ଦ୍ୱିତୀୟ ଦିନରେ ସେସୁର ବିଦ୍ୟୁତ୍ କାଟ୍ ପ୍ରକ୍ରିୟା ଜାରି

ଭୁବନେଶ୍ବର: ଆଜି ଦ୍ୱିତୀୟ ଦିନରେ ବି ଜାରି ରହିଛି ସେସୁ ପକ୍ଷରୁ ବିଦ୍ୟୁତ୍ କାଟ୍ ପ୍ରକ୍ରିୟା। ବକେୟା ବିଦ୍ୟୁତ୍ ବିଲ୍ ପଇଠ କରିନଥିବା ଉପଭୋକ୍ତାଙ୍କ ବିଦ୍ୟୁତ୍ ସଂଯୋଗ କାଟୁଛି ସେସୁ। ବହୁ ଉପଭୋକ୍ତା ବକେୟା ବିଲର ୩୦ ପ୍ରତିଶତ ଦେଇ ବାକି ଟଙ୍କା କିସ୍ତିରେ ଶୁଝିବାକୁ କହିଥିବାବେଳେ, ସେସୁ ନିଜ ନିଷ୍ପତ୍ତିରେ ଅଟଳ ରହିଛି। ସେସୁ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ପ୍ରଥମ ଦିନରେ ୧୫୪୫ ଜଣ ଉପଭୋକ୍ତାଙ୍କ ବିଦ୍ୟୁତ ସଂଯୋଗ କଟାଯାଇଥିବା ବେଳେ ବକେୟା ବିଲ ବାବଦରେ ୧୪ ହଜାର ଉପଭୋକ୍ତା ୫ କୋଟି ୩୮ ଲକ୍ଷରୁ ଅଧିକ ଟଙ୍କା ପଇଠ କରିଛନ୍ତି। ସୂଚନା ମୁତାବକ ବିଦ୍ୟୁତ୍ ବିତରକ କମ୍ପାନୀଙ୍କ ଉପରେ ୭୬୫୬ କୋଟି ଟଙ୍କା ବାକି ରହିଛି।
ପୁରୀରେ ସବୁଠୁ ଅଧିକ ବକେୟା ବିଲ୍ ଆଦାୟ ହୋଇଥିବା ବେଳେ କଟକ ସହରର ମଧୁପାଟଣା, ବାଦାମବାଡ଼ି, ଦୋଳମୁଣ୍ଡାଇ ଓ ବକ୍ସି ବଜାର ଅଞ୍ଚଳରେ ବକେୟା ବିଲ ପୈଠ କରିନଥିବା ଅନେକ ବ୍ୟାବସାୟିକ ପ୍ରତିଷ୍ଠାନଗୁଡ଼ିକର ବିଦ୍ୟୁତ୍ କାଟ କରିଛି ସେସୁ। ପ୍ରଥମେ କମର୍ସିଆଲ ଉପଭୋକ୍ତା ଓ କ୍ଷମତା ଥାଇ ମଧ୍ୟ ଯେଉଁ ଘରୋଇ ଉପଭୋକ୍ତା ବିଲ୍ ପେମେଣ୍ଟ କରୁନାହାନ୍ତି ସେମାନଙ୍କ ବିଦ୍ୟୁତ୍ କାଟ୍ ହେବ ବୋଲି ସେସୁ ପକ୍ଷରୁ ସୂଚନା ଦିଆଯାଇଥିଲା।