ଏପ୍ରିଲ ୧୬ରୁ ଓଡ଼ିଶାରେ NPR

ଭୁବନେଶ୍ବର: ଆପଣଙ୍କ ବାପା କେବେ ଜନ୍ମ ହୋଇଥିଲେ? ସେ କେଉଁଠି ଜନ୍ମଗ୍ରହଣ କରିଥିଲେ? ନିଜ ପରିବାର ଓ ପୂର୍ବଜଙ୍କ ବିଷୟରେ ଏମିତି ନାନାଦି ପ୍ରଶ୍ନର ଆପଣଙ୍କୁ ରଖିବାକୁ ପଡ଼ିବ ଉତ୍ତର। କାରଣ ଚଳିତ ବର୍ଷ ଏପ୍ରିଲ ୧୬ ତାରିଖରୁ ଓଡ଼ିଶାରେ ଆରମ୍ଭ ହେବାକୁ ଯାଉଛି ଜାତୀୟ ଜନସଂଖ୍ୟା ପଞ୍ଜିକା (NPR) ପାଇଁ ତଥ୍ୟ ସଂକଳନ।
ଜାତୀୟ ନାଗରିକ ପଞ୍ଜିକା (NRC) ପାଇଁ ତଥ୍ୟ ହାସଲ ଉଦ୍ଦେଶ୍ୟରେ NPR କରାଯାଉଛି ବୋଲି ବିରୋଧୀ ଅଭିଯୋଗ କରୁଥିବା ବେଳେ କେନ୍ଦ୍ରରେ ବିଜେପି ନେତୃତ୍ବାଧୀନ ସରକାର ଏହାକୁ ଖଣ୍ଡନ କରିଛନ୍ତି। NPR ପାଇଁ ଓଡ଼ିଶା ଆଗ୍ରହୀ ଥିବା ବେଳେ ଚଳିତ ଏପ୍ରିଲ ୧୬ ତାରିଖରୁ ମେ ୩୧ ମଧ୍ୟରେ ରାଜ୍ୟରେ ଏହା ଲାଗୁହେବ।
NRCକୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଗ୍ରାହ୍ୟ କରିଥିବା ବେଳେ NPRକୁ ସ୍ବାଗତ କରିଛନ୍ତି। ସେହିପରି ନାଗରିକତା ସଂଶୋଧନ ଆଇନ ୨୦୧୯ (CAA) ବିଦେଶୀ ନାଗରିକଙ୍କ ସମସ୍ୟା ନେଇ ହୋଇଥିବାରୁ ଏହାକୁ ମଧ୍ୟ ଓଡ଼ିଶା ସମର୍ଥନ କରୁଛି ବୋଲି ପୂର୍ବରୁ ନବୀନ କହିଥିଲେ।