Odisha Link
Bridging the Missing Links in Odisha

ରବୀନ୍ଦ୍ର ମଣ୍ଡପରେ ପାଳିତ ହେବ ଜାତୀୟ ମତଦାତା ଦିବସ

ଭୁବନେଶ୍ବର: ଚଳିତ ଜାନୁଆରୀ ୨୫ ତାରିଖରେ ରାଜ୍ୟସ୍ତରୀୟ ଜାତୀୟ ମତଦାତା ଦିବସ ଭୁବନେଶ୍ୱରସ୍ଥ ରବୀନ୍ଦ୍ର ମଣ୍ଡପଠାରେ ମହାସମାରୋହରେ ପାଳନ କରାଯିବ ବୋଲି ଆଜିର ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ନିଆଯାଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ୍‌ ସମ୍ମିଳନୀ କକ୍ଷରେ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଜାତୀୟ ମତଦାତା ଦିବସ ପାଳନ ଅବସରରେ ଆଗାମୀ ପିଢ଼ିର ନୂତନ ଭୋଟରମାନଙ୍କୁ ଭୋଟଦାନ ଅଧିକାର ସଂପର୍କରେ ସଚେତନ କରାଇବା ସହ ଗଣତନ୍ତ୍ରକୁ ମଜଭୁତ୍‌ କରାଇବା ଲକ୍ଷ୍ୟରେ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପ୍ରବନ୍ଧ, ବକ୍ତୃତା, କୁଇଜ୍‌ ଓ ପୋଷ୍ଟର ପ୍ରତିଯୋଗିତାମାନ ଅନୁଷ୍ଠିତ ହେବ।

ବରିଷ୍ଠ ଓ କନିଷ୍ଠ ବିଭାଗରେ ଉଭୟ ଓଡ଼ିଆ ଏବଂ ଇଂରାଜୀ ଭାଷାରେ ପ୍ରତିଯୋଗିତା ହେବ ଓ କୁଇଜ୍‌ ପ୍ରତିଯୋଗିତା ଇଂରାଜୀ ଭାଷାରେ ଅନୁଷ୍ଠିତ ହେବ। ଖୋର୍ଦ୍ଧା ଜିଲ୍ଲାପାଳ ସୀତାଂଶୁ କୁମାର ରାଉତଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଉତ୍କଳ ବିଶ୍ୱବିଦ୍ୟାଳୟ ସହାୟତାରେ ପ୍ରବନ୍ଧ, ବକ୍ତୃତା ଏବଂ କୁଇଜ୍‌ ପ୍ରତିଯୋଗିତା ଅନୁଷ୍ଠିତ ହେବ ଓ ପୋଷ୍ଟର ପ୍ରସ୍ତୁତି ପ୍ରତିଯୋଗିତା ସଂସ୍କୃତି ବିଶ୍ୱବିଦ୍ୟାଳୟ ସହାୟତାରେ ଅନୁଷ୍ଠିତ ହେବ। ଏହି ଅବସରରେ ଜାତୀୟ ସେବା ସଂସ୍ଥା, ସ୍କାଉଟ୍‌ ଓ ଗାଇଡ୍‌ର ଛାତ୍ରଛାତ୍ରୀମାନଙ୍କର ଏକ ଶୋଭାଯାତ୍ରା ମାଷ୍ଟରକ୍ୟାଣ୍ଟିନ୍‌ ଛକରୁ ବାହାରି ରବୀନ୍ଦ୍ର ମଣ୍ଡପଠାରେ ପହଞ୍ଚିବା ପରେ କାର୍ଯ୍ୟକ୍ରମ ଆରମ୍ଭ ହେବ।

ମତଦାନ ଅଧିକାର ଓ ଗଣତନ୍ତ୍ରର ଦୃଢ଼ତା ସଂପର୍କରେ ବ୍ୟାପକ ସଚେତନତା ନିମନ୍ତେ ସହରର ପ୍ରମୁଖ ସ୍ଥାନମାନଙ୍କରେ ବିଏମ୍‌ସି ତରଫରୁ ବଡ଼ ବଡ଼ ହୋଡିଂ ଲଗାଯିବ ବୋଲି ବୈଠକରେ ସ୍ଥିର କରାଯାଇଛି। ଅନ୍ୟମାନଙ୍କ ମଧ୍ୟରେ ଏହି ବୈଠକରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଡ. ଅଭୟ କୁମାର ନାୟକ, ଖୋର୍ଦ୍ଧା ଜିଲ୍ଲାପାଳ ସୀତାଂଶୁ କୁମାର ରାଉତ, ଭୁବନେଶ୍ୱରର ଅତିରିକ୍ତ ଡିସିପି ଡି.ସି. ନନ୍ଦ, ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ ଅରୁଣ କୁମାର ବେହେରା, ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ ଶତ୍ରୁଘ୍ନ କର, ଉପମୁଖ୍ୟ ନିର୍ବାଚନ ଅଧିକାରୀ ନୀତିରଞ୍ଜନ ସେନ୍‌, ଭୁବନେଶ୍ୱର ମୁନିସି ପାଲିଟିର ଡେପୁଟୀ କମିଶନର ସନ୍ତୋଷ ପ୍ରହରାଜ, ଭୁବନେଶ୍ୱର ଉପ ଜିଲ୍ଲାପାଳ ଦେବବ୍ରତ ସାହୁ, ଭୁବନେଶ୍ୱର ଏସିପି (ଟ୍ରାଫିକ୍‌) ସ୍ୱସ୍ତିକ ପଣ୍ଡା, ଉତ୍କଳ ସଂଗୀତ ମହାବିଦ୍ୟାଳୟର ଅଧ୍ୟକ୍ଷ, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଜାତୀୟ ସେବାସଂସ୍ଥାର କାର୍ଯ୍ୟକ୍ରମ ସଂଯୋଜକକ, ଉତ୍କଳ ବିଶ୍ୱବିଦ୍ୟାଳୟର ଜାତୀୟ ସେବାସଂସ୍ଥାର କାର୍ଯ୍ୟକ୍ରମ ସଂଯୋଜଜକ, ଭୁବନେଶ୍ୱର ବ୍ଲକ୍‌ ଶିକ୍ଷା ଅଧିକାରୀ, ଖୋର୍ଦ୍ଧା ଡେପୁଟୀ କଲେକ୍‌ଟର କୁମୁଦିନୀ ସୁବୁଦ୍ଧି, ସୂଚନା ଅଧିକାରୀ ପ୍ରଫୁଲ୍ଲ କୁମାର ମଲ୍ଲିକ, ପି.କେ. ମହାରଣା ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.