Odisha Link
Bridging the Missing Links in Odisha

ସିଏଏ: ବିରୋଧୀଙ୍କ ମେଳି, ଆସିବେନି ମମତା ଓ ମାୟାବତୀ

ନୂଆଦିଲ୍ଲୀ: ଜାନୁଆରୀ ୧୦ ତାରିଖରେ ସାରା ଦେଶରେ ବିଧିବଦ୍ଧ ଭାବେ ନାଗରିକତା ସଂଶୋଧନ ଆଇନ୍‌ ଲାଗୁ କରାଯାଇଛି। ଏନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ଏହାକୁ ଆଧାର କରି ଅର୍ଥାତ୍‌ ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ଆଜି ଦିଲ୍ଲୀଠାରେ ବିରୋଧୀଙ୍କ ବୈଠକ ହେଉଛି। ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ ଏହି ବୈଠକରେ ସିଏଏ ପ୍ରସଙ୍ଗ ବିରୋଧୀ ଏକତାର ବାର୍ତ୍ତା ଦିଆଯିବ ବୋଲି ଚର୍ଚ୍ଚା ହେଉଛି।

ଅନ୍ୟପଟେ ସିଏଏ ଓ ଏନଆରସିକୁ ନେଇ ବିରୋଧୀ ଏକଜୁଟତାରେ ଫାଟ ଦେଖାଦେଇଛି। କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଡାକିଥିବା ଏହି ବୈଠକରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ବିଏସପି ସୁପ୍ରିମୋ ମାୟାବତୀ ଆଜିର ବୈଠକରେ ସାମିଲ ହେଉ ନାହାନ୍ତି।

ମମତା ବାନାର୍ଜୀ ପଶ୍ଚିମବଙ୍ଗରେ ଭାରତ ବନ୍ଦ ସମୟରେ କଂଗ୍ରେସ ଓ ବାମ ଦଳ ହିଂସାକାଣ୍ଡ ଭିଆଇଥିବା ଅଭିଯୋଗ ଆଣି ବୈଠକକୁ ବହିଷ୍କାର କରିଛନ୍ତି। ନୂଆ ଦିଲ୍ଲୀରେ ହେବାକୁ ଥିବା ସମାନ ବିଚାରଧାରା ରଖୁଥିବା ବିରୋଧୀ ଦଳଙ୍କ ବୈଠକରେ ସିଏଏ ଓ ଏନଆରସି ପ୍ରସଙ୍ଗରେ ବିଶଦ ଭାବେ ବିଚାର ବିମର୍ଶ କରାଯିବ। ବଜେଟ ଅଧିବେଶନରେ ମୋଦି ସରକାରଙ୍କୁ ଉଭୟ ସଂସଦ ଓ ସଡକରେ ଘେରାଉ କରିବା ପାଇଁ ସମସ୍ତ ଦଳକୁ ସାଙ୍ଗରେ ନେବାକୁ କଂଗ୍ରେସ ଉଦ୍ୟମ କରିବ। ଏହାଛଡା ବିରୋଧୀ ଦଳଙ୍କ ଏହି ବୈଠକ ପରେ କଂଗ୍ରେସ ସିଏଏ, ଏନଆରସିକୁ ନେଇ ଜନସଂପର୍କ ଅଭିଯାନର ରୂପରେଖ ମଧ୍ୟ ପ୍ରସ୍ତୁତ କରିବ ବୋଲି କୁହାଯାଉଛି।

Comments are closed.