Odisha Link
Bridging the Missing Links in Odisha

ଘରୋଇ କମ୍ପାନୀ ହାତକୁ ଯିବ ଭୁବନେଶ୍ବର ବିମାନବନ୍ଦର!

ଭୁବନେଶ୍ବର: ଭୁବନେଶ୍ବରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ଓ ଦେଶର ଆଉ ୫ଟି ବିମାନବନ୍ଦରର ଘରୋଇକରଣ କରାଯିବାକୁ ପ୍ରସ୍ତାବ ରଖିଛି ଏୟାରପୋର୍ଟ ଅଥରିଟି ଅଫ୍‌ ଇଣ୍ଡିଆ (ଏଏଆଇ)। ଏ ନେଇ ଆଜି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଏଏଆଇର ନବନିଯୁକ୍ତ ଅଧ୍ୟକ୍ଷ ଅରବିନ୍ଦ ସିଂହ।

ଏକ ଜାତୀୟ ଗଣମାଧ୍ୟମ ସଂସ୍ଥାକୁ ଶ୍ରୀ ସିଂହ କହିଛନ୍ତି ଯେ ଅତିରିକ୍ତ ୬ଟି ବିମାନବନ୍ଦରକୁ ଘରୋଇକରଣ କରାଯିବା ନିମନ୍ତେ ଗତ ବର୍ଷ ଠାରୁ କେନ୍ଦ୍ରକୁ ସୁପାରିଶ୍‌ ପଠାଯାଇଛି। ଏହି ୬ଟି ବିମାନବନ୍ଦର ହେଉଛି- ଭୁବନେଶ୍ବର, ଅମୃତସର, ବାରଣାସୀ, ଇନ୍ଦୋର, ରାୟପୁର ଓ ତ୍ରିଚି। ଘରୋଇକରଣ ଦ୍ବାରା ଏଏଆଇର ଖର୍ଚ୍ଚ କମିବ ବୋଲି ସେ କହିଛନ୍ତି। ବିନା କୌଣସି କର୍ମଚାରୀ ନିଯୁକ୍ତି କରି ଏଏଆଇ ଏହା ଦ୍ବାରା ରାଜସ୍ବ ହାସଲ କରିପାରିବ ଓ ଏହି ଅର୍ଥକୁ ଅନ୍ୟଦିଗରେ ଖର୍ଚ୍ଚ କରାଯାଇପାରିବ ବୋଲି ସିଂହ ମତ ରଖିଛନ୍ତି।

ସେ ପୁନଶ୍ଚ କହିଛନ୍ତି ଯେ ଭାରତରେ ବିମାନବନ୍ଦର ଘରୋଇକରଣ ହେବା ନୂଆକଥା ନୁହେଁ। ୨୦୦୫-୦୬ରେ ପ୍ରଥମେ ମୁମ୍ବାଇ ଓ ଦିଲ୍ଲୀ ବିମାନବନ୍ଦର ଘରୋଇ କମ୍ପାନୀକୁ ଦିଆଯାଇଥିଲା। ବାଙ୍ଗାଲୋର, ହାଇଦ୍ରାବାଦ ଓ ଅନ୍ୟ କେତକ ସ୍ଥାନରେ ଘରୋଇ ସଂସ୍ଥା ଦ୍ବାରା ନୂଆ ବିମାନବନ୍ଦର ତିଆରି ଚାଲିଛି। ପଶ୍ଚିମବଙ୍ଗର ଦୁର୍ଗାପୁର ବିମାନବନ୍ଦର ମଧ୍ୟ ଘରୋଇ ସଂସ୍ଥା ଦ୍ବାରା ପ୍ରସ୍ତୁତ ହେଉଛି।

ସୂଚନାଯୋଗ୍ୟ, ବିମାନବନ୍ଦର ଭାବେ ଭୁବନେଶ୍ବର ଅନ୍ତର୍ଜାତୀୟ ବିମାନବନ୍ଦରର ସଫଳତା ତାଲିକା ବେଶ୍‌ ପ୍ରେରଣାଦାୟକ। ୨୦୧୮ ମସିହା ପାଇଁ ଏହି ବିମାନବନ୍ଦର ୨୦ରୁ ୫୦ ଲକ୍ଷ ଯାତ୍ରୀ ବିଭାଗରେ ଏୟାରପୋର୍ଟ କାଉନ୍ସିଲ ଇଣ୍ଟରନାସନାଲ ଠାରୁ ଶ୍ରେଷ୍ଠ ବିମାନବନ୍ଦର ଭାବେ ପୁରସ୍କୃତ ହୋଇଛି।

ମୁମ୍ବାଇ ବିମାନ ବନ୍ଦର ଜିଭିକେ ନାମକ ଘରୋଇ କମ୍ପାନୀ ଦ୍ବାରା ପରିଚାଳିତ ହେଉଥିବା ବେଳେ ଦିଲ୍ଲୀ, ହାଇଦ୍ରାବାଦ୍‌ ଓ ଗୋଆ ବିମାନବନ୍ଦର ଜିଏମ୍‌ଆର୍‌ ଦ୍ବାରା ପରିଚାଳିତ।

Comments are closed.