Odisha Link
Bridging the Missing Links in Odisha

ଯୋଗ୍ୟତା କାର୍ଡ ବାଂଟି ଅଯୋଗ୍ୟ ହିତାଧିକାରିଙ୍କୁ ଯୋଗ୍ୟ କରିବା ପାଇଁ ଷଡଯନ୍ତ୍ର ରଚିଛି ଶାସକ ବିଜେଡି :ବିଜେପି

ଭୁବନେଶ୍ୱର : ୨୦୨୨ ସୁଦ୍ଧା ସମସ୍ତ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ସମସ୍ତ କଚ୍ଚା ଘରକୁ ପକ୍କା କରାଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି । କିନ୍ତୁ ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ଦେଖିବାକୁ ମିଳୁଛି ।

ଫନି ବାତ୍ୟା ପରେ ରାଜ୍ୟ ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କାର୍ଯ୍ୟାଦେଶ ବଂଟନ କରିବା ପାଇଁ ସକ୍ଷମ ହେଲେ ନାହିଁ । ଅନ୍ୟ ରାଜ୍ୟମାନଙ୍କରେ ପିଏମଏୱାଇ ରେ ଘର ନିର୍ମାଣ କରି କେନ୍ଦ୍ର ସରକାରଙ୍କୁ ବିନିଯୋଗ ପ୍ରମାଣପତ୍ର ଦେଇସାରିଥିବା ସମୟରେ ଫନି ବାତ୍ୟା ପରଠାରୁ ୧୦ ମାସ ବିତିଲା ପରେ ବି ରାଜ୍ୟସରକାର ହିତାଧିକାରୀଙ୍କୁ ଚିହ୍ନଟ କରିପାରୁ ନାହାଁନ୍ତି ବୋଲି ବିଜେପି ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ ଅଭିଯୋଗ କରିଛନ୍ତି ।ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ହରିଚନ୍ଦନ କହିଛନ୍ତି ଯେ, ରାଜ୍ୟ ସରକାର ୧୦ଅକ୍ଟୋବରରେ ପ୍ରଥମ ତାଲିକା ପ୍ରକାଶ କରିଥିଲେ ଯେଉଁଥିରେ ୧୨ ଲକ୍ଷ ୭୫ ହଜାର ପକ୍କାଘର ହିତାଧିକାରିଙ୍କର ତାଲିକା ଥିଲା ।

ଏହି ତାଲିକାରେ ଅନେକ ଅଯୋଗ୍ୟ ହିତାଧିକାରି ଥିଲେ ଓ ଅନେକ ଯୋଗ୍ୟ ହିତାଧିକାରିଙ୍କୁ ଏହି ତାଲିକାରୁ ବଂଚିତ କରାଯାଇଥିଲା । କେଉଁଠି ପଂଚାୟତର ପରିବାର ସଂଖ୍ୟା ଠାରୁ ହିତାଧୀକାରି ପରିବାର ସଂଖ୍ୟା ଅଧିକ ତ କେଉଁଠି କୋଠାଘର ଥିବା ଲୋକମାନଙ୍କୁ ଯୋଗ୍ୟ ବୋଲି ଦର୍ଶାଇ ସେମାନଙ୍କ ନାଁ ହିତାଧିକାରି ତାଲିକାରେ ଦିଆଯାଇଥିଲା ।

ଭାରତୀୟ ଜନତା ପାର୍ଟୀ ଏହାକୁ ବିରୋଧ କରିବା ସହିତ ଅଯୋଗ୍ୟଙ୍କୁ ବାଦ ଓ ଯୋଗ୍ୟଙ୍କୁ ହିତାଧିକାରି ତାଲିକାରେ ସାମିଲ କରିବା ପାଇଁ ଆନ୍ଦୋଳନ କରିଲା ଯାହାଫଳରେ ୧୫ ନଭେମ୍ବର ୨୦୧୯ରେ ରାଜ୍ୟ ସରକାର ମାନିଲେ କି ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ହୋଇଛି ଓ ଗୋଟିଏ ସର୍କୁଲାର ପ୍ରକାଶ କରି ନଭେମ୍ବର ୩୦, ୨୦୧୯ ସୁଦ୍ଧା ହିତାଧିକାରି ତାଲିକା ଯାଂଚ ସାରିବା ପାଇଁ ସମସ୍ତ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଲେ ।

୧୫ ଡିସେମ୍ବର ୨୦୧୯ ସୁଦ୍ଦା ହିତାଧିକାରି ତାଲିକା ସଂଶୋଧନ କରିବା ପାଇଁ ସରକାର କହିଥିଲେ । ତାହା ସରକାର କରିପାରିଲେ ନାହିଁ । ପରେ ଏହି ତାଲିକାରେ ୯ ଲକ୍ଷରୁ ଉର୍ଦ୍ଧ୍ୱ ଅଯୋଗ୍ୟ ହିତାଧିକାରୀଙ୍କ ନାଁ କଟିଲା ।

ଏହି ତାଲିକାକୁ ସାର୍ବଜନୀନ କରିବା ପାଇଁ ବିଜେପି ଦାବୀ କରିବା କାରଣରୁ ପଂଚାୟତ ଅଫିସ, ବ୍ଲକ ଅଫିସ, ସ୍ୱାସ୍ଥ୍ୟ କାନ୍ଥ ଏବଂ ଅଙ୍ଗନୱାଡି କାନ୍ଥରେ ନୋଟିସ ମାରିବା ପାଇଁ ନିର୍ଦ୍ଦେଶ ଥିଲେ ମଧ୍ୟ କେବଳ ପଂଚାୟତ କାନ୍ଥରେ ନୋଟିସ ମରାଗଲା । ଏହା ସତ୍ୱେ ବି ସଠିକ୍‌ ହିତାଧିକାରୀ ତାଲିକାକୁ ରାଜ୍ୟସରକାର ପ୍ରଦାନ କରିପାରିଲେ ନାହିଁ ।

କେତେ ଜଣଙ୍କୁ ଏହି ତାଲିକାରୁ ବାଦ ଦିଆଗଲା, ସେ ହିସାବ ମଧ୍ୟ ରାଜ୍ୟସରକାରଙ୍କ ପାଖରେ ନାହିଁ କି ହିତାଧିକାରୀ ତାଲିକା ସଂପୂର୍ଣ୍ଣ ହୋଇ ନାହିଁ । ଆଜି ପଂଚାୟତ ରାଜ ଦିବସ ଏବଂ ବିଜୁ ବାବୁଙ୍କ ଜୟନ୍ତୀ ଉପଲକ୍ଷେରାଜ୍ୟ ସରକାର ଘୋଷଣା କଲେ କି, ଲୋକଙ୍କୁ ୨୫ ଲକ୍ଷ ଘର ବଂଟନ କରାଯାଇଛି ଏବଂ ୨୦ ଲକ୍ଷ ଲୋକଙ୍କୁ ପକ୍କାଘର ଯୋଗ୍ୟତା କାର୍ଡ ବାଂଟିବେ ।

କିନ୍ତୁ ଏହି ତଥ୍ୟ ସଂପୂର୍ଣ୍ଣ ଭୃଲ । ୨୧ ଲକ୍ଷ ପକ୍କାଘର କେବଳ କେନ୍ଦ୍ରୀୟ ଯୋଜନାରେ ହୋଇଛି । ଯୋଗ୍ୟ ହିତାଧିକାରୀ ଚିହ୍ନଟ କରି ସେମାନଙ୍କୁ ଘର ଯୋଗାଇବା ରାଜ୍ୟ ସରକାରଙ୍କ କାମ । କିନ୍ତୁ ବିଜେଡି କିପରି ପକ୍କାଘର ଯୋଗ୍ୟତା କାର୍ଡ ବାଂଟି ପାରିବ ବୋଲି ହରିଚନ୍ଦନ ପ୍ରଶ୍ନ କରିଛନ୍ତି ।

ରାଜ୍ୟ ସରକାର ହିତାଧିକାରୀ ତାଲିକା ପାଇଲେ କେଉଁଠୁ ? ଯଦି ହିତକାଧିକାରୀ ତାଲିକା ମୁଖ୍ୟମନ୍ତ୍ରୀଙ୍କ ପାଖରେ ଅଛି , ତେବେ ପଂଚାୟତରାଜ ବିଭାଗର ସଚିବ ଦେଇଥିବା ନିର୍ଦ୍ଦେଶନାମା ସଂପୂର୍ଣ୍ଣଭାବେ ମିଥ୍ୟା । ଶାସକ ବିଜେଡି କେବଳ ଚଂଚକତା କରି ଆଜି ପକ୍କାଘର ଯୋଗ୍ୟତା କାର୍ଡ ବଂଟନ କରିଛି ।

ଦଳୀୟ ଭିତିରେ ହିତାଧିକାରୀ ଚୟନ ହୋଇଥିବା ଏହି ତାଲିକାକୁ ରାଜ୍ୟ ସରକାର ଗ୍ରହଣ କରିବେ କି ବୋଲି ହରିଚନ୍ଦନ ପ୍ରଶ୍ନ କରିଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଏବଂ ହିତାଧିକାରୀ ତାଲିକା ଅନିୟମିତତା ବିରୁଦ୍ଧରେ ତଥ୍ୟ ପ୍ରମାଣ ସହ ବିଜେପି ସାଂସଦ, ବିରୋଧୀ ଦଳ ନେତା, ବିଧାୟକ ମାନେ କେନ୍ଦ୍ର ମନ୍ତ୍ରୀଙ୍କୁ ଭେଟି ଅବଗତ କରାଇଛନ୍ତି ।

ଓଡିଶାରେ ଅଯୋଗ୍ୟ ହିତାଧିକାରୀଙ୍କ ନାଁ କଟିବା ସହ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ନାଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରାଯାଉ ବୋଲି ହରିଚନ୍ଦନ ଦାବି କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶାର ଗରିବ ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କାଘର ଯୋଗାଇ ଦେବା ପାଇଁ ପର୍ଯ୍ୟାପ୍ତ ଅର୍ଥ ଦେଉଛନ୍ତି ।

ମୋଦି ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଜରିଆରେ ବର୍ଷ ୨୦୧୭-୧୮ରେ ୩୧୦୦ କୋଟି, ୨୦୧୮-୧୯ରେ ୩୬୦୦ କୋଟି ଏବଂ ୨୦୧୯-୨୦ ବର୍ଷରେ ୪୮୨୦ କୋଟି ଟଙ୍କାର ଅନୁଦାନ ଦେଇସାରିଛନ୍ତି । ମାତ୍ର ଗତ ତିନୋଟି ଆର୍ଥିକ ବର୍ଷରେ ବିଜୁ ପକ୍କା ଘର ପାଇଁ କୌଣସି ଅର୍ଥ ବ୍ୟୟବରାଦ ହୋଇନାହିଁ ।

ପ୍ରଧାନମନ୍ତ୍ରୀ ଆବାସ ଗ୍ରାମୀଣ ଯୋଜନାରେ ୧୪ ହଜାର ୭୯୬ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଓଡିଶାକୁ ଦିଆଯାଇଛି । କିନ୍ତୁ ରାଜ୍ୟସରକାର ଏଠି ଦଳୀୟ ଭିତିରେ ହିତାଧିକାରୀ ତାଲିକା କରୁଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ଜଣେ ବି ଯୋଗ୍ୟ ହିତାଧିକାରୀ ବଂଚିତ ରହିଲେ ପ୍ରଧାନମନ୍ତ୍ରୀଙ୍କ ସ୍ୱପ୍ନ ପୂରଣ ହୋଇପାରିବ ନାହିଁ ବୋଲି ହରିଚନ୍ଦନ କହିଛନ୍ତି ।ସଠିକ ହିତାଧିକାରି ଚୟନ କରି ଯୋଗ୍ୟ ହିତାଧିକାରିଙ୍କୁ କାର୍ଯ୍ୟାଦେଶ ଦେବା କଥା ।

ହେଲେ ସରକାର ତା ପୂର୍ବରୁ ଏ ପକ୍କାଘର ଯୋଗ୍ୟତା କାର୍ଡ ବାଂଟି ଅଯୋଗ୍ୟ ହିତାଧିକାରିଙ୍କୁ ଯୋଗ୍ୟ କରିବା ପାଇଁ ଷଡଯନ୍ତ୍ର ରଚିଛନ୍ତି । ଯୋଗ୍ୟତା କାର୍ଡ ବାଂଟିବା ପୂର୍ବରୁ ପ୍ରଥମେ ତାଲିକା ପ୍ରକାଶ କରନ୍ତୁ ବୋଲି ହରିଚନ୍ଦନ ଦାବୀ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଟଙ୍କଧର ତ୍ରୀପାଠି ଏବଂ ଶାରଦା ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed.