Odisha Link
Bridging the Missing Links in Odisha

କଂଗ୍ରେସ୍‌ ରାଜନୀତି: ନିରଞ୍ଜନଙ୍କ ଠାରୁ ଦୂରେଇଲେ ମାନସ ଚୌଧୁରୀ!

ଭୁବନେଶ୍ୱର: ଜଣକ ପରେ ଜଣେ କଂଗ୍ରେସ୍‌ ନେତା ଏବେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ହାତ ଛାଡ଼ିବାରେ ଲାଗିଛନ୍ତି। ସାଂଗଠନିକ କାର୍ଯ୍ୟକ୍ରମ ସ୍ଥାଣୁ ହେବା ସହ ନିରଞ୍ଜନଙ୍କ କୋଟେରି ମନମୁଖୀ ଆଚରଣ କରୁଥିବାରୁ ଗୋଷ୍ଠୀ ଲୋେକ ଏବେ କରଛଡ଼ା ଦେବା ଆରମ୍ଭକଲେଣି। ପୂର୍ବରୁ ଅନେକ ଯୁବ ନେତା ନିରଞ୍ଜନଙ୍କୁ ମୁହଁ ମୋଡ଼ି ଦେଇଥିବାବେଳେ ନିରଞ୍ଜନଙ୍କ ଖାସ ବୋଲି କୁହାଯାଉଥିବା ଭୁବନେଶ୍ୱର ଜିଲ୍ଲା କଂଗ୍ରେସର ପୂର୍ବତନ ସଭାପତି ମାନସ ଚୌଧୁରୀ ମଧ୍ୟ ତାଙ୍କ ଠାରୁ ଦୂରେଇ ଯାଇଥିବା ନେଇ ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ଯଦିଓ ମାନସ ଏଭଳି ଚର୍ଚ୍ଚାକୁ ଗୁଜବ କହି ଏଡ଼ାଇ ଯାଇଛନ୍ତି। ଏକଦା ନିରଞ୍ଜନଙ୍କ ବେଶ୍‌ ନିକଟତମ ଭାବେ ଜଣାଶୁଣା ସତ୍ୟ ପ୍ରକାଶ ନାୟକ, ଜଗନ୍ନାଥ ପଟ୍ଟନାୟକ ଓ ଅନନ୍ତ ସେଠୀଙ୍କ ଭଳି ନେତାମାନେ ମଧ୍ୟ ଦୂରେଇ ଯାଇଛନ୍ତି।

ନିରଂଜନ ପଟ୍ଟନାୟକ ପିସିସି ସଭାପତି ହେବା ଦିନ ଠାରୁ ସବୁବେଳେ ତାଙ୍କ ପାଖେପାଖେ ମାନସଙ୍କୁ ଦେଖିବାକୁ ମିଳୁଥିଲା। ରାହୁଲ ଗାନ୍ଧୀଙ୍କ ଓଡ଼ିଶା ଗସ୍ତ ହେଉ ଅଥବା ପ୍ରଭାରୀ ଜିତେନ୍ଦ୍ର ସିଂହଙ୍କ ଓଡ଼ିଶା ଗସ୍ତ ସବୁବେଳେ ମାନସ ହିଁ ଆଗଧାଡ଼ିରେ ରହୁଥିଲେ। ନିର୍ବାଚନ ବେଳେ ସବୁ ବଡ଼ ବଡ଼ କ୍ୟାମ୍ପେନ ଓ ସମାବେଶର ବୁଝାସୁଝା ଦାୟିତ୍ୱ ତାଙ୍କ ହାତରେ ନ୍ୟସ୍ତ ଥିଲା। ତେବେ ଗତ କିଛିଦିନ ଧରି ମାନସଙ୍କୁ ଆଉ କଂଗ୍ରେସ ଭବନରେ ଦେଖିବାକୁ ମିଳୁନାହିଁ। କ’ଣ ପାଇଁ ସେ ନିରଞ୍ଜନଙ୍କୁ କରଛଡ଼ା ଦେଉଛନ୍ତି ସେନେଇ ସ୍ପଷ୍ଟ ଭାବେ କେହି କିଛି କହିପାରୁନାହାନ୍ତି।

ଅପରପକ୍ଷରେ କଂଗ୍ରେସ ଅଳିନ୍ଦରେ ହେଉଥିବା ଚର୍ଚ୍ଚା ଅନୁଯାୟୀ ଏବେ ପିସିସି ସଭାପତି ହାତ ଗଣତି ନିଜଲୋକଙ୍କ ଦ୍ୱାରା ଦଳ ଚଳାଉଛନ୍ତି। ଫଳରେ ଦଳୀୟ ସଂଗଠନ ସ୍ଥାଣୁ ପାଲଟିଯାଇଛି। ବରିଷ୍ଠ ନେତାମାନଙ୍କୁ ନିରଞ୍ଜନ ବି ଆଉ ପତ୍ର ଲେଖୁନାହାନ୍ତି। ତାଙ୍କ ବଦଳରେ ତାଙ୍କର ରାଜନୈତିକ ସଚିବ ପଦ୍ମାକର ଗୁରୁ ପତ୍ର ଲେଖି ବୈଠକକୁ ଆମନ୍ତ୍ରଣ କରିବା ଘଟଣାକୁ ଅନେକ ନାପସନ୍ଦ କରୁଛନ୍ତି। ସେହିପରି ନିକଟରେ କଂଗ୍ରେସ ଭବନରେ ବାଉନ୍ସର ପଶିବାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ଗୋଟିଏ ପଟେ ନିରଞ୍ଜନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ବାଉନ୍ସର ଆସିଥିବା ନେଇ ଅଭିଯୋଗ ଆସିଥିବାବେଳେ ନିରଞ୍ଜନ ଏନେଇ ଏକ କମିଟି ମଧ୍ୟ ଗଠନ କରିଛନ୍ତି। ତେବେ ସବୁଠାରୁ ବଡ଼ କଥା ହେଉଛି ମାନସ ଚୌଧୁରୀଙ୍କର ଏକ ସିକ୍ୟୁରିଟି ସଂସ୍ଥା ଅଛି। ସେ ବି ନିରଞ୍ଜନଙ୍କ ଖାସ ଲୋକ ବୋଲି ସମସ୍ତେ ଜାଣିଛନ୍ତି। ତେଣୁ କଂଗ୍ରେସ ଭବନରେ ବାଉନ୍ସର ପଶିବା ଘଟଣାରେ ମାନସଙ୍କର ହାତ ଥିବା ନେଇ ଦଳୀୟ ମହଲରେ ଚର୍ଚ୍ଚା ହେଉଥିଲା। ଏମିତିକି ବାଉନ୍ସର ମୁତୟନ ପ୍ରସଙ୍ଗରେ ମାନସଙ୍କୁ ଏଆଇସିସିରୁ ମଧ୍ୟ ନୋଟିସ କରାଯାଇଥିବା ସୂଚନା ମିଳୁଛି।

ଅନ୍ୟପଟେ ବାଉନ୍ସର ମୁତୟନ ଘଟଣାରେ ତାଙ୍କର କୌଣସି ଭୂମିକା ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ମାନସ ଚୌଧୁରୀ। ଓଡ଼ିଶା ଲିଙ୍କ୍‌କୁ ମତାମତ ଦେଇ ମାନସ କହିଛନ୍ତି ଯେ ବାଉନ୍ସର କିଏ ଏବଂ କେଉଁ କାରଣରୁ ଆଣିଥିଲା ତାହା ସେ ଜାଣନ୍ତିନାହିଁ। ତାଙ୍କ ପାଖରେ ଯଥେଷ୍ଟ ଲୋକବଳ ରହିଛି। ଯେଉଁମାନେ ସମର୍ଥନ ଦୃଷ୍ଟିରୁ ନିଜକୁ ଦୁର୍ବଳ ଭାବୁଥିବେ ସେମାନେ ବାଉନ୍ସର ଆଣିଥାଇପାରନ୍ତି ବୋଲି କହିଛନ୍ତି ମାନସ। ଦଳ ସଭାପତି ନିରଂଜନଙ୍କ ସହ ତାଙ୍କର ମତାନ୍ତର, ମନାନ୍ତର ବା କନ୍ଦଳକୁ ସେ ଅଗ୍ରାହ୍ୟ କରିଛନ୍ତି। ଏଭଳି ଚର୍ଚ୍ଚା ଭିତ୍ତିହୀନ ବୋଲି ମାନସ ସ୍ପଷ୍ଟ କରିଛନ୍ତି।

Comments are closed.