Odisha Link
Bridging the Missing Links in Odisha

ଅରୁଣ ବୋଥ୍ରାଙ୍କୁ ଟାର୍ଗେଟ୍‌ କଲେ ପୁଞ୍ଜିଲାଲଙ୍କ ପତ୍ନୀ

ବଲାଙ୍ଗୀର : ପୁଣିଥରେ ଚର୍ଚ୍ଚାକୁ ଆସିଛି ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣା। ଏହି ମାମଲାର ମାଷ୍ଟରମାଇଣ୍ଡ ପୁଞ୍ଜିଲାଲ ମେହେରଙ୍କ ପତ୍ନୀ ଏବେ ଟାର୍ଗେଟ୍‌ କରିଛନ୍ତି ଅରୁଣ ବୋଥ୍ରାଙ୍କୁ। ଆଇପିଏସ୍‌ ଅଫିସର ଅରୁଣ ବୋଥ୍ରାଙ୍କୁ ଆଇନଗତ ନୋଟିସ୍‌ ପଠାଇଛନ୍ତି ପୁଞ୍ଜିଲାଲଙ୍କ ପତ୍ନୀ ସୌଦାମିନୀ ମେହେର। ଶ୍ରୀ ବୋଥ୍ରାଙ୍କୁ ‘ପାଟଣାଗଡ଼’ ସିନେମାର ପ୍ରମୋଟର ଭାବେ ଚିତ୍ରଣ କରିବା ସହ ୧୫ ଦିନ ମଧ୍ୟରେ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିବାକୁ ସେ କହିଛନ୍ତି। କ୍ଷମା ପ୍ରାର୍ଥନା ନ କଲେ ୨୦ ଲକ୍ଷ ଟଙ୍କାର ମାନହାନି କ୍ଷତିପୂରଣର ଚେତାବନୀ ଦେଇଛନ୍ତି ପୁଞ୍ଜିଲାଲଙ୍କ ପତ୍ନୀ। ଏହି ନୋଟିସ୍‌ ଉପରେ କାର୍ଯ୍ୟାନୁଷ୍ଠନ ପାଇଁ ସେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ମଧ୍ୟ ଅନୁରୋଧ କରିଥିବା ବେଳେ ସ୍ବରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ରାଜ୍ୟ ଗୃହ ସଚିବଙ୍କୁ ଏ ସଂପର୍କରେ ଅନୁଧ୍ୟାନ ପାଇଁ ଚିଠି ଆସିଥିବା ମଧ୍ୟ ଜଣାପଡ଼ିଛି। ଏହି ଘଟଣା ଏବେ ବିଭିନ୍ନ ମହଲରେ ଚର୍ଚ୍ଚାର ବିଷୟ ହୋଇଛି।

ଅନ୍ୟପକ୍ଷରେ ସୌଦାମିନୀଙ୍କ ଅଭିଯୋଗକୁ ଦୃଢ଼ ଭାବେ ଖଣ୍ଡନ କରିଛନ୍ତି ଶ୍ରୀ ବୋଥ୍ରା। ଏ ସଂପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ବୋଥ୍ରା କହିଛନ୍ତି ପାଟଣାଗଡ଼ ଘଟଣାରେ ସେ କେବଳ ଜଣେ ପୁଲିସ ଅଧିକାରୀଭାବେ ତାଙ୍କ ତଦନ୍ତକାର୍ଯ୍ୟ କରିଛନ୍ତି। ପାଟଣାଗଡ଼ ଫିଲ୍ମ ସହ ତାଙ୍କର କୌଣସି ପ୍ରକାର ସଂପର୍କ ନାହିଁ। ସୌଦାମିନୀଙ୍କ ନୋଟିସ୍‌ ସେ ପାଇଛନ୍ତି ଓ ଏହା ଉପରେ ଆଇନ ଅନୁସାରେ କାର୍ଯ୍ୟ କରିବେ ବୋଲି ଶ୍ରୀ ବୋଥ୍ରା ସୂଚନା ଦେଇଛନ୍ତି।

Comments are closed.