Odisha Link
Bridging the Missing Links in Odisha

ମୁଁ ଭବିଷ୍ୟତ ମୁଖ୍ୟମନ୍ତ୍ରୀ ନୁହେଁ: ରଜନୀକାନ୍ତ

ଚେନ୍ନାଇ: ସାଉଥ ସୁପରଷ୍ଟାର ରଜନୀକାନ୍ତ ରାଜନୀତିରେ ପ୍ରବେଶ କରିବା ପାଇଁ ଦେଲେ ଆଭାସ। ରଜନିକାନ୍ତ ଆଜି ନିଜର ରାଜନୈତିକ ଯୋଜନା ସଂପର୍କରେ ସାମାନ୍ୟ ଆଭାସ ଦେଇଛନ୍ତି। ତେବେ ସେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ନିଜର ଭାବି ଦଳର ନାଁ ଘୋଷଣା କରିନାହାନ୍ତି। ସେ ମଧ୍ୟ ଆଗାମୀ ତାମିଲନାଡ଼ୁ ବିଧାନସଭା ନିର୍ବାଚନ ଲଢିବା କଥା ଘୋଷଣା କରିନାହାନ୍ତି। ତାମିଲନାଡ଼ୁରେ ଆସନ୍ତା ବର୍ଷ ନିର୍ବାଚନ ହେବ।

ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ, ସେ ଗଠନ କରିବାକୁ ଥିବା ଦଳରେ ସେ ନିଜେ ମୁଖ୍ୟମନ୍ତ୍ରୀ ପଦ ପାଇଁ ପ୍ରାର୍ଥୀ ହେବେ ନାହିଁ, ବରଂ ଏହି ଭାର ଜଣେ ଯୁବ ନେତୃତ୍ୱ ହାତରେ ରହିବ। ନିଜର ଏହି ଦଳରେ ଦୁଇ ପ୍ରକାରର ନେତୃତ୍ୱ ରହିବ। ଗଠନମୂଳକ ସମାଲୋଚନା ପାଇଁ ଦଳ ମଧ୍ୟରେ ହିଁ ଏକ ବିରୋଧୀ ପକ୍ଷ ରହିବ। ଦଳ କ୍ଷମତା ହାତେଇବା ଅପେକ୍ଷା ଏକ ବିରୋଧୀ ଦଳର ଭୂମିକା ନିର୍ବାହ କରିବା ଉପରେ ଗୁରୁତ୍ୱ ଦେବ।

ଏଥିସହିତ ସେ କହିଛନ୍ତି ଯେ, ଦଳରେ ଯୁବପିଢିଙ୍କୁ ଗୁରୁତ୍ୱ ଦିଆଯିବ। ଦଳର ମୋଟ ସଦସ୍ୟମାନଙ୍କ ମଧ୍ୟରୁ ଏକ ବଡ଼ ଭାଗ ୪୫ ବର୍ଷରୁ କମ ବୟସର ହେବ। ଦଳରେ ମଧ୍ୟ ଅବସରପ୍ରାପ୍ତ ଆଇଏଏସ, ଆଇପିଏସ ଓ ବିଚାରପତିମାନଙ୍କୁ ନିଆଯିବ । ନିଜେ ରଜନିକାନ୍ତ ଏସବୁ ଅଭିଜ୍ଞ ଲୋକମାନଙ୍କ ସହ ଆଲୋଚନା କରି ସେମାନଙ୍କୁ ଦଳରେ ଯୋଗ ଦେବାକୁ ଅନୁରୋଧ କରିବେ ବୋଲି କହିଛନ୍ତି ରଜନୀକାନ୍ତ।

Comments are closed.