Odisha Link
Bridging the Missing Links in Odisha

୨୦୨୧ ଜୁନିୟର ହକି ବିଶ୍ୱକପ୍‌ ଭାରତରେ ହେବ

ଲୌସାନେ: ୨୦୨୧ ମସିହାରେ ଭାରତରେ ହେବ ଜୁନିୟର ପୁରୁଷ ହକି ବିଶ୍ୱକପ୍। ଏନେଇ ଆଜି ଘୋଷଣା କରିଛି ଅନ୍ତର୍ଜାତୀୟ ହକି ମହାସଂଘ (ଏଫଆଇଏଚ୍‌)। ଭାରତ ଦ୍ୱିତୀୟଥର ଲାଗି ଏହି ସମ୍ମାନଜନକ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବା ପାଇଁ ଅଧିକାର ପାଇଛି। ଏହା ପୂର୍ବରୁ ୨୦୧୬ରେ ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ଜୁନିୟର ବିଶ୍ୱକପର ଆୟୋଜନ କରାଯାଇଥିଲା, ଯେଉଁଥିରେ ଆୟୋଜକ ଦେଶ ଟ୍ରଫି ଜିତିଥିଲା।

୨୦୨୧ ବିଶ୍ୱକପ୍ ପାଇଁ ଭେନ୍ୟୁ ଏବଂ ତାରିଖର ଘୋଷଣା କରାଯାଇନାହିଁ। ଜୁନିୟର ବିଶ୍ୱକପରେ ୧୬ଟି ଦଳ ଟାଇଟଲ୍ ପାଇଁ ଲଢ଼ିବେ। ଏହି ୧୬ଟି ଦଳ ମଧ୍ୟରେ ୟୁରୋପର ୬, ଏସିଆର ୪, ଆଫ୍ରିକା, ଓସେନିଆ ଓ ପ୍ୟାନ୍ ଆମେରିକାର ୨ଟି ଲେଖାଏ ଦଳ ରହିବେ। ଏଥି ମଧ୍ୟରୁ ୬ଟି ୟୁରୋପିଅନ୍ ଟିମ୍ ଯଥା ଜର୍ମାନୀ, ବେଲଜିୟମ, ନେଦରଲ୍ୟାଣ୍ଡ, ସ୍ପେନ୍‌, ଇଂଲଣ୍ଡ୍ ଓ ଫ୍ରାନ୍ସ ବିଶ୍ୱକପ୍ ପାଇଁ କ୍ୱାଲିଫାଏ କରିସାରିଛନ୍ତି।

ଆୟୋଜକ ଦେଶ ଭାବେ ଭାରତ ସିଧାସଳଖ ଏହି ମହାକୁମ୍ଭକୁ କ୍ୱାଲିଫାଏ କରିଛି। ତେବେ ବାକି ଦଳ କ୍ୱାଲିଫାଇଙ୍ଗ୍ ମ୍ୟାଚ୍ ଖେଳିବା ପରେ ବିଶ୍ୱକପ୍ ଟିକେଟ୍ କାଟିବେ। ୨୦୧୬ ସଂସ୍କରଣର ଫାଇନାଲରେ ଭାରତ ବେଲଜିୟମକୁ ୨-୧ ଗୋଲରେ ହରାଇ ଚାମ୍ପିୟନ୍ ହୋଇଥିଲା। ୨୦୧୮ରେ ଭାରତ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଏଫଆଇଏଚ୍ ସିନିୟର ପୁରୁଷ ବିଶ୍ୱକପର ସଫଳ ଆୟୋଜନ କରିଥିଲା।

Comments are closed.