Odisha Link
Bridging the Missing Links in Odisha

କରୋନା ଭାଇରସ୍‌ରେ ୮୦ ମୃତ୍ୟୁ, ୨୭୦୦ରୁ ଅଧିକ ଆକ୍ରାନ୍ତ

ଉହାନ୍‌: ଦିନକୁ ଦିନ ଭୟଙ୍କର ରୂପ ଧାରଣ କରୁଛି ‘କରୋନା’ ଭାଇରସ୍‌। କରୋନାଭାଇରସ୍‌ରେ ସଂକ୍ରମଣ ଯୋଗୁଁ ୮୦ ଜଣ ପ୍ରାଣ ହରାଇଥିବା ବେଳେ ୨୭୪୪ ଜଣ ରୋଗାକ୍ରାନ୍ତ ହୋଇଥିବା ଜଣାପଡିଛି। ଏହି ଭୂତାଣୁର ଦ୍ରୁତ ସମ୍ପ୍ରସାରଣକୁ ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ୍‌ ଗମ୍ଭୀର ପରିସ୍ଥିତି ବୋଲି କହିଛନ୍ତି।

ଏହି ରୋଗର ମୁକାବିଲା ପାଇଁ ରାଜ୍ୟ ସରକାର ଆଡଭାଇଜରି ଜାରି କରିଛନ୍ତି । ଏଥିସହ ରାଜ୍ୟର ବିଭିନ୍ନ ପ୍ରମୁଖ ହସ୍ପିଟାଲକୁ ସ୍ୱାସ୍ଥ୍ୟ ବିଭାଗର ଚିଠି ଲେଖିଛି। ଭୁବନେଶ୍ବର ବିମାନବନ୍ଦରେ ଏନେଇ ଯାଞ୍ଚ କରାଯାଉଛି। ବାହାରୁ ଆସୁଥିବା ଯାତ୍ରୀଙ୍କୁ କ୍ୟାପିଟାଲ ହସ୍ପିଟାଲର ଏକ ଟିମ୍‌ ଯାଞ୍ଚ କରୁଛନ୍ତି। ଏତଦ୍ ବ୍ୟତୀତ ଝାରସୁଗୁଡ଼ା ଏୟାରପୋର୍ଟ କର୍ତ୍ତୃପକ୍ଷଙ୍କୁ ମଧ୍ୟ ଚିଠି ଲେଖାଯାଇଛି। ବିଦେଶରୁ ଆସୁଥିବା ଘାତକ ‘କରୋନା’ ସନ୍ଦିଗ୍ଧଙ୍କୁ ଚିହ୍ନଟ ଓ ପରୀକ୍ଷା ବ୍ୟବସ୍ଥା କରିବାକୁ ଚିଠିରେ ଉଲ୍ଲେଖ ରହିଛି। କଟକ ଏସସିବି, ବୁର୍ଲା ଓ କ୍ୟାପିଟାଲ ହସ୍ପିଟାଲରେ ସ୍ୱତନ୍ତ୍ର ୱାର୍ଡ ଖୋଲିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ପାରାଦୀପ ବନ୍ଦର ଓ ରେଲୱେକୁ ମଧ୍ୟ ଏଥିପ୍ରତି ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

ଏହି ‘କରୋନା ଭାଇରସ’ ଭୂତାଣୁ ପ୍ରାଣୀଙ୍କଠାରୁ ମଣିଷଙ୍କୁ ବ୍ୟାପିଛି ବୋଲି ବିଶ୍ଵ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲୁଏଚଓ) ପକ୍ଷରୁ କହାଯାଇଛି। ଏହି ଭୂତାଣୁ ସାପଠାରୁ ବ୍ୟାପିଥିବା ଜଣାପଡ଼ିଛି। ସାପଠାରୁ ଏହି ଭୂତାଣୁ ଲୋକଙ୍କ ମଧ୍ୟରେ ସଂକ୍ରମିତ ହୋଇଛି। ସାପ କାମୁଡ଼ିଛି ବୋଲି ଏହା ବ୍ୟାପି ନାହିଁ, ବରଂ ସାପ ଖାଇବା ହେତୁ ଏହି ଭୂତାଣୁ ବ୍ୟାପିଛି। ବାଦୁଡ଼ିଠାରୁ ବ୍ୟାପୁଥିବା ସାର୍‌ସ(ସିଭିୟର ଆକ୍ୟୁଟ ରେସ୍ପିରେଟୋରୀ ସିଂଡ୍ରୋମ) ଭାଇରସ ସାପ ଜରିଆରେ ଲୋକଙ୍କୁ ବ୍ୟାପିଛି। ସାର୍‌ସ ଭାଇରସ ସାପଙ୍କ ଶରୀରକୁ ଯିବା ପରେ ତାହା କରୋନା ଭାଇରସରେ ପରିବର୍ତ୍ତନ ହୋଇଛି। ସାର୍‌ସ ଭାଇରସର ଚିକିତ୍ସା ରହିଛି। କିନ୍ତୁ ସାପ ଶରୀରରେ ଏହା କରୋନା ଭାଇରସରେ ପରିବର୍ତ୍ତନ ହେବା ପରେ ତାହାର କୌଣସି ଚିକିତ୍ସା ପଦ୍ଧତି ବର୍ତ୍ତମାନ ସୁଦ୍ଧା ମିଳିପାରି ନାହିଁ। ଏଥିରେ ଆକ୍ରାନ୍ତ ଥିବା ରୋଗୀଙ୍କୁ ଜ୍ଵର ଲାଗି ରହିବା ସହ ନିମୋନିଆ ହୋଇଥାଏ ଏବଂ ଶ୍ଵାସକ୍ରିୟାରେ କଷ୍ଟ ଅନୁଭବ ହୋଇଥାଏ।

Comments are closed.