Odisha Link
Bridging the Missing Links in Odisha

ମାର୍କେଟ ବିଲ୍‌ଡିଂ ଗଣ୍ଡଗୋଳ ପାଇଁ ଏନଏସଏ

ଭୁବନେଶ୍ୱର: ମାର୍କେଟ ବିଲଡିଂରେ ଆତଙ୍କରାଜ ଖେଳାଇବା ଘଟଣାରେ ଗିରଫ ୩ ଅଭିଯୁକ୍ତଙ୍କ ନାମରେ କମିଶନରେଟ ପୁଲିସ ଏନଏସଏ ଲଗାଇଛି। ସେମାନେ ହେଲେ ଚନ୍ଦନ ଦାଶ, ବିଶ୍ୱନାଥ ପ୍ରଧାନ ଓ ପ୍ରତୁ୍ୟଷ କହଁର । ସାଧାରଣ ଜୀବନଯାତ୍ରା ଓ ଆଇନଶୃଙ୍ଖଳା ଭଙ୍ଗ ନେଇ ସେମାନଙ୍କ ବିରୋଧରେ ଏନଏସଏ ଲଗାଯାଇଛି ।

ସୂଚନା ଅନୁସାରେ, ଚଳିତ ମାସ ୧୦ ତାରିଖ ସଂଧ୍ୟାରେ କେତେକ ମୁଖାପିନ୍ଧା ଯୁବକ ମାର୍କେଟ୍‌ ବିଲଡିଂରେ ଆତଙ୍କ ଖେଳାଇଥିଲେ। ଘଣ୍ଟା ଦୋକାନୀ ଅମୋଦ ଶାହାଙ୍କୁ ମାଡ଼ ମାରିବା ସହ ତାଙ୍କ ଦୋକାନ ଭଙ୍ଗାରୁଜା କରିଥିଲେ। ଏ ନେଇ କ୍ୟାପିଟାଲ ଥାନାରେ ଅଭିଯୋଗ ହେବା ପରେ ପୁଲିସ ୨୯ ଜଣଙ୍କୁ ଗିରଫ କରିବା ସହ ୫ଟି ବାଇକ୍‌ ଜବତ କରିଛି। ମୁଖ୍ୟ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୁଲିସ କୋଲକାତା, ବିଶାଖାପାଟଣା, ହାଇଦ୍ରାବାଦ, ଛତିଶଗଡ଼ ଯାଇଥିଲା।

ପ୍ରକାଶ ଥାଉ କି ଜଣେ ଯୁବତୀ ଓ ତାଙ୍କ ସାଙ୍ଗ ୟୁନିଟ-୨ ମାର୍କେଟ୍‌ ବିଲଡିଂକୁ କିଣାକିଣି କରିବାକୁ ଆସିଥିଲେ। ସେଠାରେ ଏକ ଘଣ୍ଟା କିଣାକୁ ନେଇ ଜଣେ ଉଠାଦୋକାନୀଙ୍କ ସହ ମୂଲଚାଲରୁ ଗଣ୍ଡଗୋଳର ସୂତ୍ରପାତ ହୋଇଥିଲା। ଏ ନେଇ ଯୁବତୀ ଜଣକ କ୍ୟାପିଟାଲ ଥାନାରେ ଏତଲା ଦେଇଥିଲେ ମଧ୍ୟ ପୁଲିସ ଉଠା ଦୋକାନୀମାନଙ୍କୁ ଛାଡ଼ି ଦେଇଥିଲା। ପରଦିନ କେତେକ ଯୁବକ ମୁହଁରେ ମୁଖା ପିନ୍ଧି ମାର୍କେଟ ବିଲ୍‌ଡିଂରେ ଉଠାଦୋକାନ ସବୁ ଭଙ୍ଗାରୁଜା କରିଥିଲେ। ଏପରିକି କେତେକ ଦୋକାନୀଙ୍କୁ ମଧ୍ୟ ଆକ୍ରମଣ କରିଥିଲେ।

Comments are closed.