Odisha Link
Bridging the Missing Links in Odisha

କରୋନା ଆର୍ଥିକ ପ୍ୟାକେଜ୍‌ ପ୍ରସଙ୍ଗ: ପ୍ରଧାନମନ୍ତ୍ରୀ ମୋଦି ଏବଂ ଅର୍ଥମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ଧର୍ମେନ୍ଦ୍ର

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ଆର୍ଥିକ ପ୍ୟାକେଜ୍‌ ଘୋଷଣା କରିଥିବାରୁ ଧନ୍ୟବାଦ ଜ୍ଞାପନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କେନ୍ଦ୍ର ସରକାରଙ୍କ ଏହି ଘୋଷଣା ଲକଡାଉନ ସଙ୍କଟରେ ଥିବା ଗରିବ ଲୋକଙ୍କୁ ଖାଦ୍ୟ ଓ ଆର୍ଥିକ ସୁରକ୍ଷା ଦେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ସେ ଆହୁରି କହିଛନ୍ତି ଯେ, ଅଭୁତପୂର୍ବ ସମୟ ଅଭୁତପୂର୍ବ ପଦକ୍ଷେପ ପାଇଁ ଆହ୍ୱାନ କରେ। କୋଭିଡ୍-୧୯ ଯୋଗୁଁ ଦେଶକୁ ମୁକାବିଲା କରିବା ପାଇଁ ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ଆର୍ଥିକ ପ୍ୟାକେଜ୍ ଘୋଷଣା କରିଥିବାରୁ ଧନ୍ୟବାଦ।

ଏହାସହ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଆହ୍ୱାନମୂଳକ ସମୟରେ ଦାୟିତ୍ୱବାନ ଶାସନର ଉଦାହରଣ ହୋଇଛନ୍ତି ମୋଦି ସରକାର। ଆଜି ଘୋଷିତ ଅନେକ ପଦକ୍ଷେପ ଗ୍ରାମୀଣ ତଥା ସହରାଞ୍ଚଳର ଗରିବ, କୃଷକ, ସ୍ୱାସ୍ଥ୍ୟ କର୍ମୀ, ପ୍ରବାସୀ ଶ୍ରମିକ, ବରିଷ୍ଠ ନାଗରିକ ତଥା ସମାଜର ଅନ୍ୟାନ୍ୟ ଦୁର୍ବଳ ଶ୍ରେଣୀଙ୍କ ଉପରେ କରୋନା ମହାମାରୀର ଆର୍ଥିକ ସମସ୍ୟାକୁ ହ୍ରାସ କରିବ।

ଏହି ଯୋଜନାରେ ବ୍ୟାଙ୍କ୍ ଖାତାରେ ଅର୍ଥ ପ୍ରଦାନ, ବୀମା କଭର, ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିବା ଏବଂ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ ସମସ୍ତ ହିତାଧିକାରୀଙ୍କୁ ମାଗଣାରେ ୩ ମାସ ପାଇଁ ଏଲପିଜି ସିଲିଣ୍ଡର ଯୋଗାଇବା ନିଷ୍ପତି ଲକ୍ଷାଧିକ ଗରିବ ଲୋକଙ୍କୁ ଲାଭ ଦେବ ବୋଲି କହିଛନ୍ତି ଧର୍ମେନ୍ଦ୍ର। ଆମେ ଏକାଠି ଅଛୁ, ଆମେ ଏହି ଅଦୃଶ୍ୟ ଶତ୍ରୁ ସହିତ ଲଢିବା ଏବଂ ବିଜୟୀ ହେବା। ସରକାରଙ୍କ ପକ୍ଷରୁ ଆମ ଅର୍ଥନୀତି ଏବଂ ସମାଜ ଉପରେ ନକାରାତ୍ମକ ପ୍ରଭାବକୁ କମ୍ କରିବାକୁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନିଆଯାଉଛି ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ।

Comments are closed.