Odisha Link
Bridging the Missing Links in Odisha

୫ଟି ଆଧାରରେ ସୂଚନା ଓ ଲୋକସମ୍ପର୍କ ବିଭାଗର କାର୍ଯ୍ୟାବଳୀକୁ ତ୍ୱରାନ୍ୱିତ କର : ରଘୁନନ୍ଦନ

ଭୁବନେଶ୍ୱର : ସୂଚନା ଓ ଲୋକସମ୍ପର୍କ ବିଭାଗର କାର୍ଯ୍ୟାବଳୀକୁ ୫ଟି ଆଧାରରେ ତ୍ୱରାନ୍ୱିତ କରିବା ଓ ଅଧିକରୁ ଅଧିକ ଜନାଦୃତ କରବି । ପାଇଁ ସୂଚନା ଓ ଲୋକ ସମ୍ପର୍କ, ଜଳ ସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ ନିର୍ଦ୍ଦେଶ ଦେଇଛନ୍ତି । ଲୋକସେବା ଭବନସ୍ଥିତ ମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଏ ସଂକ୍ରାନ୍ତୀୟ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଏଥିରେ ଅଧ୍ୟକ୍ଷତା କରି ମନ୍ତ୍ରୀ ଦାସ କହିଲେ ଯେ ବିଭାଗରେ ବହୁବର୍ଷରୁ ସଂରକ୍ଷିତ ଥିବା ଫଟୋଗ୍ରାଫ୍‌ ଓ ଚଳଚ୍ଚିତ୍ରଗୁଡ଼ିକୁ ଡିଜିଟାଇଜ୍‌ କରି ଭବିଷ୍ୟତ ପାଇଁ ସୁରକ୍ଷିତ କରି ରଖାଯିବା ଜରୁରୀ । ତେଣୁ ଡିଜିଟାଲ ଆର୍କାଇଭିଂ ଉପରେ ଗୁରୁତ୍ୱାରୋପ କରାଯିବ । ଦିଲ୍ଲୀସ୍ଥିତ ଓଡ଼ିଶା ଭବନ ସମେତ ରାଜ୍ୟର ସମସ୍ତ ଜିଲ୍ଲାର ପ୍ରମୁଖ ସ୍ଥାନମାନଙ୍କରେ ୫୦ଟି ଏଲଇଡ଼ି ଭିଡ଼ିଓ ଓ୍ୱାଲ୍‌ ସ୍ଥାପନ କରାଯିବ ।

ଏଥିରେ ରାଜ୍ୟ ସରକାରଙ୍କର ସମସ୍ତ ଜନହିତକର ଯୋଜନା, ସଫଳତାର ଆଲେଖ୍ୟ ଓ ମୁଖ୍ୟ ସମ୍ବାଦଗୁଡ଼ିକ ପ୍ରସାରିତ ହେବ । ଗଣମାଧ୍ୟମକୁ ସରକାରଙ୍କ ସମସ୍ତ ନିଷ୍ପତ୍ତି, ବୁଝାମଣା ପତ୍ର ସ୍ୱାକ୍ଷର ଏବଂ ଅନ୍ୟାନ୍ୟ ସରକାରୀ ସମ୍ବାଦ ସିଧାସଳଖ ପ୍ରସାରଣ ପାଇଁ ଗୋଟିଏ ଲାଇଭ୍‌ କମନ୍‌ ଫିଡ଼୍‌ ସିଷ୍ଟମ୍‌ର ବ୍ୟବସ୍ଥା ଶୀଘ୍ର କରାଯିବ ।

ଗୋଟିଏ ଡ଼ିଜିଟାଲ ନ୍ୟୁଜ୍‌ ରୁମ୍‌ର ବ୍ୟବସ୍ଥା କରାଯାଇ ସଫ୍ଟଓ୍ୱେର ମାଧ୍ୟମରେ ସମ୍ବାଦଗୁଡ଼ିକ ତ୍ୱରିତ ପ୍ରେରଣ କରାଯିବ । ସରକାରଙ୍କ ସମସ୍ତ ବିଜ୍ଞାପନ ସିଧାସଳଖ ସମ୍ବାଦ ପତ୍ରଗୁଡ଼ିକୁ ପଠାଇବା ପାଇଁ ଇ-ବିଜ୍ଞାପନ ବ୍ୟବସ୍ଥା କରାଯିବ । ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ୱାରା ପରିଚାଳିତ ସୂଚନା ଅଧିକାରକୁ ସୁବ୍ୟବସ୍ଥିତ ଓ ସୁସଂହତ କରାଯିବା ପାଇଁ ସୂଚନା ଅଧିକାର ପୋର୍ଟାଲ୍‌ ଖୁବ୍‌ ଶୀଘ୍ର ଉନ୍ମୋଚିତ ହେବ । ବିଭାଗକୁ ଅଧିକ କ୍ରିୟାଶୀଳ କରିବା ପାଇଁ ସୁଚିନ୍ତିତ ପ୍ରସ୍ତାବମାନ ବିଭାଗୀୟ ଅଧିକାରୀମାନେ ପ୍ରସ୍ତୁତ କରିବାକୁ ମନ୍ତ୍ରୀ ଦାସ ପରାମର୍ଶ ଦେଇଥିଲେ ।

ଏହି ବୈଠକରେ ସୂଚନା ଓ ଲୋକସମ୍ପର୍କ ନିର୍ଦ୍ଦେଶକ କୃପାସିନ୍ଧୁ ମିଶ୍ର, ବୈଷୟିକ ନିର୍ଦ୍ଦେଶକ ନିରଞ୍ଜନ ସେଠୀ, ଯୁଗ୍ମ ନିର୍ଦ୍ଦେଶକ ବିପିନ ବିହାରୀ ବାରିକି, ବରଦା ପ୍ରସନ୍ନ ଦାସ ପ୍ରମୁଖ ଉପସ୍ଥିତ ଥାଇ ବିଭିନ୍ନ ତଥ୍ୟ ଉପସ୍ଥାପନ କରିଥିଲେ ।

Comments are closed.