ବାଦିକମାନଙ୍କୁ ବୁଝାସୁଝା କରିବା ସହ ମଲ୍‌ ସାମନାରୁ ହଟିଯିବାକୁ ନିବେଦନ କରିଥିଲେ। ତେବେ ଦାବି ପୂରଣ ନ ହେବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ସାମ୍ବାଦିକମାନେ ଅଡ଼ି ବସିଥିଲେ। ପୂର୍ବରୁ ଦୁଇଜଣ ସୁରକ୍ଷା କର୍ମୀଙ୍କୁ ପୁଲିସ ଗିରଫ କରିଥିବା ବେଳେ ମୁଖ୍ୟ ଅଭିଯୁକ୍ତ ମଲ୍‌ର ମାର୍କେଟିଂ ପ୍ରମୁଖ ଶ୍ୟାମା ଝାଙ୍କୁ ୨୪ ଘଣ୍ଟା ଭିତରେ ଗିରଫ ପାଇଁ ଚେଷ୍ଟା କରାଯିବ ବୋଲି ଶ୍ରୀ ସାହୁ ପ୍ରତିଶ୍ରୁତି ଦେଇଥିଲେ ବି ତାହା ସାମ୍ବାଦିକମାନଙ୍କୁ ସନ୍ତୁଷ୍ଟ କରି ନଥିଲା। ଅପରାହ୍ଣରେ ଆନ୍ଦୋଳନ ଅଧିକ ତୀବ୍ର ହୋଇଥିବା ବେଳେ ଏସିପି ରବି ଶତପଥୀ ଓ ଶହୀଦ ନଗର ଆଇଆଇସି ବିରଞ୍ଚି ପତି ଆସି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ। ଆଗାମୀ ଗୋଟିଏ ଘଣ୍ଟା ଭିତରେ ଅପରାଧୀକୁ ଗିରଫ କରାଯିବ ବୋଲି ଉଭୟେ ପ୍ରତିଶ୍ରୁତି ଦେଇଥିଲେ। ସଂଧ୍ୟା ୭ଟା ସୁଦ୍ଧା କଣ୍ଟ ପୂରି ଯାଇଥିଲେ ହେଁ ଗିରଫଦାରୀ ନେଇ କୌଣସି ସୂଚନା ନ ମିଳିବାରୁ ଆନ୍ଦୋଳନ ତୀବ୍ରତର କରାଯାଇଥିଲା। ସାରା ରାତି ଏସ୍‌ପ୍ଲାନେଡ୍‌ ମଲ୍‌ ସାମନାରେ ବସିବା ସହ ଆଗାମୀ କାଲି ମଧ୍ୟ ଅନୁରୂପ ପ୍ରତିବାଦ କରିବାକୁ ନିଷ୍ପତ୍ତି ନେଇଥିଲା ସାମ୍ବାଦିକ ମିଳିତ ମଞ୍ଚ। ତେବେ ଶେଷରେ ଶ୍ୟାମା ଝା ଗିରଫ ହେଲେ ବୋଲି ରାତି ପ୍ରାୟ ୮ଟା ୩୦ରେ ସୂଚନା ଦେଇଥିଲେ ପୁଲିସ। ଏ ନେଇ ୯ଟାରେ ଏକ ସାମ୍ବାଦିକ ସମ୍ମିଳନୀରେ ମଧ୍ୟ ପୁଲିସ କମିଶନର୍‌ ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଥିଲେ। ଶ୍ରୀମତୀ ଝାଙ୍କ ବିରୋଧରେ ସଂଗୀନ ଅପରାଧ ଥିଲେ ହେଁ ତାଙ୍କୁ ଜାମିନରେ ଛାଡ଼ି ଦିଆଯାଇଥିବା ସୂଚନା ମିଳିଛି।

ରାତି ୯ଟା ୩୦ରେ ସାମ୍ବାଦିକମାନେ ଧାରଣା ପ୍ରତ୍ୟାହର କରିଥିଲେ। ତେବେ ରାଜ୍ୟରେ ସାମ୍ବାଦିକମାନଙ୍କ ଉପରେ ବାରମ୍ବାର ଆକ୍ରମଣ ହେଉଥିବା ବେଳେ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ ଲାଗି ସାମ୍ବାଦିକ ମିଳିତ ମଞ୍ଚ ପକ୍ଷରୁ ସରକାରଙ୍କ ନିକଟରେ ବାରମ୍ବାର ଦାବି ହୋଇ ଆସୁଛି। ଏ ସମ୍ପର୍କରେ ଚୂଡ଼ାନ୍ତ ଆଲୋଚନା କରି ଆଗାମୀ କାର୍ଯ୍ୟପନ୍ଥା ସ୍ଥିର କରିବା ଲାଗି ଆସନ୍ତାକାଲି ସଂଧ୍ୟା ୫ଟାରେ ସ୍ଥାନୀୟ ହୋଟେଲ୍‌ ଏକ୍ସେଲେନ୍ସିରେ ସାମ୍ବାଦିକମାନଙ୍କର ଏକ ବୈଠକ ଡକାଯାଇଛି। ଏଥିରେ ବିଭିନ୍ନ ଗଣମାଧ୍ୟମ ପ୍ରତିଷ୍ଠାନର ମୁଖ୍ୟ ଓ ସ୍ବତ୍ବାଧିକାରୀମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।