Odisha Link
Bridging the Missing Links in Odisha

ପୂର୍ବତନ ମନ୍ତ୍ରୀ ଚିନ୍ମୟାନନ୍ଦଙ୍କୁ ଜାମିନ୍

ଉତ୍ତରପ୍ରଦେଶ: ବିଜେପି ନେତା ତଥା ପୂର୍ବତନ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଚିନ୍ମୟାନନ୍ଦଙ୍କୁ ଜାମିନ୍ ମିଳିଛି। ୪ ମାସ ଜେଲରେ ରହିବା ପରେ ଚିନ୍ମୟାନନ୍ଦଙ୍କୁ ଆଜି ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ଗତବର୍ଷ ୧୬ ନଭେମ୍ୱରରେ କୋର୍ଟ ଏହି ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ। ନିଜ କଲେଜର ଏଲଏଲବି ପଢ଼ୁଥିବା ଛାତ୍ରୀଙ୍କୁ ଯୌନ ନିର୍ଯାତନା ମାମଲାରେ ଜେଲ ଯାଇଥିଲେ ଚିନ୍ମୟାନନ୍ଦ।

ଶାହଜାହାନପୁରରେ ଥିବା ଚିନ୍ମୟାନନ୍ଦ ଲ’ କଲେଜରେ ପଢ଼ୁଥିବା ଛାତ୍ରୀ ଜଣଙ୍କ ଚିନ୍ମୟାନନ୍ଦଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆଣିଥିଲେ। ଯାହାର ଭିଡିଓ ଗତବର୍ଷ ଅଗଷ୍ଟ ୨୪ରେ ସୋଶିଆଲ ମିଡିଆରେ ଭାଇରାଲ ହୋଇଥିଲା। ସୂଚନା ଯୋଗ୍ୟ, ଲ’ କଲେଜରେ ଆଡମିଶନ ବେଳେ ଚିନ୍ମୟାନନ୍ଦ ଯୁବତୀଙ୍କୁ ସହଯୋଗ କରିଥିଲେ। ଯୁବତୀ ଜଣକ ହଷ୍ଟେଲରେ ରହୁଥିଲେ, ଏହାର ସୁଯୋଗ ନେଇ ଚିନ୍ମୟାନନ୍ଦ ଯୁବତୀଙ୍କ ଗାଧୁଆ ଘରେ ସିସିଟିଭି କ୍ୟାମେରା ଲଗାଇ ତାଙ୍କର ଭିଡିଓ ପ୍ରସ୍ତୁତ କରି ବ୍ଲାକମେଲିଂ କରିଥିଲେ। ଭିଡିଓ ଭାଇରାଲ କରିଦେବାକୁ କହି ବର୍ଷେ ହେବ ଚିନ୍ମୟାନନ୍ଦ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦେଇଥିଲେ।

ଏଥିସହ ଚିନ୍ମୟାନନ୍ଦ ତାଙ୍କ ଆଶ୍ରମକୁ ଦେହ ମାଲିସ କରିବା ପାଇଁ ଯୁବତୀଙ୍କୁ ଡାକିଥିଲେ। ଏହି ସମୟରେ ଯୁବତୀ ଜଣଙ୍କ ପ୍ରମାଣ ସ୍ୱରୂପ ଦେହ ମାଲିସର ଭିଡିଓ ରେକର୍ଡିଂ କରି ନେଇଥିଲେ। ଯାହା ସେ ଏସଆଇଟି ଟିମକୁ ତଦନ୍ତ ବେଳେ ଏକ ପେନ୍ ଡ୍ରାଇଭ ଜରିଆରେ ଦେଇଥିଲେ।ଫଳରେ ଚିନ୍ମୟାନନ୍ଦଙ୍କ କଳା କାରନାମା ସାମ୍ନାକୁ ଆସିଥିଲା।

Comments are closed.