Odisha Link
Bridging the Missing Links in Odisha

ନିର୍ଭୟା ମାମଲା: ଦୋଷୀଙ୍କ ସବୁ ଚାଲ୍‌ ଫେଲ୍, କାଲି ଫାଶି

ନୂଆଦିଲ୍ଲୀ: ଫାଶୀ ପାଇଁ ସଫା ହେଲା ରାସ୍ତା । ଆସନ୍ତାକାଲି ଫାଶୀ ଖୁଣ୍ଟରେ ଝୁଲିବେ ନିର୍ଭୟା ଦୋଷୀ। କାଲି ସକାଳ ୫.୩୦ରେ ୪ ଜଣ ‘ନିର୍ଭୟା ଦୋଷୀ’ଙ୍କୁ ଫାଶୀ ହେବା ନିଶ୍ଚିତ ହୋଇଯାଇଛି। ଦିଲ୍ଲୀ ପଟିଆଲା ହାଉସ୍‌ କୋର୍ଟ ନିଜ ପୂର୍ବ ନିଷ୍ପତ୍ତିରେ ଅଟଳ ରହିଛି ଏବଂ ଡେଥ୍ ୱାରେଂଟ ରୋକ୍ ଆବେଦନକୁ ଖାରଜ କରିଛନ୍ତି। ଡେଥ୍ ୱାରେଂଟରେ ରୋକ୍‌ ଲଗାଇବାକୁ ନେଇ ଦିଲ୍ଲୀ ପଟିଆଲା ହାଉସ୍‌ କୋର୍ଟରେ ଆବେଦନ ହୋଇଥିଲା।

ଏହା ପୂର୍ବରୁ ଆଜି ଦୋଷୀ ପବନ ଗୁପ୍ତାର କ୍ୟୁରେଟିଭ ପିଟିସନ୍ ସୁପ୍ରିମକୋର୍ଟରେ ଖାରଜ ହୋଇଯାଇଛି। ଅନ୍ୟପକ୍ଷରେ ସୁପ୍ରିମକୋର୍ଟ ମଧ୍ୟ ଦୋଷୀ ମୁକେଶ ସିଂହର ଆବେଦନକୁ ଖାରଜ କରିଛନ୍ତି। ମୁକେଶ ଦର୍ଶାଇଥିଲା ଅପରାଧ ଘଟିବା ଦିନ ସେ କୁଆଡ଼େ ଦିଲ୍ଲୀରେ ନଥିଲା। ଏହାପରେ କୋର୍ଟ ଅକ୍ଷୟ ସିଂହର ଆବେଦନର ମଧ୍ୟ ଶୁଣାଣି କରିଛନ୍ତି। ରାଷ୍ଟ୍ରପତି ରାଜକ୍ଷମା ଆବେଦନକୁ ଖାରଜ କରିବା ବିରୋଧରେ ସେ ଏହି ଆବେଦନ କରିଥିଲା। କିନ୍ତୁ ସୁପ୍ରିମକୋର୍ଟ ଏହି ଆବେଦନକୁ ମଧ୍ୟ ଖାରଜ କରିଦେଇଛନ୍ତି।

ଆସନ୍ତାକାଲି ସକାଳ ୫.୩୦ରେ ତିହାର ଜେଲ୍‌ଠାରେ ଏହି ଫାଶୀ ହେବ ବୋଲି ନିର୍ଦ୍ଧାରିତ କରାଯାଇଛି। ନିର୍ଭୟା ମାମଲାରେ ଚାରି ଦୋଷୀ ମୁକେଶ ସିଂ (୩୨), ପୱନ ଗୁପ୍ତା (୨୫), ବିନୟ ଶର୍ମା (୨୬) ଏବଂ ଅକ୍ଷୟ କୁମାର ସିଂ (୩୧)ଙ୍କୁ ଫାଶୀ ଦିଆଯିବ। ଏହା ପୂର୍ବ ତିନୋଟି ଡେଥ୍ ୱାରେଣ୍ଟକୁ ଦୋଷୀମାନେ ବିଭିନ୍ନ ଆଇନଗତ ପ୍ରକ୍ରିୟା ଦ୍ବାରା ଟାଳି ଦେଇଥିଲେ। ମାତ୍ର ଆସନ୍ତାକାଲି ସକାଳ ସାଢେ ୫ଟାରେ ୪ ଅଭିଯୁକ୍ତଙ୍କୁ ଫାଶୀରେ ଝୁଲାଯିବ।

Comments are closed.