‘ମାୟୋପିଆ’ ସଚେତନତା ପାଇଁ ଏଲ୍ ଭି ପ୍ରସାଦ ଆଇ ଇନଷ୍ଟିଚ୍ୟୁଟ୍ର ‘ମାଇଁ ସାଇକ୍ଲୋଥନ୍’

ଭୁବନେଶ୍ୱର: ପିଲାଙ୍କ ଭିତରେ ବଢ଼ୁଥିବା ସମୀପ ଦୃଷ୍ଟିଦୋଷ ବା ମାୟୋପିଆ ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି କରିବା ପାଇଁ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ‘ମାଇଁସାଇକ୍ଲୋଥନ୍’ କାର୍ଯ୍ୟକ୍ରମ ଲାଗି କାଉଣ୍ଟଡାଉନ୍ ଆରମ୍ଭ ହୋଇଛି। ଚଳିତ ମାସ ୧୯ ତାରିଖ ସକାଳେ କଳିଙ୍ଗ ଷ୍ଟାଡିୟମ୍ରୁ ଏହା ଆରମ୍ଭ ହେବ।
ମାଇଁସାଇକ୍ଲୋଥନ୍ ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେବା ପାଇଁ ସୋମବାର ଦିନ ଏଲ୍ ଭି ପ୍ରସାଦ ଆଇ ଇନଷ୍ଟିଚ୍ୟୁଟ୍ ଭୁବନେଶ୍ୱର ପରିସରରେ ଏକ ସଂକ୍ଷିପ୍ତ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏଥିରେ ଓଲିଉଡର ଲୋକପ୍ରିୟ କଳାକାରମାନଙ୍କ ମଧ୍ୟରେ ସିଦ୍ଧାନ୍ତ ମହାପାତ୍ର ଏବଂ ଅର୍ଚ୍ଚିତା ସାହୁ ଯୋଗ ଦେଇଥିଲେ। ସିଦ୍ଧାନ୍ତ ମାଇଁସାଇକ୍ଲୋଥନ୍ କାର୍ଯ୍ୟକ୍ରମର ବ୍ରାଣ୍ଡ ଆମ୍ବାସଡର୍ ଅଛନ୍ତି।
ଏହି କାର୍ଯ୍ୟକ୍ରମରେ ସିଆରୟୁଟିର ମହାପ୍ରବନ୍ଧକ ଦୀପ୍ତି ମହାପାତ୍ର ଭାଗ ନେଇଥିଲେ। ସେହିପରି ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ଦିଲ୍ଲୀପ ତିର୍କୀ ସୁସ୍ଥ ଜୀବନ ପାଇଁ ଦୃଷ୍ଟିଶକ୍ତିର ଗୁରୁତ୍ୱ ଉପରେ ଏକ ବାର୍ତ୍ତା ମାଧ୍ୟମରେ ସଚେତନ କରାଇଥିଲେ।
‘‘ମାୟୋପିଆ ଏବେ ସାରା ପୃଥିବୀରେ ଏକ ସାଧାରଣ ଦୃଷ୍ଟିଦୋଷର ରୂପ ନେବାକୁ ଯାଉଛି। ଆଗାମୀ ୨୦୫୦ ମସିହା ବେଳକୁ ପୃଥିବୀର ପ୍ରତି ୧୦ ଜଣଙ୍କ ମଧ୍ୟରୁ ୫ ଜଣଙ୍କ ଭିତରେ ଏହି ସମସ୍ୟା ଦେଖାଦେଇପାରେ। ବିଶେଷକରି, ପରିବର୍ତ୍ତିତ ଜୀବନଶୈଳୀ ପାଇଁ ଭାରତରେ ପିଲାଙ୍କ ଭିତରେ ମାୟୋପିଆ ସମସ୍ୟା ବଢ଼ିବାରେ ଲାଗିଛି। ଏହାର ସମାଧାନ ପାଇଁ ସଚେତନତା ଏବଂ ଚିକିତ୍ସା ଉପରେ ଆଜିଠାରୁ ଗୁରୁତ୍ୱ ନ ଦେଲେ ସେହି ପିଲାମାନଙ୍କ ଜୀବନ ବିଶେଷଭାବେ ପ୍ରଭାବିତ ହେବ’’, ଏହି ଅବସରରେ କହିଛନ୍ତି ଏଲ୍ ଭି ପ୍ରସାଦ ଭୁବନେଶ୍ୱର କ୍ୟାମ୍ପସ୍ର ନିର୍ଦ୍ଦେଶକ ଡାକ୍ତର ସୂର୍ଯ୍ୟସ୍ନାତ ରଥ।
ମାଇଁସାଇକ୍ଲୋଥନ୍ – ‘ବେଟର୍ ହେଲ୍ଥ, ବେଟର୍ ସାଇଟ୍’ (ଉତ୍ତମ ସ୍ୱାସ୍ଥ୍ୟ, ଉତ୍ତମ ଦୃଷ୍ଟିଶକ୍ତି) ଆୟୋଜନ ପଛର ମୂଳ ଲକ୍ଷ୍ୟ ହେଉଛି ସାଧାରଣ ଜନତାଙ୍କ ମଧ୍ୟରେ ମାୟୋପିଆର ଭୟାବହତା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ତଥା ଏହା ମାଧ୍ୟମରେ ଅନୁଦାନ ସଂଗ୍ରହ କରି ମାୟୋପିଆ ପ୍ରଭାବିତ ପିଲାଙ୍କୁ ମାଗଣାରେ ଚିକିତ୍ସା ଓ ଚଷମା ଯୋଗାଇଦେବା। ଏଲ୍ ଭି ପ୍ରସାଦ ଆଇ ଇନଷ୍ଟିଚ୍ୟୁଟ୍ ପକ୍ଷରୁ ଅନ୍ତତଃ ୧୦ହଜାର ପିଲାଙ୍କୁ ମାଗଣାରେ ଚିକିତ୍ସା ଯୋଗାଇ ଦେବାକୁ ଲକ୍ଷ୍ୟ ରଖାଯାଇଛି।
ମାୟୋପିଆ ସମ୍ପର୍କରେ ଏଲ୍ ଭି ପ୍ରସାଦ ଆଇ ଇନଷ୍ଟିଚ୍ୟୁଟ୍ ପକ୍ଷରୁ ବ୍ୟାପକ ଗବେଷଣା ଜାରି ରହିଛି। ଆଗାମୀ ଦିନରେ ଭୁବନେଶ୍ୱରରେ ମାୟୋପିଆ ପ୍ରଭାବିତ ଶିଶୁମାନଙ୍କୁ ଆବଶ୍ୟକ ଚିକିତ୍ସା ଯୋଗାଇ ଦେବାକୁ ଏକ ସ୍ୱତନ୍ତ୍ର କେନ୍ଦ୍ର ସ୍ଥାପନ କରାଯିବ ବୋଲି ଡାକ୍ତର ସୂର୍ଯ୍ୟସ୍ନାତ ରଥ କହିଛନ୍ତି।
ଜାନୁଆରି ୧୯ ତାରିଖ ସକାଳେ କଳିଙ୍ଗ ଷ୍ଟାଡିୟମ୍ରୁ ପତାକା ଦେଖାଇ ମାଇଁସାଇକ୍ଲୋଥନ୍ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯିବ। ଏଥିରେ ଚାରୋଟି ବର୍ଗରେ ଉଭୟ ପେସାଦାର ଏବଂ ସାଧାରଣ ସାଇକ୍ଲିଷ୍ଟ ଯୋଗାଦେବେ। ପେସାଦାର ବର୍ଗରେ ୪୬ କିଲୋମିଟର (ସମୟ ନିର୍ଦ୍ଧାରିତ) ଏବଂ ୧୩ କିଲୋମିଟର (ସମୟ ନିର୍ଦ୍ଧାରିତ ନୁହେଁ) ଦୂରତା ଧାର୍ଯ୍ୟ କରାଯାଇଥିବା ବେଳେ ସାଧାରଣ ବର୍ଗରେ ୬ କିଲୋମିଟର ଦୂରତା ରଖାଯାଇଛି। ଏହି କ୍ରୀଡ଼ା କାର୍ଯ୍ୟକ୍ରମରେ ଯେକୌଣସି ଆଗ୍ରହୀ ବ୍ୟକ୍ତିଙ୍କ ସହ ୧୨ ବର୍ଷରୁ ଅଧିକ ବୟସର ପିଲାମାନେ ଅଂଶଗ୍ରହଣ କରିପାରିବେ।
କାର୍ଯ୍ୟକ୍ରମର ସଫଳ ଆୟୋଜନ ପାଇଁ ସହଯୋଗର ହାତ ବଢ଼ାଇଥିବାରୁ ଏଲ୍ ଭି ପ୍ରସାଦ ଆଇ ଇନଷ୍ଟିଚ୍ୟୁଟ୍ ପକ୍ଷରୁ ମାଇଁସାଇକ୍ଲୋଥନ୍ର ପ୍ରାୟୋଜକ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍, ପାୱାର୍ ଗ୍ରୀଡ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ, ଏମସିଏଲ୍, ରାଧାରମଣ ଆଇ ହସ୍ପିଟାଲ ଏବଂ ଭିଜନ କେୟାରକୁ ଧନ୍ୟବାଦ ଅର୍ପଣ କରାଯାଇଥିଲା। ସେହିପରି ମାଇଁସାଇକ୍ଲୋଥନର ପାର୍ଟନରମାନଙ୍କ ମଧ୍ୟରେ ସିଆରୟୁଟି, ମୋ ସାଇକେଲ୍, ୟାନା, ରେଡିଓ ପାର୍ଟନର୍ ରେଡ୍ ଏଫଏମ୍ ଏବଂ ଡିଜିଟାଲ୍ ମିଡିଆ ପାର୍ଟନର ଓଡ଼ିଶାଲାଇଭ୍କୁ ଆୟୋଜକ ସଂସ୍ଥା ଧନ୍ୟବାଦ ଜଣାଇଥିଲେ।