Odisha Link
Bridging the Missing Links in Odisha

ଋତୁସ୍ରାବର ପ୍ରମାଣ ଦେବାକୁ ଅନ୍ତବସ୍ତ୍ର ଖୋଲିବାକୁ କହିଲେ ଅଧ୍ୟକ୍ଷା

ଭୁଜ୍‌: ଗୁଜରାଟ ଭୁଜ ସ୍ଥିତ ଏକ କଲେଜ୍‌ରେ ଋତୁସ୍ରାବ ପ୍ରମାଣ ଦେବାକୁ ଅନ୍ତର୍ବସ୍ତ୍ର ଖୋଲିବାକୁ କହିଛନ୍ତି ଅଧ୍ୟକ୍ଷା। ଏଭଳି ଏକ ଲଜ୍ଜାଜନକ ଘଟଣା ଏବେ ସବୁଆଡେ ଆଲୋଡ଼ନ ସୃଷ୍ଟି କରିଛି। ୬୮ ଜଣ ଛାତ୍ରୀ ଉଲଗ୍ନ ହୋଇ ହଷ୍ଟେଲ କର୍ତ୍ତୃପକ୍ଷଙ୍କ ନିକଟରେ ପ୍ରମାଣ ଦେଇଥିବା କୁହାଯାଉଛି।

ଅହମ୍ମଦାବାଦ ମିରର ଅନୁଯାୟୀ ଜଣେ ଛାତ୍ରୀ କହିଛନ୍ତି, ପ୍ରିନ୍ସିପାଲ ଆମକୁ ବାହାରକୁ ଆଣି ଧାଡ଼ିରେ ଠିଆ କରିଥିଲେ। ଏହାପରେ ଗାଳି କରିବା ସହ ଅପମାନିତ କରି ପଚାରିଥିଲେ ଆମ ଭିତରୁ କାହାର ଋତୁସ୍ରାବ ହୋଇଛି। ଋତୁସ୍ରାବ ହେଉଥିବା ୨ ଜଣ ଭିତରକୁ ଯାଇଥିଲେ। ଅନ୍ୟମାନଙ୍କୁ ୱାଶ୍‌ରୁମ୍‌କୁ ନେଇ ଜଣଜଣ କରି ଶିକ୍ଷୟିତ୍ରୀମାନେ ଅନ୍ତର୍ବସ୍ତ୍ର ଖୋଲିବାକୁ କହି ଋତୁସ୍ରାବ ହୋଇଥିବା ଏବଂ ହୋଇନଥିବା ଯାଞ୍ଚ କରିଥିଲେ।

ଶ୍ରୀ ସହଜାନନ୍ଦ ଗାର୍ଲ୍‌ସ୍‌ ଇନ୍‌ଷ୍ଟିଚ୍ୟୁଟ୍‌ରେ ଏପରି ଘଟଣା ଘଟିଛି। ଉକ୍ତ କଲେଜ୍‌ର ହଷ୍ଟେଲ କର୍ତ୍ତୃପକ୍ଷ ପ୍ରିନ୍ସିପାଲଙ୍କ ନିକଟରେ ଅଭିଯୋଗ ଆଣିଥିଲେ, କିଛି ଛାତ୍ରୀ ଋତୁସ୍ରାବ ସମୟରେ ଧାର୍ମିକ ନିୟମର ଉଲ୍ଲଂଘନ କରୁଥିବା ଅଭିଯୋଗ ଆସିବା ପରେ ଏପରି କରାଯାଇଛି। ଯଦିଓ ପୁଲିସ୍‌ ଅଭିଯୋଗ ହୋଇନି, ଏକ କମିଟି ଗଠନ କରି ତଦନ୍ତ ଆରମ୍ଭ ହୋଇଛି। ଏହି ମାମଲାରେ ଜାତୀୟ ମହିଳା କମିସନ ହସ୍ତକ୍ଷେପ କରିବା ସହ ତୁରନ୍ତ ଏହାର ପୁଲିସ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମହିଳା କମିସନ ଏହି ଘଟଣା ଘଟିଥିବା ସହଜାନନ୍ଦ ମହିଳା ମହାବିଦ୍ୟାଳୟର ଟ୍ରଷ୍ଟି ଏବଂ ପ୍ରିନ୍ସିପାଲ ରିତା ରାନିଗାଙ୍କୁ ଏ ବାବଦରେ କୈଫିୟତ ଦେବାକୁ କହିଛନ୍ତି। ଅନେକ ମହିଳା ସଂଗଠନ ଏଭଳି ଅମନବୀୟ କାର୍ଯ୍ୟର ପ୍ରତିବାଦ କରିବା ସହ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ସରକାରଙ୍କଠାରେ ଦାବି କରିଛନ୍ତି।

Comments are closed.