ସଙ୍କଟରେ ୟେସ୍ ବ୍ୟାଙ୍କ, ଏଥିରେ ଅଛି ଶ୍ରୀମନ୍ଦିରର ଏତିକି ଟଙ୍କା

ଭୁବନେଶ୍ବର: ସଙ୍କଟରେ ଦେଶର ଅନ୍ୟତମ ପ୍ରତିଷ୍ଠିତ ଘରୋଇ ବ୍ୟାଙ୍କ ୟେସ୍ ବ୍ୟାଙ୍କ। ଏହି ବ୍ୟାଙ୍କ ଉପଭୋକ୍ତାଙ୍କ ପାଇଁ ଲାଗିଛି କଟକଣା। ଆସନ୍ତା ଏପ୍ରିଲ ୩ ତାରିଖ ପର୍ଯ୍ୟନ୍ତ ୟେସ୍ ବ୍ୟାଙ୍କ ଉପଭୋକ୍ତା ୫୦ ହଜାର ଟଙ୍କାରୁ ଅଧିକ ଉଠାଇ ପାରିବେ ନାହିଁ।
ୟେସ୍ ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଟଙ୍କା ଉଠାଣ ଉପରେ କଟକଣା ଲାଗିବା ଓ ବ୍ୟାଙ୍କର ଦେବାଳିଆ ସ୍ଥିତି ପରେ ଜଗନ୍ନାଥପ୍ରେମୀଙ୍କୁ ଏହା ଚିନ୍ତାରେ ପକାଇଛି। କାରଣ ୟେସ୍ ବ୍ୟାଙ୍କରେ ଶ୍ରୀମନ୍ଦିରର ୫୪୫ କୋଟି ଟଙ୍କା ଜମାରାଶି ଅଛି। ଏକଥା ଆମେ କହୁ ନାହୁଁ ଖୋଦ ଆଇନ୍ ମନ୍ତ୍ରୀ ପ୍ରତାପ ଜେନା ବିଧାନସଭାରେ ଉତ୍ତର ରଖିଛନ୍ତି।
ବିଧାନସଭାରେ ଘରୋଇ ୟେସ୍ ବ୍ୟାଙ୍କରେ ଏବେ ବି ରହିଛି ମହାପ୍ରଭୁ ଜଗନ୍ନାଥଙ୍କ ୫୪୫ କୋଟି ଟଙ୍କା। ଏନେଇ ବିଧାନସଭାରେ ଆଇନ ମନ୍ତ୍ରୀ ପ୍ରତାପ ଜେନା ଲିଖିତ ଉତ୍ତର ଦେଇଛନ୍ତି। ଉତ୍ତର ଅନୁସାରେ ଜଗନ୍ନାଥଙ୍କ ମୋଟ ସମ୍ପତ୍ତି ୬୨୬ କୋଟି ୪୪ ଲକ୍ଷ ୭୮ ହଜାର ଟଙ୍କା।
୨୦୧୯ ସେପ୍ଟେମ୍ଵର ୩୦ ତାରିଖ ସୁଦ୍ଧା ୟେସ ବ୍ୟାଙ୍କରେ ୫୯୨ କୋଟି ଟଙ୍କା ଜମା ଥିଲା। ଯେଉଁଥିରେ ସ୍ଥାୟୀ ଜମାରେ ୫୪୫ କୋଟି ଓ ଫ୍ଲେକ୍ସ ଜମାରେ ୪୭ କୋଟି ରହିଥିଲା। ଏହା ମଧ୍ୟରେ ୪୭ କୋଟିର ଫ୍ଲେକ୍ସି ଜମା ୟେସ ବ୍ୟାଙ୍କରୁ ପ୍ରତ୍ୟାହାର ହୋଇଛି। ବର୍ତ୍ତମାନ ବାକି ରହିଥିବା ୫୪୫ କୋଟି ଟଙ୍କା ମାର୍ଚ୍ଚ ୧୯ ଓ ୩୦ ତାରିଖରେ ଉଠାଯାଇ ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ ରଖାଯିବ ବୋଲି କହିଥିଲେ। ହେଲେ ୟେସ୍ ବ୍ୟାଙ୍କରୁ ୫୦ହଜାର ଟଙ୍କା ଉଠା ଯାଇପାରିବ ବୋଲି RBI ନିୟମ କରିବା ପରେ ଏବେ ଜଗନ୍ନାଥ ପ୍ରେମୀଙ୍କୁ ଚିନ୍ତାରେ ପକାଇଛି।
ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆର ପୂର୍ବତନ ଫାଇନାନ୍ସ ଅଫିସର ପ୍ରଶାନ୍ତ କୁମାରଙ୍କୁ ପ୍ରଶାସନିକ ଅଧିକାରୀଙ୍କୁ ନିଯୁକ୍ତ କରିଛି RBI। ଏପଟେ ୟେସ୍ ବ୍ୟାଙ୍କ ଗ୍ରାହକମାନେ ଚିନ୍ତାରେ ପଡିଛନ୍ତି। ୟେସ୍ ବ୍ୟାଙ୍କର ଅନେକ ଏଟିଏମ୍ କାମ କରୁନି, ଅନେକ ଏଟିଏମରେ ସଟର ପଡି ଯାଇଥିବା ବେଳେ ଅନେକ ଏଟିଏମ୍ ରେ ଟଙ୍କା ନାହିଁ।