Odisha Link
Bridging the Missing Links in Odisha

କଂଗ୍ରେସକୁ କରୋନା!

ଶୁଭ୍ରାଂଶୁ ପଣ୍ଡା

କରୋନା ଭାଇରସ୍‌ ଏବେ ସାରା ବିଶ୍ବକୁ କବଳିତ କରିଥିବା ବେଳେ ଭାରତ ମଧ୍ୟ ଏଥିରୁ ବାଦ ପଡ଼ିନାହିଁ। ଭାରତରେ ପ୍ରାୟ ୮୦ ଜଣ କରୋନା ଦ୍ବାରା ଆକ୍ରାନ୍ତ ହୋଇଥିବା ବେଳେ ଇତି ମଧ୍ୟରେ ଜଣଙ୍କର ମୃତ୍ୟୁ ହୋଇସାରିଛି। କରୋନା ଆକ୍ରାନ୍ତଙ୍କୁ ଏକାନ୍ତ ସ୍ଥାନରେ ରଖାଯାଉଛି। ପରସ୍ପର ଠାରୁ ଦୂରେଇ ରହିବା ପାଇଁ ସରକାର ଲୋକଙ୍କୁ ସଚେତନ କରୁଥିବା ବେଳେ ଏବେ ପ୍ରିୟଜନଙ୍କୁ ବି ଅନେକେ ଛୁଇଁବାକୁ ଡରୁଛନ୍ତି। ତେବେ ଏଭଳି ସମୟରେ ଦେଶର ସର୍ବପୁରାତନ ଦଳ କଂଗ୍ରେସ ପାଇଁ ସଙ୍କଟ ବଢ଼ିବାରେ ଲାଗିଛି। କରୋନା ରୋଗୀଙ୍କ ଭଳି ଏ ଦଳ ବି ଏବେ ନିଜ ଲୋକଙ୍କ ପାଇଁ ଅଛୁଆଁ ହୋଇପଡ଼ିଛି।

କଂଗ୍ରେସ ଦଳରେ ଗାନ୍ଧୀ-ନେହରୁ ପରିବାର ପ୍ରତି ଅତ୍ୟଧିକ ଆନୁଗତ୍ୟ ଓ ଅଶେଷ ଅବିଗୁଣ ସତ୍ତ୍ବେ ରାହୁଳ ଗାନ୍ଧୀଙ୍କୁ ନେତା ଆସନରେ ବସାଇବାର ବାରମ୍ବାର ନିଷ୍ଫଳ ପ୍ରୟାସ ହିଁ କଂଗ୍ରେସ ପାଇଁ କରୋନା ସାଜିଛି। ବହୁ ଯୋଗ୍ୟ ଓ ରାଜନୈତିକ ପ୍ରଜ୍ଞାସମ୍ପନ୍ନ ବ୍ୟକ୍ତି ଏଇ ଗୋଟିଏ ପରିବାରର ଛାଇରେ ଉଧେଇବାର ସମସ୍ତ ଆଶା ହରାଇ ଦଳ ଛାଡ଼ିବାକୁ ବାଧ୍ୟ ହେଉଛନ୍ତି।

ସୋନିଆ ଗାନ୍ଧୀ ଦଳର ଦାୟିତ୍ବ ନେବା ପର ଠାରୁ (୧୯୯୯) ଯଦିଓ କଂଗ୍ରେସ ସହଯୋଗୀ ଦଳଙ୍କୁ ନେଇ ଦୁଇ ଥର ସରକାର ଗଢ଼ିଛି, ଦଳର ଭୋଟ ହାର କମି କମି ଆସିଥିବା ବେଳେ ଦଳ କ୍ରମଶଃ ମତଦାତାଙ୍କ ପାଖରେ ନିଜର ଗାରିମା ହରାଇଛି। ୨୦୧୪ରେ ଭାରତୀୟ ଜନତା ଦଳର ବ୍ୟାପକ ବିଜୟ କଂଗ୍ରେସର ଏ ଅବସ୍ଥାକୁ ଆହୁରି ଶୋଚନୀୟ କରିଛି। ୨୦୧୪ ନିର୍ବାଚନ ପରଠାରୁ ୧୦ରୁ ଅଧିକ ତୁଙ୍ଗ ନେତା କଂଗ୍ରେସ ଛାଡ଼ି ଅନ୍ୟଦଳକୁ, ଅଧିକାଂଶ ବିଜେପିକୁ, ଯାଇଛନ୍ତି।

୧୩୫ ବର୍ଷର ପୁରୁଣା ଦଳ କଂଗ୍ରେସ ସ୍ବାଧୀନତା ପରଠାରୁ ପ୍ରାୟ ୭୩ ବର୍ଷ ଭିତରେ ସର୍ବାଧିକ ୫୪ ବର୍ଷ ଭାରତରେ ଶାସନ କ୍ଷମତାରେ ରହିଛି। ୧୯୭୧ ମସିହା ଯାଏଁ ଦଳ କେବେ ବି ୩୬୦ରୁ କମ ଆସନ ପାଇ ନଥିଲା। ଦୁଇ ବର୍ଷର କଠୋର ଜରୁରୀକାଳୀନ ପରିସ୍ଥିତି ପରେ ଯେତେବେଳେ ୧୯୭୭ରେ ସାଧାରଣ ନିର୍ବାଚନ ହୋଇଥିଲା, ପ୍ରଥମ ଥର ପାଇଁ କଂଗ୍ରେସ ଶୋଚନୀୟ ଭାବେ ପରାଜିତ ହୋଇଥିଲା। କଂଗ୍ରେସକୁ ୧୯୭୭ରେ ମାତ୍ର ୧୫୪ ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା। ତେବେ ବର୍ତ୍ତମାନର ପରିସ୍ଥିତି ଦେଖିଲେ, ୧୯୭୭ର କଂଗ୍ରେସର ତଥାକଥିତ ଶୋଚନୀୟ ପରିସ୍ଥିତି ବି ବେଶ୍‌ ଭଲ ଥିଲା ବୋଲି ବିଚାର କରିବାକୁ ହେବ।

୧୯୮୦ରେ ପୁଣି ୩୫୩ ଆସନ ପାଇଥିଲା କଂଗ୍ରେସ। ଇନ୍ଦିରା ଗାନ୍ଧୀଙ୍କ ମୃତ୍ୟୁ ପରେ ୧୯୮୪ ନିର୍ବାଚନରେ ଦଳ ୪୧୫ ଆସନ ଜିତି ସର୍ବକାଳୀନ ରେକର୍ଡ କରିଥିଲା।

ଦ୍ବିତୀୟ ବାର ୧୯୯୯ରେ ସୋନିଆ ଗାନ୍ଧୀଙ୍କ ହାତକୁ କଂଗ୍ରେସର ସଭାନେତ୍ରୀ ଭାର ଯିବା ପରେ ଦଳ ଶୋଚନୀୟ ଭାବେ ପରାଜିତ ହୋଇଥିଲା। ମାତ୍ର ୧୧୪ ଆସନ ପାଇଥିଲା କଂଗ୍ରେସ। ତଥାପି ଗାନ୍ଧୀ-ନେହରୁ ପରିବାର ଉପରେ ଭରସା ରଖିଥିଲେ ଦଳ ନେତୃବୃନ୍ଦ। ୨୦୦୪ରେ ୧୪୫ ଓ ୨୦୦୯ରେ ୨୦୬ ଆସନ ପାଇ କଂଗ୍ରେସ ଦୁଇଥର ସହଯୋଗୀ ଦଳଙ୍କ ସହ ସରକାର ଗଢ଼ିବାରେ ସକ୍ଷମ ହୋଇଥିଲେ ହେଁ ଦଳର ପତିଆରା କମିବାରେ ଲାଗିଥିଲା। ରାହୁଳ ଗାନ୍ଧୀ ଦଳର ଦାୟିତ୍ବ ନେବା ପରେ ଦଳର ଅଧୋପତନର ବେଗ ବଢ଼ିଥିଲା। ୨୦୦୭ରେ ଦଳର ସାଧାରଣ ସଂପାଦକ, ୨୦୧୩ରେ ଉପସଭାପତି ଓ ଶେଷରେ ୨୦୧୭ରେ ଦଳର ସଭାପତି ହୋଇଥିଲେ ରାହୁଳ। ୨୦୧୪ ନିର୍ବାଚନରେ ମାତ୍ର ୪୪ ଆସନ ପାଇଥିବା ଦଳ ୨୦୧୯ରେ ମଧ୍ୟ ମାତ୍ର ୫୨ ଆସନରେ ସୀମିତ ରହିଥିଲା।
୨୦୧୯ ନିର୍ବାଚନ ପରେ ରାହୁଳ ସଭାପତି ପଦରୁ ଇସ୍ତଫା ଦେଇଥିଲେ ହେଁ ସେ ହିଁ ଦଳର ମୁଖୁଡ଼ା ହୋଇ ରହିଛନ୍ତି। ଦଳରେ ବହୁ ଯୋଗ୍ୟ ନେତା ଥାଉ ଥାଉ ସେଇ ସୋନିଆ ଗାନ୍ଧୀ ପୁନର୍ବାର ସଭାନେତ୍ରୀ ହୋଇଛନ୍ତି।

ମାତ୍ର ୬ ବର୍ଷ ମଧ୍ୟରେ ୧୦ ତୁଙ୍ଗ ନେତାଙ୍କ ସମେତ ବହୁ ନେତା ଦଳ ଛାଡ଼ି ବିଜେପି ବା ଅନ୍ୟ ଦଳକୁ ଚାଲିଗଲେଣି। ଦୁଇଦିନ ତଳେ ମଧ୍ୟପ୍ରଦେଶର ପ୍ରଭାବୀ ରାଜନେତା ଜ୍ୟୋତିରାଦିତ୍ୟ ସିନ୍ଦିଆ ଦଳ ଛାଡ଼ି ବିଜେପିରେ ଯୋଗଦେଇଛନ୍ତି। ଶଶୀ ଥରୁର, ଦିଗବିଜୟ ସିଂହଙ୍କ ଭଳି ବହୁ ତୁଙ୍ଗନେତା, ଯେଉଁମାନେ ଦଳର ମୁଖିଆଳ ହେବାର ସମସ୍ତ ଯୋଗ୍ୟତା ରଖନ୍ତି, ଗାନ୍ଧୀ-ନେହରୁ ପରିବାର ପ୍ରତି ବଶମ୍ବଦ ରହି ଚୁପ ଅଛନ୍ତି। ଅନ୍ୟପଟେ ସଚିନ ପାଇଲଟ୍, ମିଲିନ୍ଦ ଦେଓରା, ଜିତିନ ପ୍ରସାଦ, ଦୀପେନ୍ଦର ହୁଡ଼ା ଓ ସନ୍ଦୀପ ଦୀକ୍ଷିତଙ୍କ ଭଳି ଯୋଗ୍ୟ ଯୁବନେତା ରାହୁଳ ଗାନ୍ଧୀଙ୍କ ଅଯୋଗ୍ୟ ଓ ହାସ୍ୟାସ୍ପଦ ଛବି ଆଢ଼ୁଅଆଳରେ କ୍ରମଶଃ ନିଷ୍ପ୍ରଭ ହୋଇ ଆସୁଛନ୍ତି।

ଯାବତୀୟ ସମାଲୋଚନା ଓ ବିବାଦ ସତ୍ତ୍ବେ ବିଜେପିର ପ୍ରମୁଖ ଚେହେରା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅନ୍ୟ ତୁଙ୍ଗନେତାଗଣଙ୍କ ଛବି ଆଗରେ ରାହୁଳଙ୍କ ଭାବମୂର୍ତ୍ତି ଆଦୌ ତୁଳନୀୟ ମନେହେଉନାହିଁ। ଏଭଳି ପରିସ୍ଥିତିରେ କଂଗ୍ରେସ ଆତ୍ମସମୀକ୍ଷା କରିବା ସହ ଗାନ୍ଧୀ-ନେହରୁ ପରିବାର ହାତରୁ କ୍ଷମତା ଖସାଇ କୌଣସି ଯୋଗ୍ୟ ନେତାଙ୍କୁ ଦଳର ସାମନାକୁ ଆଣିବାର ସାହସ ରଖିଲେ, ହୁଏତ କଂଗ୍ରେସମୁକ୍ତ ଭାରତ ଅଭିଯାନ ଫିକା ପଡ଼ିପାରନ୍ତା।

୨୦୧୪ ମସିହା ପରଠାରୁ ଦଳ ଛାଡ଼ିଥିବା ବହୁ ତୁଙ୍ଗନେତା କଂଗ୍ରେସର ଭୋଟ ବ୍ୟାଙ୍କ ଓ ଭାବମୂର୍ତ୍ତିକୁ ପ୍ରଭାବିତ କରିଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ତାମିଲନାଡ଼ୁରେ ଦଳର ତୁଙ୍ଗନେତା ଜିକେ ବାସନ୍‌, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୟନ୍ତୀ ନଟରାଜନ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଦିଲ୍ଲୀର ବରିଷ୍ଠ ନେତା କ୍ରୀଷ୍ଣା ତୀରଥ, ହରଆଣାର ବରିଷ୍ଠ ନେତା ଚୌଧୁରୀ ବିରେନ୍ଦର ସିଂହ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ମଧ୍ୟପ୍ରେଦଶର ତୁଙ୍ଗ ନେତା ଜ୍ୟୋତିରାଦିତ୍ୟ ସିନ୍ଦିଆ, ମହାରାଷ୍ଟ୍ରର ବରିଷ୍ଟ ନେତେ ଦତ୍ତା ମେଘେ, ପଂଜାବର ଜଗମିତ ସିଂହ ବ୍ରାର, ହରିଆଣାର ଅବତାର ସିଂହ ଭଣ୍ଡାନା, ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ଓ ଜମ୍ମୁକଶ୍ମୀରର ପୁର୍ବତନ ଉପମୁଖ୍ୟମନ୍ତ୍ରୀ ମଙ୍ଗତ ରାମ ଶର୍ମା। ଏମାନଙ୍କ ମଧ୍ୟରୁ କ୍ରୀଷ୍ଣା ତୀରଥ, ଚୌଧୁରୀ ବୀରେନ୍ଦର ସିଂହ, ଜ୍ୟୋତିରାଦିତ୍ୟ ସିନ୍ଦିଆ, ଦତ୍ତା ମେଘେ ଓ ଗିରିଧର ଗମାଙ୍ଗ ପ୍ରମୁଖ ବିଜେପି ହାତ ଧରିଥିବା ବେଳେ ଜଗମିତ ସିଂହ ଅକାଳି ଦଳରେ ଯୋଗ ଦେଇଥିଲେ। ବୀରେନ୍ଦର ସିଂହ ବିଜେପିରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ମଧ୍ୟ ହୋଇଥିଲେ।

Comments are closed.