Odisha Link
Bridging the Missing Links in Odisha

କରୋନା ପାଇଁ ଭାରତୀୟଙ୍କୁ ଭୟଭୀତ ନ ହେବାକୁ ପରାମର୍ଶ : ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

ନୂଆଦିଲ୍ଲୀ: ଚାଇନା ପରେ ଏବେ ଭାରତରେ କାୟା ବିସ୍ତାର କଲାଣି କରୋନା ଭାଇରସ। ବର୍ତ୍ତମାନ ସୁଦ୍ଧା ଭାରତରେ କରୋନା ଭାଇରସରେ ଆକ୍ରାନ୍ତ ସଂଖ୍ୟା ୨୯ କୁ ବୃଦ୍ଧି ପାଇଲାଣି। ଏଥିସହ ସରକାରଙ୍କ ପକ୍ଷରୁ ଏକାଧିକ ଆଡଭାଇଜରୀ ଜାରି ହୋଇଥିବାରୁ ଭାଇରସକୁ ନେଇ ଲୋକଙ୍କ ମନରେ କୋକୁଆ ଭୟ ସୃଷ୍ଟି ହୋଇଛି। ଲୋକମାନେ ଭୟଭୀତ ହୋଇ କାରୋନାରୁ ବର୍ତ୍ତିବା ପାଇଁ ମାସ୍କ ଓ ସାନିଟାଇଜର କିଣିବାକୁ ଦୋକାନରେ ଭିଡ଼ ଜମାଉଛନ୍ତି। ଏସବୁ ଭିତରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଭାରତୀୟଙ୍କୁ ଆତଙ୍କିତ ନ ହେବାକୁ ପରାମର୍ଶ ଦେଇଛି।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ରିଜୋନାଲ ଏର୍ମଜନ୍ସି ନିର୍ଦ୍ଦେଶକ ଡା.ରୋର୍ଡିକୋ ଓଫରିନ କହିଛନ୍ତି, “କରୋନାକୁ ନେଇ ଆତଙ୍କିତ ହେବାର କୌଣସି କାରଣ ନାହିଁ। ଯେଉଁମାନେ ବିଦେଶ ଯାଇଥିଲେ, ସେମାନଙ୍କ ଶରୀରରେ ହିଁ କରୋନା ଭାଇରସ ଠାବ କରାଯାଇଛି। ବିଦେଶ ମାଟିରେ ହିଁ ସେମାନଙ୍କ ଶରୀରରେ କରୋନା ଭାଇରସ ପ୍ରବେଶ କରିଛି ବୋଲି ସେ କହିଛନ୍ତି। ଭାରତରେ ୨୯ ଜଣ ଲୋକ କରୋନାରେ ଆକ୍ରାନ୍ତ ଥିବାରୁ ଲୋକମାନେ ଭୟଭୀତ ହେବା ଦରକାର ବୋଲି ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି, “ଏଭଳି ସ୍ଥିତିରେ ଭାରତୀୟମାନେ ଆତଙ୍କିତ ହେବାର କୌଣସି କାରଣ ନାହିଁ। ଏହି ସମୟରେ ଆକ୍ରାନ୍ତମାନଙ୍କୁ ବିଶେଷଜ୍ଞ ଡାକ୍ତର ଓ ନର୍ସମାନେ ଚିକିତ୍ସା ଯୋଗାଇ ଦେବା ଦରମାର ଏବଂ ସବୁ ହସ୍ପିଟାଲରେ ଆଇସୋଲେସନ ୱାର୍ଡ ଖୋଲାଯିବା ଦରକାର। ଏହି ପ୍ରକ୍ରିୟାକୁ ଯଥାଶୀଘ୍ର ଆରମ୍ଭ କରିବା ପାଇଁ ସରକାର ବ୍ୟବସ୍ଥା କରିବା ଉଚିତ ଏବଂ ଲୋକମାନେ ବି ସତର୍କ ରହିବା ସହ ନିଜର ଆଖପାଖକୁ ପରିଷ୍କାର ରଖିବା ନିହାତି ଜରୁରୀ ବୋଲି ସେ କହିଛନ୍ତି।”

ଏଥସହ କେତେ ତାପମାତ୍ରା ବଢ଼ିଲେ କରୋନା ଭାଇରସ ସଂକ୍ରମଣ ହ୍ରାସ ପାଇବ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, “ଆମେ ଏଯାଏ ଏ ବିଷୟରେ କୌଣସି ପ୍ରମାଣ ପାଇନାହୁଁ। ରିସର୍ଚ୍ଚରମାନେ ଏହା ଉପରେ ପରୀକ୍ଷାନୀରିକ୍ଷା ଜାରି ରଖିଛନ୍ତି। ଏହା ଏକ ନୂଆ ଭାଇରସ। ଏହା ଉପରେ ତଥ୍ୟ ସଂଗ୍ରହ କରିବାକୁ ସମୟ ଲାଗିବ। ତଥ୍ୟ ହାସଲ କରିବା ପାଇଁ ଡାକ୍ତରମାନେ ୨୪ ଘଣ୍ଟା ପରିଶ୍ରମ କରୁଛନ୍ତି ବୋଲି ସେ କହିଛନ୍ତି। ”

Comments are closed.