ଅନୁମତି ଦେବାରେ ବିଳମ୍ବ କରୁଛି ଚୀନ୍

ନୂଆଦିଲ୍ଲୀ: ଉହାନ୍ରେ ଫଶି ରହିଥିବା ପ୍ରାୟ ୧୦୦ ଭାରତୀୟ ନାଗରିକଙ୍କୁ ସ୍ବଦେଶକୁ ଆଣିବାକୁ ଯିବାକୁ ଥିବା ବିମାନକୁ କ୍ଲିଅରାନ୍ସ୍ ଦେବାରେ ବିଳମ୍ବ କରୁଛି ଚୀନ୍। ଫେବ୍ରୁଆରି ୨୧ ତାରିଖ ଦିନ ଭାରତୀୟ ସାମରିକ ପଣ୍ୟବାହୀ ବିମାନ ‘ସି-୧୭ ଗ୍ଲୋବ୍ମାଷ୍ଟର୍’ ହୁବେଇ ପ୍ରଦେଶର ରାଜଧାନୀ ଉହାନ୍କୁ ଯାଇଥାଆନ୍ତା। କିନ୍ତୁ, ଚୀନ୍ କର୍ତ୍ତୃପକ୍ଷ କ୍ଲିୟରାନ୍ସ୍ ନ ଦେବାରୁ ତାହା ଯାଇ ପାରିଲା ନାହିଁ।
କ୍ଲିୟରାନ୍ସ୍ ଦିଆ ନ ଯବାର କାରଣ ସଂକ୍ରାନ୍ତରେ ମଧ୍ୟ ଚୀନ୍ ସରକାର ନିରବ ଅଛନ୍ତି। ଏହି ବିମାନରେ ଭାରତ ଚୀନ୍କୁ ରିଲିଫ୍ ଆକାରରେ କିଛି ଡାକ୍ତରୀ ସାମଗ୍ରୀ ପଠାଉଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚୀନ୍ର ରାଷ୍ଟ୍ରପତି ଜି ଜିନ୍ପିଙ୍ଗ୍ଙ୍କୁ ପତ୍ର ଲେଖିଥିଲେ। ଏଥିପାଇଁ କୁଣ୍ଠାବୋଧ କରି ଚୀନ୍ କର୍ତ୍ତୃପକ୍ଷ ଏହି ଭାରତୀୟ ବିମାନକୁ ଉହାନ୍ ଯିବାକୁ ଅନୁମତି ଦେବାରେ ବିଳମ୍ବ କରୁଛନ୍ତି ବୋଲି ଅନୁମାନ କରାଯାଉଛି। ପୂର୍ବରୁ ଏୟାର୍ ଇଣ୍ଡିଆ ବିମାନ ୬୪୦ ଭାରତୀୟ ଏବଂ ୭ ଜଣ ମାଳଦ୍ୱୀପ ନାଗରିକଙ୍କୁ ଉହାନ୍ରୁ ସ୍ଥାନାନ୍ତର କରିଛି।
Comments are closed.