Odisha Link
Bridging the Missing Links in Odisha

ନିଜ ପିଲାଙ୍କୁ ବିଦେଶରେ ପଢ଼ାଉଛନ୍ତି ମୋଦିଙ୍କ ଏହି ୧୨ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଦେଶର ଶିକ୍ଷା କ୍ଷେତ୍ରର ଉନ୍ନତି ପାଇଁ ଆପଣାଉଛନ୍ତି ଅନେକ ପଦକ୍ଷେପ। ଏଥିସହିତ ଦିନକୁ ଦିନ ଦେଶର ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ ହେବାରେ ଲାଗିଛି। ବର୍ତ୍ତମାାନ ସମୟରେ  ଭାରତରେ ଏବେ ଅଧିକ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା କରାଯାଇଛି। କାରଣ ଭାରତର ବହୁ ଛାତ୍ରଛାତ୍ରୀ ଉଚ୍ଚଶିକ୍ଷା ନିମନ୍ତେ ବିଦେଶ ଯିବାକୁ ପସନ୍ଦ କରିଥାନ୍ତି। ଭାରତୀୟ ଛାତ୍ର ସ୍କୁଲ କିମ୍ବା କଲେଜ ଶିକ୍ଷା ପରେ ଯେପରି ବିଦେଶୀ ଶିକ୍ଷାନୁଷ୍ଠାନରେ ବିଦ୍ୟା ଆହରଣ ନକରି ଦେଶର ସୁନାମଧନ୍ୟ ବିଶ୍ବବିଦ୍ୟାଳୟରେ ନାମ ଲେଖାଇବେ ସେଥିପାଇଁ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ବିଶେଷ ଦୃଷ୍ଟି ଦେଉଛି।

ହେଲେ ଏଥରେ କିଛି ବ୍ୟତିକ୍ରମ ଦେଖିବାକୁ ମିଳିଛି। ଯେଉଁଠି ଖୋଦ୍‌ ଆଇନ୍‌ ପ୍ରଣେତାଙ୍କ ସନ୍ତାନ ବିଦେଶରେ ପଢ଼ିବାକୁ ଉଚିତ୍‌ ମଣୁଛନ୍ତି ସେଠି ସାଧାରଣ ଛାତ୍ରଙ୍କ କଥା ନକହିବା ଭଲ। ପ୍ରଧନାମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତ୍ରିମଣ୍ଡଳରେ ଏପରି କେତେଜଣ ମନ୍ତ୍ରୀ ଅଛନ୍ତି ଯେଉଁମାନେ ସେମାନଙ୍କ ସନ୍ତାନଙ୍କୁ ବିଦେଶରେ ପଢ଼ାଇବାକୁ ଉଚିତ୍‌ ମଣିଛନ୍ତି। ଦେଶୀୟ ଶିକ୍ଷା ପଦ୍ଧତି ଉପରେ ଏମାନଙ୍କ ଏକ ପ୍ରକାର ଆସ୍ଥା ନଥିବା ମନେହୁଏ। ଏହି ମନ୍ତ୍ରୀଙ୍କ ପିଲା ବିଦେଶର ଖ୍ୟାତନାମା ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟରୁ ଡିଗ୍ରୀ ହାସଲ କରିଛନ୍ତି।

ମୋଦିଙ୍କ ୫୬ ଜଣିଆ ମନ୍ତ୍ରୀମଣ୍ଡଳରୁ ପ୍ରମୁଖ ୧୨ ମନ୍ତ୍ରୀ ସେମାନଙ୍କ ପିଲାଙ୍କୁ ବିଦେଶରେ ପଢ଼ାଉଥିବା ଜଣା ପଡ଼ିଛି। ରେଳ ଓ ବାଣିଜ୍ୟ ମନ୍ତ୍ରୀ ପୀୟୁଷ ଗୋଏଲଙ୍କ ଝିଅ ରାଧିକା ଓ ପୁଅ ଧ୍ରୁବ ହାଭାର୍ଡ ବିଶ୍ବ ବିଦ୍ୟାଳୟ(ଆମେରିକା)ରୁ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି। ଧ୍ରୁବ ଏବେ ସେଠାରେ ଏମବିଏ କରୁଛନ୍ତି। ସେହିପରି ସୂଚନା ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଡକରଙ୍କ ପୁଅ ଅପୂର୍ବ ବୋଷ୍ଟନ ବିଶ୍ବ ବିଦ୍ୟାଳୟ(ଆମେରିକା)ରୁ ଅର୍ଥଶାସ୍ତ୍ରରେ ଡକ୍ଟରୋଟ୍‌ ଡିଗ୍ରୀ ହାସଲ କରିଛନ୍ତି।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସାନ ପୁଅ ନିରଜ ଲିଡ୍‌ସ ବିଶ୍ବବିଦ୍ୟାଳୟ(ବ୍ରିଟେନ୍)ରୁ ଏମବିଏ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଝିଅ ବଙ୍ଗମୟୀ ନର୍ଥଓ୍ବେଷ୍ଟର୍ଣ୍ଣ ବିଶ୍ବବିଦ୍ୟାଳୟ(ଆମେରିକା)ରେ ସାମ୍ବାଦିକତା, ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କରଙ୍କ ପୁଅ ଧ୍ରୁବ ଜର୍ଜ ଟାଉନ ବିଶ୍ବ ବିଦ୍ୟାଳୟ(ଆମେରିକା)ରେ ଏମଏ ଓ ଝିଅ ମେଧା ବେନିସନ୍‌ ବିଶ୍ବବିଦ୍ୟାଳୟ(ଆମେରିକା)ରେ ସ୍ବାତକ ପଢ଼ୁଛନ୍ତି। ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦଙ୍କ ପୁଅ ଆଦିତ୍ୟ ଶଙ୍କର କର୍ଣ୍ଣେଲ ବିଶ୍ବବିଦ୍ୟାଳୟ(ଆମେରିକା)ରେ ଏଲଏଲମ, ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନଙ୍କ ସାନପୁଅ ସଚିନ ମୋନାସ ବିଶ୍ବବିଦ୍ୟାଳୟ(ଅଷ୍ଟ୍ରେଲିଆ)ରୁ ଫାଇନାସ୍‌ ଓ ଆକାଉଣ୍ଟିଙ୍ଗ୍‌, ଖାଦ୍ୟ ପକ୍ରିୟାକରଣ ମନ୍ତ୍ରୀ ହରସିମରତ କୌର ବାଦଲଙ୍କ ଝିଅ ଲଣ୍ଡନ ସ୍କୁଲ ଅଫ୍‌ ଇକୋନମିସରୁ ସ୍ନାତକ, ନଗର ଉନ୍ନୟନ ମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କ ଝିଅ ତିଲୋତ୍ତମା ୟୁନିଭର୍ସିଟି ଅଫ୍‌ ବାରବିକ(ବ୍ରିଟେନ)ରୁ ସ୍ନାତକ , ଜଳ ସମ୍ପଦ ମନ୍ତ୍ରୀ ଗଜେନ୍ଦ୍ର ସିଂହଙ୍କ ଝିଅ ସୁହାସିନୀ ଅକ୍ସଫୋର୍ଡ ବିଶ୍ବ ବିଦ୍ୟାଳୟ(ବ୍ରିଟେନ)ରୁ ଲିଡରସିପରେ ଆଡଭାନସ ଡିପ୍ଲୋମା , ଉତ୍ତର ପୂର୍ବୋତ୍ତର ଆଞ୍ଚଳିକ ବିକାଶ ମନ୍ତ୍ରୀ ଜିତେନ୍ଦ୍ର ସିଂହଙ୍କ ପୁଅ ଅରୁଣ ଉଦୟ ଅକ୍ସଫୋର୍ଡ ବିଶ୍ବ ବିଦ୍ୟାଳୟ(ବ୍ରିଟେନ)ରୁ ଆର୍ଥିକ ବିକାଶ ବିଷୟରେ ସ୍ନାତକ, ଯୋଗାଯୋଗ ରାଜ୍ୟ ମନ୍ତ୍ରୀ ସଞ୍ଜୟ ଧୋତ୍ରେଙ୍କ ପୁଅ ନକୁଳ କାର୍ଲିଫର୍ଣ୍ଣିଆ ବିଶ୍ବବିଦ୍ୟାଳୟ (ଆମେରିକା)ରୁ ଇନିଜିନିୟରିଂ ଡିଗ୍ରୀ ହାସଲ କରିଛନ୍ତି।

ଦେଶରେ ଏବେ ୯୭୩୫ଟି ସରକାର ଓ ବେସରକାରୀ ମହା ବିଦ୍ୟାଳୟ ଏବଂ ୫୦୩ଟି ଷ୍ଟେଟ ୟୁନିଭିର୍ସିଟି, ଡିମଡ ୟୁନିଭର୍ସିଟି ଓ ସେଣ୍ଟ୍ରାଲ ୟୁନିଭର୍ସିଟି ରହିଛି। ଏହାବ୍ୟତୀତ ପ୍ରତିଷ୍ଠିତ ଆଇଆଇଟି ଓ ମେଡିକାଲ କଲେଜ ମଧ୍ୟ ରହିଛି। କତେକ ବିଦ୍ୟାର୍ଥୀ ଏଠାରୁ କୃତିତ୍ତ୍ବର ସହ ଡିଗ୍ରୀ ହାସଲ କରି ଚାକିରି ଅନ୍ବେଷଣ ହେଉ ବା ଉଚ୍ଚଶିକ୍ଷା ହେଉ ବିଦେଶ ପଳାୟନ କରୁଛନ୍ତି। ଏମାନଙ୍କୁ ଆକୃଷ୍ଟ କରିବା ପାଇଁ ମେଧାବୃତ୍ତି ପରି ଏକାଧିକ ଯୋଜନା ସରକାର ପ୍ରଣୟନ କରିଥିଲେ ମଧ୍ୟ ବିଦେଶ ପଳାୟନକୁ ରୋକା ଯାଇ ପାରୁନି।

Comments are closed.