Odisha Link
Bridging the Missing Links in Odisha

ବାୟୁ ପ୍ରଦୂଷଣ ଉପରେ ଅଙ୍କୁଶ ଲଗାଇବା ପାଇଁ ଗଡ଼କରୀଙ୍କ ସହ ଆଲୋଚନା କରିବେ ସିଜେଆଇ

ନୂଆଦିଲ୍ଲୀ: ବାୟୁ ପ୍ରଦୂଷଣ ଉପରେ ଅଙ୍କୁଶ ଲଗାଇବା ପାଇଁ ପ୍ରଧାନ ବିଚାରପତି(ସିଜେଆଇ) ଏସ.ଏ. ବୋବଡେ କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡ଼କରୀଙ୍କ ସହିତ ଆଲୋଚନା କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ସମସ୍ତ ସାଧାରଣ ପରିବହନ ଏବଂ ସରକାରୀ ଯାନକୁ ଏକ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ବିଦ୍ୟୁତ ଚାଳିତ ଯାନରେ ପରିଣତ କରିବା ପାଇଁ କେନ୍ଦ୍ର ସରକାରଙ୍କ ନୀତି ସମ୍ପର୍କିତ ପ୍ରସଙ୍ଗ ଉପରେ ସେ ଆଲୋଚନା କରିବେ ବୋଲି ପ୍ରଧାନ ବିଚାରପତି ଆଜି କହିଛନ୍ତି।

ସେଣ୍ଟର ଫର ପବ୍ଲିକ ଇଣ୍ଟରେଷ୍ଟ ଲିଟିଗେଶନ (ସିପିଆଇଏଲ) ଦ୍ବାରା ସୁପ୍ରିମକୋର୍ଟରେ ଦାୟର ହୋଇଥିବା ଏକ ମାମଲାର ଶୁଣାଣି ସମୟରେ ପ୍ରଧାନ ବିଚାରପତି ଏହା କହିଛନ୍ତି। ଦେଶରେ ଚଳାଚଳ କରୁଥିବା ସାଧାରଣ ପରିବହନ ଏବଂ ସରକାରୀ ଯାନଗୁଡ଼ିକୁ ଧୀରେ ଧୀରେ ବିଦ୍ୟୁତ ଚାଳିତ ଯାନରେ ପରିବର୍ତ୍ତନ କରିବାକୁ ପିଟିଶନରେ ଦାବି କରାଯାଇଥିଲା। ବାୟୁ ପ୍ରଦୂଷଣ ଏବଂ ଅଙ୍ଗାରକାମ୍ଳ ଗ୍ୟାସ ନିର୍ଗମନ ଉପରେ ଲଗାମ ଲଗାଇବା ପାଇଁ କେନ୍ଦ୍ର ସରକାରଙ୍କର ରହିଥିବା ନୀତିକୁ କାର୍ଯ୍ୟକାରୀ କରିବା ଲାଗି ସିପିଆଇଏଲ ପକ୍ଷରୁ ଅନୁରୋଧ କରାଯାଇଥିଲା। ଗତ ଜାନୁୟାରୀରେ ସୁପ୍ରିମକୋର୍ଟ ଏହାର ଶୁଣାଣି କରି କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିବା ସହ ଜବାବ ରଖିବାକୁ ନିର୍ଦେଶ ଦେଇଥିଲେ। ପ୍ରଧାନ ବିଚାରପତି ବୋବଡେ, ବିଚାରପତି ବି.ଆର. ଗୱଇ ଏବଂ ବିଚାରପତି ସୂର୍ଯ୍ୟକାନ୍ତଙ୍କୁ ନେଇ ଗଠିତ ଖଣ୍ଡପୀଠ ୪ ସପ୍ତାହ ମଧ୍ୟରେ ଜବାବ ରଖିବାକୁ ନିର୍ଦେଶ ଦେଇଥିଲେ।

Comments are closed.