Odisha Link
Bridging the Missing Links in Odisha

ବାର୍ଡ ଫ୍ଲୁ ସଂକ୍ରମଣ ରୋକିବା ପାଇଁ ପ୍ରସ୍ତୁତି ବୈଠକ

ଭୁବନେଶ୍ୱର : ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)ର କୁକ୍କୁଟ ପ୍ରଜନନ ଓ ଗବେଷଣା କେନ୍ଦ୍ରରେ ବାର୍ଡ ଫ୍ଲୁର ଭୂତାଣୁ ଚିହ୍ନଟ ହୋଇଛି । ଏଥିରେ ବହୁ ସଂଖ୍ୟାରେ କୁକୁଡ଼ା ମରିଥିବାର ଜଣା ପଡ଼ିଛି । ସମ୍ଭାବ୍ୟ ବାର୍ଡ ଫ୍ଲୁ ଭୂତାଣୁ ମଣିଷକୁ ସଂକ୍ରମିତ ନହେବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଆମ ଦେଶରେ ଏପର୍ଯ୍ୟନ୍ତ ବାର୍ଡ ଫ୍ଳୁରେ କେହି ମଣିଷ ଆକ୍ରାନ୍ତ ହେବାର ନଜିର ନାହିଁ ।

ସମ୍ଭାବ୍ୟ ବାର୍ଡ ଫ୍ଲୁ ସଂକ୍ରମଣ ରୋକିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡ. ଅଜିତ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗ ପକ୍ଷରୁ ଏବେ ଓୟୁଏଟି ଫାର୍ମ ଓ ଏହାର ୧ କିମି ପରିଧି ମଧ୍ୟରେ କୁକୁଡ଼ା ମରା ଅଭିଯାନ ଆରମ୍ଭ ହୋଇଥିବାବେଳେ ଏଥିରେ ନିୟୋଜିତ କର୍ମଚାରୀମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ସହିତ ପ୍ରତିଷେଧକ ବ୍ୟବସ୍ଥା ସ୍ୱରୂପ ସେମାନଙ୍କୁ ଟାମି ଫ୍ଲୁ ବଟିକା ନିୟମିତ ଖାଇବାକୁ ଦିଆଯାଉଛି ।

ବାର୍ଡ ଫ୍ଳୁ ସଂକ୍ରମଣ ପ୍ରତିରୋଧ ପାଇଁ ଓୟୁଏଟିର ୧୦ କିମି ପରିଧି ମଧ୍ୟରେ ଘରକୁ ଘର ବୁଲି ଜନସାଧାରଣଙ୍କର ସ୍ୱାସ୍ଥ୍ୟ ସର୍ବେକ୍ଷଣ କରାଯାଉଛି । ଏଥି ସଙ୍ଗେ ସଙ୍ଗେ କ’ଣ କରିବା ଉଚିତ ଏବଂ ଅନୁଚିତ ଏ ସଂପର୍କରେ ଲୋକମାନଙ୍କୁ ସଚେତନ କରାଯାଉଛି ।

ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ, କ୍ୟାପିଟାଲ୍‌ ହସ୍‌ ପିଟାଲ୍‌ର ନିର୍ଦ୍ଦେଶକ ଓ ସମସ୍ତ ମେଡିକାଲ୍‌ କଲେଜ୍‌ ଓ ଏମସ୍‌ କର୍ତ୍ତୃପକ୍ଷଙ୍କୁ ସତର୍କ ଓ ପ୍ରସ୍ତୁତ ରହିବା ସହିତ ଆଇସୋଲେସନ୍‌ ଓ୍ୱାର୍ଡର ସୁବିଧା ଉପଲବ୍ଧ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଆସନ୍ତାକାଲି କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଏକ ଉଚ୍ଚସ୍ତରୀୟ ଟିମ୍‌ ବାର୍ଡ ଫ୍ଲୁ ଆକ୍ରାନ୍ତ ଅଞ୍ଚଳକୁ ପରିଦର୍ଶନରେ ଆସୁଛନ୍ତି ।

Comments are closed.