Odisha Link
Bridging the Missing Links in Odisha

କେନ୍ଦ୍ରୀୟ ସହାୟତା ପାଇଁ ଆଧାର ବାଧ୍ୟତାମୂଳକ

ନୂଆଦିଲ୍ଲୀ: ଆତଙ୍କବାଦୀ ଆକ୍ରମଣ ଶିକାର କିମ୍ବା ସାମ୍ପ୍ରଦାୟିକ ହିଂସାର ଶିକାର ହୋଇଥିବା ଲୋକମାନଙ୍କର ପରିବାରବର୍ଗଙ୍କୁ କେନ୍ଦ୍ରୀୟ ଆର୍ଥିକ ସହାୟତା ପାଇଁ ଆଧାରର ଆବଶ୍ୟକ ହେବ। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଏନେଇ ଏକ ବିଜ୍ଞପ୍ତି ଜରି କରାଯାଇଛି। ଆତଙ୍କବାଦୀ ଆକ୍ରମଣ ଶିକାର ହୋଇଥିବା ବ୍ୟକ୍ତିର ପରିବାରର ସଦସ୍ୟ, ସୀମାପାର ଗୁଳିଚାଳନାରେ ଶିକାର ହୋଇଥିବା ବ୍ୟକ୍ତିର ପରିବାର ଓ ଅତ୍ୟାଧୁନିକ ବିସ୍ଫୋରକ ପଦାର୍ଥର ବିସ୍ଫୋରଣରେ ପ୍ରାଣ ହରାଇଥିବା ବ୍ୟକ୍ତିର ପରିବାର ପ୍ରଭୃତି ପାଉଥିବା ଆର୍ଥିକ ସହାୟତା ପାଇଁ ହିତାଧିକାରୀମାନଙ୍କୁ ଆଧାର କାର୍ଡ ଦେଖାଇବା ସହ ଆଧାରର ବୈଧତାକୁ ଯାଞ୍ଚ କରିବାକୁ ପଡିବ।

ମନ୍ତ୍ରଣାଳୟ କହିଛି, କେବଳ ଆସାମ ଓ ମେଘାଳୟକୁ ଛାଡ଼ି ଦେଶର ବାକି ସବୁ ଅଞ୍ଚଳରେ ଏହି ବିଜ୍ଞପ୍ତି ଲାଗୁ ହୋଇଛି। ସେହି ଦୁଇ ରାଜ୍ୟର ସବୁ ଲୋକମାନେ ଆଧାର କାର୍ଡରେ ସ୍ଥାନ ପାଇ ନାହାନ୍ତି ବୋଲି ମନ୍ତ୍ରଣାଳୟ କହିଛି। ହିତାଧିକାରୀଙ୍କୁ ଆଧାର ନମ୍ବର ମିଳିବା ପରେ ଏହି ସବୁ ସୁବିଧା ତାଙ୍କୁ ମିଳିପାରିବ। ଏଥିପାଇଁ ସେମାନଙ୍କୁ ଆଧାର ନମ୍ବର ପାଇଁ ମିଳିଥିବା ଚିରକୁଟ ଦେଖାଇବାକୁ ପଡ଼ିବ। ଏହା ବ୍ୟତୀତ ସେମାନଙ୍କୁ ଡାକଘର ଜମାଖାତା, ଭୋଟର ପରିଚୟପତ୍ର କିମ୍ବା ପ୍ୟାନ୍‍କାର୍ଡ ଅଥବା ରେସନକାର୍ଡ ଦେଖାଇ ସୁବିଧା ଲାଭ କରିବାର ସୁଯୋଗ ମିଳିବ। ଯେଉଁ ହିତାଧିକାରୀମାନଙ୍କର ଆଧାର ନମ୍ବର ନାହିଁ ସେମାନେ ଆଧାର ପଞ୍ଜିକରଣ କରିବାକୁ କୁହାଯାଇଛି।

Comments are closed.