Odisha Link
Bridging the Missing Links in Odisha

ଭକ୍ତର ବଂଶବୃଦ୍ଧି ଓ ବିକାଶ

ଶୁଭ୍ରାଂଶୁ ପଣ୍ଡାଙ୍କ ସ୍ତମ୍ଭ ଶୁଭସ୍ବର

ଭକ୍ତର ବଂଶବୃଦ୍ଧି ଓ ବିକାଶ

ଅଦ୍ବେଷ୍ଟା ସର୍ବଭୂତାନାଂ ମୈତ୍ରଃ କରୁଣ ଏବ ଚ
ନର୍ମମୋ ନିରହଂକାର ସମଦୁଃଖସୁଖଃ କ୍ଷମୀ ।।
ସନ୍ତୁଷ୍ଟଃ ସତତଂ ଯୋଗୀ ୟତାତ୍ମା ଦୃଢ଼ନିଶ୍ଚୟଃ
ମୟ୍ୟର୍ପିତମନୋବୁଦ୍ଧିର୍ୟୋ ମଦ୍‌ଭକ୍ତଃ ସ ମେ ପ୍ରିୟଃ ।।

ଶ୍ରୀମଦ୍‌ ଭଗ୍‌ବଦ୍‌ ଗୀତା ଭକ୍ତିଯୋଗ ଦ୍ବାଦଶ ଅଧ୍ୟାୟରେ ପ୍ରିୟ ଭକ୍ତର ସଜ୍ଞା ନିରୁପଣ କରିବାକୁ ଯାଇ ହିନ୍ଦୁମାନଙ୍କର ଆରାଧ୍ୟ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହୁଛନ୍ତି- ସେହି ଭକ୍ତ ମୋର ପ୍ରିୟ ଯିଏ କୌଣସି ଜୀବ ପ୍ରତି ବିଦ୍ବେଷ ରଖିନଥାଏ, ଯିଏ ସମସ୍ତଙ୍କ ପାଇଁ ମିତ୍ରଭାବ ରଖିଥାଏ ଓ ଦୟାଳୁ ହୋଇଥାଏ; ଯିଏ ସମ୍ପତ୍ତି ପ୍ରତି ନିରାସକ୍ତ ଓ ଅହଂକାର ମୁକ୍ତ ରହିଥାଏ, ସୁଖ ଓ ସଙ୍କଟ ଉଭୟ ପରିସ୍ଥିତିରେ ଯିଏ ସ୍ଥିର ରହେ, ଯିଏ ସର୍ବଦା କ୍ଷମାଶୀଳ ହୋଇଥାଏ। ଯିଏ ସର୍ବଦା ସନ୍ତୁଷ୍ଟ ଥାଏ, ଭକ୍ତିରେ ସର୍ବଦା ମଜ୍ଜି ରହିଥାଏ, ଆତ୍ମନିୟନ୍ତ୍ରିତ ରହିଥାଏ, ଯାହା ଭିତରେ ଆତ୍ମବିଶ୍ବାସ ଭରିଥାଏ ଏବଂ ଯିଏ ମନ ଓ ବୁଦ୍ଧିରେ ମୋ ପ୍ରତି ସମର୍ପିତ ରହିଥାଏ ସେ ହିଁ ମୋର ପ୍ରିୟ ଭକ୍ତ।

ଏହା ଭିନ୍ନ ଗୀତାରେ ଭକ୍ତର କରୁଣା, କୃପାଳୁ, ଶାନ୍ତ, ଶୁଦ୍ଧ, ସତ୍ୟବାଦୀତା, ବଦାନ୍ୟତା ଓ କ୍ଷମା ଭଳି ୩୫ଟି ଗୁଣର ବର୍ଣ୍ଣନା ରହିଛି। ଅର୍ଥାତ୍‌ ଅସଲ ଭକ୍ତ ସର୍ବଦା ଅନ୍ୟ ପ୍ରତି ଦୟା ଓ ପ୍ରେମ ଭାବ ଦେଖାଇବା ସହ କ୍ରୋଧ ପରିହାର କରି ସ୍ଥିତପ୍ରଜ୍ଞ ହେବା କଥା।

କିନ୍ତୁ ବର୍ତ୍ତମାନ ସମାଜରେ ଭକ୍ତ କହିଲେ ଅନ୍ଧ ଭକ୍ତଙ୍କୁ ହି ବୁଝାଉଛି। ଗୋଟିଏ ଗୋଷ୍ଠୀ, ଦଳ, ମତବାଦ ବା ବ୍ୟକ୍ତିକୁ ଅନ୍ଧ ଭାବରେ ସମର୍ଥନ କରିବା ସହ ଏହାକୁ ବିରୋଧ କରୁଥିବା ଗୋଷ୍ଠୀ, ଦଳ, ମତବାଦ ବା ବ୍ୟକ୍ତିକୁ ଅନ୍ଧ ଭାବରେ ବିରୋଧ କରିବା ହେଉଛି ବର୍ତ୍ତମାନ ଭକ୍ତର ବଡ଼ଗୁଣ। ଏ ଭକ୍ତମାନେ କୌଣସି ନିର୍ଦ୍ଦିଷ୍ଟ ଧର୍ମ, ଧାରଣା ବା ମତବାଦରେ ଆଉ ସୀମିତ ହୋଇ ରହିନାହାନ୍ତି। ସବୁ ରାଜନୈତିକ ଦଳ, ସବୁ ଧର୍ମ, ସବୁ ବିଚାର ପଛରେ ଏମିତି କିଛି ଭକ୍ତଙ୍କର ଅନ୍ଧ ସମର୍ଥନ ରହିଛି।

ଭାରତୀୟ ରାଜନୈତିକ ପ୍ରେକ୍ଷାପଟରେ ଯଦିଓ ଏହି ଭକ୍ତ ଶବ୍ଦକୁ ଗୋଟିଏ ନିର୍ଦ୍ଦିଷ୍ଟ ଦଳ ସହ ଯୋଡ଼ାଯାଉଛି, ଅସଲରେ ଅନ୍ଧ ଭକ୍ତିଭାବର ଧାରା ଏବେ ସବୁ ଦଳ ଆଉ ସବୁ ପନ୍ଥୀଙ୍କୁ ସଂଚରିଗଲାଣି। ସୋସିଆଲ୍‌ ମିଡିଆରୁ ଆହରିତ ଜ୍ଞାନରେ ବଳିୟାନ୍‌ ଏହି ଭକ୍ତମାନେ ଅସଲ ଘଟଣା ବିଷୟରେ ତର୍ଜମା ନକରି ତର୍କକୁ ଡେଇଁପଡ଼ିବାର ସାହସ ରଖନ୍ତି। ଆପଣ ସେମାନଙ୍କ ସହ ଏକମତ ନୁହନ୍ତି ଅର୍ଥ ଆପଣ ସେମାନଙ୍କର ଶତ୍ରୁ। ଏହା ହିଁ ଭକ୍ତମାନଙ୍କର ଚିନ୍ତାଧାରା। ଗୋଟିଏ ଗୋଷ୍ଠୀ ସହ ଆପଣ କୌଣସି ପ୍ରସଙ୍ଗରେ ଏକମତ ହେଲେ, ଅପର ଗୋଷ୍ଠୀ ଆପଣଙ୍କୁ ମନୁବାଦୀ, ସଂକୀର୍ଣ୍ଣ ମାନସିକତାର ବ୍ୟକ୍ତି କହିବା ସହ ଆପଣ ଯେ ଧର୍ମ ନିରପେକ୍ଷ ନୁହନ୍ତି ତାହା ମଧ୍ୟ ପ୍ରମାଣ କରିଦେବେ। ଯଦି ଅନ୍ୟ କୌଣସି ପ୍ରସଙ୍ଗରେ ଆପଣ ଅପର ଗୋଷ୍ଠୀ ସହ ଏକମତ ହେଲେ ତେବେ ଆପଣଙ୍କୁ ଏ ଗୋଷ୍ଠୀ ଦେଶଦ୍ରୋହୀ, ଟୁକୁଡ଼ା ଟୁକୁଡ଼ା ଗ୍ୟାଙ୍ଗ୍, ବିକାଶବିରୋଧୀ କହିବା ସହ ପାକିସ୍ତାନର ଦରଜା ଦେଖାଇବାକୁ ପଛାଇବେ ନାହିଁ।

ମୋ ବ୍ୟକ୍ତିଗତ ଜୀବନରେ ଏ ଦୁଇ ମୌଲବାଦୀ ଗୋଷ୍ଠୀଙ୍କୁ ମୁଁ ବାରମ୍ବାର ସାମନା କରିଛି। ଦୁଇଟି ମାତ୍ର ଉଦାହରଣ ଦେବି।

ଉଦାହରଣ ୧: ୨୦୧୯ ସାଧାରଣ ନିର୍ବାଚନର ବେଶ୍‌ ପୂର୍ବରୁ କଟକ ଉପର ବାଲିଯାତ୍ରା ପଡ଼ିଆରେ କୌଣସି ଏକ ସାଧାରଣ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେଇଥାଆନ୍ତି। ସାମ୍ବାଦିକ ଗ୍ୟାଲେରୀରେ ଏ ଅଧମ ଚଉକିଟିଏ ପାଇଥାଏ। ଦୀର୍ଘ ପ୍ରତୀକ୍ଷା ପରେ ମୋଦୀ ସଭାସ୍ଥଳରେ ପହଞ୍ଚିଲେ ଓ ଭାଷଣ ଝାଡ଼ିଲେ। ଭାଷଣରେ ସେ କଟକ ସହର ସହ ଜଡ଼ିତ ବହୁ ମନିଷୀଙ୍କ ନାମ ନେଲେ କେବଳ ବିଜୁ ପଟ୍ଟନାୟକଙ୍କୁ ଛାଡ଼ି। ସଭା ଶେଷ ହେବା ପରେ ମୁଁ ଫେସ୍‌ବୁକ୍‌ରେ ଲେଖିଲି- ମୋଦୀ ଭଲ ଭାଷଣ ଦେଇ ଜାଣନ୍ତି, ଆଜି କିନ୍ତୁ ତାଙ୍କ ଭାଷଣ ଭଲ ଲାଗିଲାନି। ସଙ୍ଗେ ସଙ୍ଗେ ମୋ ବନ୍ଧୁ ତାଲିକାରେ ଥିବା ଜଣେ ଭକ୍ତ, ଯିଏ ସେତେବେଳେ ମୋଦିଙ୍କ ଦଳ ସମର୍ଥନରେ ସୋସିଆଲ ମିଡିଆ ଉଛୁଳାଇ ଦେଉଥିଲେ, ମନ୍ତବ୍ୟ ଦେଲେ- ତମେ ଦେଶଦ୍ରୋହୀ, ପାକିସ୍ତାନ ପଳାଅ।

ଉଦାହରଣ ୨: ନିକଟରେ ଜଣେ ସାମ୍ବାଦିକଙ୍କୁ ସାଂସଦ-ଅଭିନେତା ଅନୁଭବ ମହାନ୍ତି ଦୁର୍ବ୍ୟବହାର ଘଟଣାରେ ରାଜ୍ୟ ବ୍ୟାପୀ ବିରୋଧ ହୋଇଥିଲା। ପରେ ସାଂସଦ ମହୋଦୟ କ୍ଷମା ମଧ୍ୟ ମାଗିଲେ। ତେବେ କ୍ଷମାମାଗିବାର ଶୈଳୀଟି ମୋର ପସନ୍ଦ ହେଲାନାହିଁ ଓ ସିନେମା ସଂଳାପ ପରି ମନେ ହେଉଛି ବୋଲି ମୁଁ ଫେସବୁକରେ ଲେଖିଲି। ଆଶ୍ଚର୍ଯ୍ୟ, କଲେଜ ହଷ୍ଟେଲରେ ମୋ ସହ ଏକାଠି ଗୋଟିଏ କୋଠରୀରେ ରହୁଥିବା ମୋର ଜଣେ ଅତି ଘନିଷ୍ଟ ବନ୍ଧୁ, ଯିଏ ସାଂସଦଙ୍କ ଦଳର ସପକ୍ଷରେ ଅନେକ ବାର ଲେଖନ୍ତି, ମୋତେ ମନ୍ତବ୍ୟ ଦେଲେ ଯେ ଆମେ ସାମ୍ବାଦିକମାନେ କାଳେ ସେ ସାଂସଦଙ୍କୁ ସଫ୍ଟ ଟାର୍ଗେଟ୍‌ କରୁଛୁ। କେବଳ ସେତିକି ନୁହେଁ, ମୋତେ ଓ ଅନ୍ୟ ସାମ୍ବାଦିକମାନଙ୍କ ପ୍ରତି କଟୁ ମନ୍ତବ୍ୟ ସହ ସେମାନଙ୍କ ଚରିତ୍ର ସଂହାର କରିବା ଆରମ୍ଭ କରିଦେଲେ। ଶେଷରେ ତମେ ଠିକ ବୋଲି କହି ମୁଁ ଓହରି ଯିବାକୁ ବସିଥିବା ବେଳେ ‘ଜୟ ଶ୍ରୀରାମ୍’ ଲେଖି ପରୋକ୍ଷରେ ମୁଁ କାଳେ ଅପର ଗୋଷ୍ଠୀର ଭକ୍ତ ବୋଲି ସେ ଟିହାଇବାକୁ ମଧ୍ୟ ପଛାଇଲେ ନାହିଁ।

ଉପରୋକ୍ତ ଦୁଇ ଜଣ ଦୁଇଟି ଭିନ୍ନ ଭିନ୍ନ ରାଜନୈତିକ ଦଳର ଅନ୍ଧ ସମର୍ଥକ ବୋଲି କହିବାରେ ଆପତ୍ତି ନାହିଁ। କିନ୍ତୁ ଅନ୍ୟର ସ୍ବାଧୀନ ମତବ୍ୟକ୍ତ ଦେବାର ଅଧିକାରକୁ ମଧ୍ୟ ଏମାନେ ସହ୍ୟ କରିପାରନ୍ତି ନାହିଁ। ସେମାନଙ୍କ ଚଷମାରେ ପୃଥିବୀ ଯେଉଁରୂପ ପାଇଛି ଆପଣ ଯଦି ପୃଥିବୀକୁ ସେହି ରୂପରେ ଦେଖିପାରୁନାହାନ୍ତି ତା ହେଲେ ଆପଣଙ୍କୁ ସେମାନେ ଅପମାନ ଓ ଲାଞ୍ଚନା ଦେବେ, ଆପଣଙ୍କ ସାମାଜିକ ପରିଧି ଭିତରକୁ ଧସେଇ ପଶି ଆପଣଙ୍କୁ ଭୁଲ ପ୍ରମାଣିତ କରିବାକୁ ଚେଷ୍ଟା କରିବେ।

ଏମାନେ ନିଜର ଭକ୍ତପଣକୁ ଜାହିର କରିବା ପାଇଁ ଅପର ପ୍ରତି ବିଦ୍ବେଷ, ଘୃଣା, ହିଂସା, ଅବିଶ୍ବାସ ଓ ମିଥ୍ୟାକୁ ଅସ୍ତ୍ର ଭାବରେ ବ୍ୟବହାର କରୁଛନ୍ତି। ପରସ୍ପର ବିରୋଧୀ ମିଥ୍ୟା ଓ ଘୃଣାର ପଲଟଣ ଭିତରେ ସତ୍ୟ ଏବେ ନିଜର ସତ୍ତା ହରାଇବାକୁ ବସିଛି। ବିଚରା ସାଧାରଣ ଜନତା ଦେଶ ଓ ଆପଣା ପରିବାର କଥା ନ ଭାବି କେଉଁ ଗୋଷ୍ଠୀକୁ ବିରୋଧ କରିବ କାହାକୁ ସମର୍ଥନ କରିବ ସେ ନେଇ ଚିନ୍ତାରେ। କାରଣ ଆପଣ ଯଦି ନିଜକୁ ନିରପେକ୍ଷ ରଖି ଉଭୟ ପକ୍ଷ ଠାରୁ ଦୂରେଇ ରହିବାକୁ ଚେଷ୍ଟା କଲେ ତେବେ ଏପଟୁ ଓ ସେପଟୁ ଉଭୟ ପକ୍ଷରୁ ଖେଞ୍ଚା ଖାଇବାର ସମ୍ଭାବନା ଅଛି। ନା ଆପଣ ଦେଶଭକ୍ତ ବୋଲାଇ ପାରିବେ, ନା ନିଜକୁ ଧର୍ମନିପେକ୍ଷ କହିପାରିବେ। ଭକ୍ତଗଣଙ୍କର ଏ ଖଣ୍ଡଯୁଦ୍ଧରେ ଏବେ ଦେଶଭକ୍ତି ଓ ଧର୍ମନିରପେକ୍ଷତା ଦୁଇଟି ପରସ୍ପର ବିପରୀତବୋଧ ଶବ୍ଦ ହୋଇ ଉଭା ହୋଇଛନ୍ତି।

ନାଗରିକତା ସଂଶୋଧନ ଆଇନ (ସିଏଏ) ୨୦୧୯ ସମ୍ପର୍କିତ କେତେକ ଭିଡିଓ ଦେଖୁଥିଲି। କଂଗ୍ରେସ୍‌ର ଜଣେ ବଡ଼ ନେତା କହୁଛନ୍ତି, ସିଏଏ ଗରିବ ବିରୋଧୀ। ପ୍ରତିବାଦ ସଭାରେ ଭାଗ ନେଇଥିବା ଅନେକ ବ୍ୟକ୍ତି ସିଏଏର ପୂର୍ଣ୍ଣ ଅର୍ଥ କହି ପାରୁ ନଥିବା ବେଳେ ଏହି ବିଲ୍‌କୁ ନେଇ ଅତ୍ୟନ୍ତ ହାସ୍ୟାସ୍ପଦ ମନ୍ତବ୍ୟମାନ ଦେଉଛନ୍ତି। ତେବେ ଏସବୁ ଭିଡିଓକୁ ସୋସିଆଲ ମିଡିଆରେ ଛାଡ଼ିଥିବା ବ୍ୟକ୍ତି ବିରୋଧରେ ଅପର ଗୋଷ୍ଠୀ ଯେଉଁଭଳି ଚରିତ୍ର ସଂହାର ପାଇଁ ଲାଗିଛନ୍ତି ତାହା ହିଁ ସବୁଠାରୁ ଦୁଃଖର ବିଷୟ। ସିଏଏ, ଏନ୍‌ଆର୍‌ସି ସମର୍ଥନରେ ଅଣ୍ଟା ଭିଡ଼ିଥିବା ଅଧିକାଂଶ ଜନତା ଏହାର ଅର୍ଥ ବା ଉଦ୍ଦେଶ୍ୟ ସ୍ପଷ୍ଟ ଜାଣିନଥିବା ବେଳେ ଏହାର ବିରୋଧୀଙ୍କର ମଧ୍ୟ ସମଦଶା। ଭକ୍ତଙ୍କର ମୁଣ୍ଡଟି ମାନ ଶୂନ୍ୟ କରି ସୋସିଆଲ ମିଡିଆ ଓ ହ୍ବାଟ୍ସଆପ୍‌ ବିଶ୍ବବିଦ୍ୟାଳୟରୁ ସେଥିରେ ନୂଆ ଜ୍ଞାନ ଭର୍ତ୍ତି କରାଯାଉଥିବାରୁ ଏଭଳି ଅବସ୍ଥା।

ନିକଟରେ ଜବାହାର ଲାଲ୍‌ ନେହରୁ (ନେଏନ୍‌ୟୁ) ବିଶ୍ବବିଦ୍ୟାଳୟରେ ଦଳେ ଛାତ୍ରଛାତ୍ରୀ ମୁହଁ ଢାଙ୍କି ଅନ୍ୟ ଦଳେଙ୍କୁ ନିର୍ଧୁମ୍‌ ପିଟିଲେ। ବିଭିନ୍ନ ଛାତ୍ରଗୋଷ୍ଠୀ ଏଥିପାଇଁ ପରସ୍ପରକୁ ଦାୟୀ କରୁଥିବା ବେଳେ ସେ ବାବଦରେ ମୁଁ ଏଠାରେ ମନ୍ତବ୍ୟ ଦେବାକୁ ଇଚ୍ଛା କରୁନାହିଁ। ପୁଲିସ ହିଁ ଜଣାଇବ କିଏ ଏହା ପଛରେ ରହିଛି। ତେବେ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ ଜେଏନ୍‌ୟୁ ଯିବା ପରେ ଯେଉଁ ପ୍ରତିକ୍ରିୟା ପ୍ରକାଶ ପାଇଛି, ତାହା ହିଁ ଗୋଟିଏ ଭକ୍ତଗୋଷ୍ଠୀର ମୁଖା ଖସାଇ ଦେଇଛି।

ଦୀପିକା ଜେଏନ୍‌ୟୁରେ କୌଣସି ଭାଷଣ ବା ମନ୍ତବ୍ୟ ଦେଇ ନାହାନ୍ତି। ବରଂ ଆକ୍ରମଣର ଶିକାର ହୋଇଥିବା ଛାତ୍ର ସଂସଦ ସଭାନେତ୍ରୀ ଓ ଅନ୍ୟମାନଙ୍କ ପ୍ରତି ସମବେଦନା ଜଣାଇ ସେମାନଙ୍କୁ ଭେଟିଥିଲେ। ସେ ଏ ଘଟଣା ପାଇଁ କାହାକୁ ଦାୟୀ କରିନାହାନ୍ତି। ବରଂ ଆକ୍ରମଣ ପଛରେ ଯେଉଁମାନେ ଅଛନ୍ତି ତାଙ୍କ ପ୍ରତି କାହିଁକି କାର୍ଯ୍ୟାନୁଷ୍ଠାନ ନିଆ ଯାଉନାହିଁ ବୋଲି ସେ ପରେ ପ୍ରଶ୍ନ କରିଛନ୍ତି। ଅଥଚ ‘ଠାକୁର ଘରେ କିଏ, ମୁଁ କଦଳୀ ଖାଇନି’ ନ୍ୟାୟରେ ହଠାତ ଗୋଟିଏ ଗୋଷ୍ଠୀ ତାଙ୍କ ବିରୋଧରେ ଅପପ୍ରଚାର ଆରମ୍ଭ କରି ଦେଇଛନ୍ତି। ତାଙ୍କ ସିନେମା ନ ଦେଖିବା ପାଇଁ ଭକ୍ତମାନଙ୍କୁ ପ୍ରଚୋଦିତ କରାଯାଉଛି। ସବୁଠୁ ହାସ୍ୟାସ୍ପଦ କଥା ହେଲା, ଗୋଟିଏ କ୍ୟାନ୍ସଲ ଟିକେଟ୍‌ର ଫଟୋ ସେୟାର୍‌ କରି ହଜାର ହଜାର ଭକ୍ତ ଦୀପିକାଙ୍କ ସିନେମା ‘ଛପାକ୍‌’ ଟିକେଟ୍‌ କ୍ୟାନ୍ସଲ କଲେ ବୋଲି ମିଥ୍ୟା ଦାବି କରିଛନ୍ତି।

କେବଳ ସେତିକି ନୁହେଁ, ସିନେମାଟି କେହି ଦେଖି ନଥିବା ବେଳେ ଏହାର କାହାଣୀ ଓ ଚରିତ୍ର ବାବଦରେ ମଧ୍ୟ ଅପପ୍ରଚାର ଆରମ୍ଭ ହୋଇଗଲାଣି। ସିନେମାରେ ଅସଲ ଏସିଡ୍‌ ଆକ୍ରମଣକାରୀ ନଦୀମ ଖାନ୍‌ର ନାମ ବଦଳ କରାଯାଇ ରାଜେଶ ରଖାଯାଇଛି ଓ ଏହା ଗୋଟିଏ ଧର୍ମ ପ୍ରତି ଅପମାନ ବୋଲି ଭକ୍ତଗଣ ମିଥ୍ୟା ତଥ୍ୟ ବାଣ୍ଟିବାରେ ଲାଗିଛନ୍ତି। ଅସଲରେ ସିନେମାନେ ପୀଡ଼ିତାର ପ୍ରେମିକର ନାମ ହେଉଛି ରାଜେଶ ଯେ କି ସତ ଜୀବନରେ ମଧ୍ୟ ଜଣେ ହିନ୍ଦୁ ବୋଲି କୁହାଯାଇଛି। ସେହିପରି ନଦୀମ୍‌ ଖାନ୍‌ ବଦଳରେ ପରଦାରେ ଅପରାଧୀର ନାମ ବାବୁ ଓରଫ୍‌ ବସୀର ଖାନ୍‌ ରଖାଯାଇଛି।

ଯେ ଯାଏଁ ଫେସ୍‌ ବୁକ୍, ଟ୍ବିଟର୍‌ ଆଉ ହ୍ବାଟ୍ସଆପ୍‌ ଜ୍ଞାନର ଗନ୍ତାଘର ସାବ୍ୟସ୍ତ ହେଉଥିବ, ଯେଉଁଠି ଅନ୍ଧ ଭକ୍ତଙ୍କର ତ୍ବରିତ ବେଗରେ ବଂଶବୃଦ୍ଧି ହେବା ସହ ସବୁ ଦଳ, ମତବାଦ ଓ ଗୋଷ୍ଠୀକୁ ସଂଚରିବାରେ ଲାଗିଥିବ ଏବଂ ଯେଉଁଠି ଏ ଭକ୍ତିଧାରାରୁ ଦୂରେଇ ରହିବା ମଧ୍ୟ ବିପଦଜନକ ସାବ୍ୟସ୍ତ ହେଉଥିବ- ସେ ଦେଶରେ ବିକାଶ ଅଦୃଶ୍ୟ ଫୁଲ ହୋଇ ଡିମିରି ଗଛରେ ଝୁଲିବା ସାର ହେବ। ଦଳେ ଦେଶକୁ ଭାଙ୍ଗିବାକୁ ପଥରମାଡ଼ରେ ବ୍ୟସ୍ତ ଥିବେ, ଆଉ ଦଳେ ଦେଶ ପଛେ ଚୁଲିକୁ ଯାଉ ମନ୍ଦିର ସେଇଠି ଗଢ଼ାହେବ ବୋଲି ଧୋତି ଫଟେଇ ନାଚୁଥିବେ। ଗୀତାରେ ବର୍ଣ୍ଣିତ ଅସଲ ଭକ୍ତ ପାଇଁ ଏ ଦେଶରେ ସ୍ଥାନଟିଏ ନଥିବ, ହ୍ବାଟ୍ସଆପ୍‌ ମଣ୍ଡୁକମାନେ ବଂଶ ବଢ଼ାଇ ଚାଲିଥିବେ।

Comments are closed.