Odisha Link
Bridging the Missing Links in Odisha

ମେ ପହିଲାରେ ମହାରାଷ୍ଟ୍ରରେ ଲାଗୁ ହେବ ଏନପିଆର, ଏନସିପି କହିଲା…

ମୁମ୍ବାଇ: ଚଳିତ ବର୍ଷ ମେ ପହିଲାରେ ମହାରାଷ୍ଟ୍ରରେ କାର୍ଯ୍ୟକାରୀ ହେବ ରାଷ୍ଟ୍ରୀୟ ଜନସଂଖ୍ୟା ରେଜିଷ୍ଟର (ଏନପିଆର)। ଏନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ। ଘୋଷଣା ପରେ ମହାବିକାଶ ଅଘାଡି ମେଣ୍ଟର ଅନ୍ୟ ଦୁଇ ପ୍ରମୁଖ ସହଯୋଗୀ କଂଗ୍ରେସ ଓ ଏନସିପି ତୀବ୍ର ବିରୋଧ କରୁଥିବା ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି।

ଏହାର କାରଣ ହେଲା ଯେ ସମଗ୍ର ଦେଶରେ ଏନପିଆର,ଏନଆରସି ଓ ସିଏଏକୁ କଂଗ୍ରେସ ପକ୍ଷରୁ ବିରୋଧ କରାଯାଉଛି। ଅପରପକ୍ଷରେ ଏନସିପି ପକ୍ଷରୁ ଏହାକୁ ବିରୋଧ କରାଯାଇନଥିଲେ ମଧ୍ୟ ସମର୍ଥନ ମଧ୍ୟ ଦିଆଯାଇନାହିଁ । ଏନସିପି ନେତା ତଥା ମନ୍ତ୍ରୀ ଅନୀଲ ଦେଶମୁଖ ଏନପିଆରକୁ ବିରୋଧ କରୁଥିବା ପ୍ରତିନିଧିମାନଙ୍କ ସହ ଆଲୋଚନା କରାଯିବା ଉଚିତ ବୋଲି ମତ ଦେଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଏସଂପର୍କରେ ଆଇନ ବିଶେଷଜ୍ଞଙ୍କ ପରାମର୍ଶ ନେବା ଉଚିତ।

ସିଏଏ , ଏନଆରସି ଓ ଏନପିଆରକୁ ନେଇ ଦେଶରେ ପ୍ରବଳ ବିରୋଧ କରାଯାଉଥିଲେ ମଧ୍ୟ ମେ ୧ ତାରିଖରୁ ଜୁନ ୧୫ ତାରିଖ ମଧ୍ୟରେ ଏନପିଆର୍ ଜରିଆରେ ସମସ୍ତ ରାଜ୍ୟ ତଥ୍ୟ ଏକାଠି କରିବା ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ନିର୍ଦେଶ ଜାରି ହୋଇଛି। ଏହି ନିର୍ଦ୍ଦେଶ ଅନୁସାରେ ମହାରାଷ୍ଟ୍ର ରେଜିଷ୍ଟ୍ରାର୍ ଜେନେରାଲ୍ ତଥା ଜନଗଣନା ଆଯୁକ୍ତଙ୍କ କାର୍ଯ୍ୟାଳୟ ପକ୍ଷରୁ ଏନପିଆର ଓ ଜନଗଣନାକୁ ନେଇ ରାଜ୍ୟର ବରିଷ୍ଠ ଅଧିକାରୀଙ୍କ ସହ ଇତିମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଥିବାର ସୂଚନା ମିଳିଛି। ରାଜ୍ୟରେ ଏନପିଆର ଓ ଜନଗଣନା ପାଇଁ ୩.୩୪ ଲକ୍ଷ କର୍ମଚାରୀ ସାମିଲ ହେବେ ବୋଲି ଜଣାଯାଇଛି।

Comments are closed.