Odisha Link
Bridging the Missing Links in Odisha

କରୋନା ମୁକାବିଲା: ଗୀତ ଗାଇ ପରସ୍ପରକୁ ଉତ୍ସାହିତ କରୁଛନ୍ତି ସ୍ବାସ୍ଥ୍ୟକର୍ମୀ, ସଚିବ ସେୟାର କଲେ ଭିଡିଓ

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ ଦିନକୁ ଦିନ ଭାରତରେ କାୟା ମେଲାଉଛି। ଦେଶରେ ମହାରାଷ୍ଟ୍ର, କରେଳ ପରେ ରାଜସ୍ଥାନରେ କରୋନା ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ରାଜସ୍ଥାନର ଭିଲଓ୍ବାଡା ଜିଲ୍ଲା କରୋନା ଭାଇରସରେ ଅଧିକ ଆକ୍ରାନ୍ତ ହୋଇଛି। ଏହାରି ମଧ୍ୟରେ ଏକ ଦୃଶ୍ୟ ସାମ୍ନାକୁ ଆସିଛି ଯାହାକୁ ଦେଖିଲେ ଆପଣମାନେ ମଧ୍ୟ କରୋନା ଭାଇରସ ବିରୋଦ୍ଧରେ ଲଢ଼ିବାକୁ ସାହାସ ଜୁଟାଇ ପାରିବେ।

ସୂଚନାଥାଉକି, ରାଜସ୍ଥାନର ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ସଚିବ ରୋହିତ କୁମାର ସିଂହ ଭିଲଓ୍ବାଡା ମେଡିକାଲର ଏକ ଭିଡିଓ ସେୟାର କରିଛନ୍ତି। ଉକ୍ତ ଭିଡିଓଟିରେ କରୋନା ଭାଇରସ୍‌ ଆକ୍ରାନ୍ତ ରୋଗୀଙ୍କ ଚିକିତ୍ସା କରୁଥିବା ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀ ଗୀତ ଗାଇ ନିଜର ମନୋବଳ ବୃଦ୍ଧି କରୁଛନ୍ତି। ସମସ୍ତେ ମିଶି ହମ୍‌ ହିନ୍ଦୁସ୍ତାନୀ ଗୀତ ଗାଉଥିବାର ଦୃଶ୍ୟ ଏହି ଭିଡିଓରେ ଦେଖିବାକୁ ମିଳିଛି।

ସଚିବ ଟୁଇଟ କରି ଲେଖିଛନ୍ତି ଯେ, ରାଜସ୍ଥାନର ଭିଲଓ୍ବାଡା ସରକାରୀ ମେଡିକାଲରେ ଡାକ୍ତର ମୁସ୍ତାକ ଗୌର ଏବଂ ପ୍ରଜାପତ, ଚିକିତ୍ସା ସହାୟକ ମୁକେଶ, ସାଇ, ଜ୍ଞାନ , ଉର୍ବଶୀ, ସରର୍ଫାଜ ଏବଂ ଜାଲମ କରୋନା ଭାଇରସର ମୁକାବିଲା କରିବା ପାଇଁ ୨୪ ଘଣ୍ଟା କାର୍ଯ୍ୟ କରୁଛନ୍ତି। ଏମାନଙ୍କର ପ୍ରଶଂସା କରିବା ଦରକାର। ଆପଣମାନେ ଆମର ପ୍ରକୃତ ହିରୋ। ଏହା ହେଉଛି ନୂଆ ଭାରତର ଭାବନା ବୋଲି କହିଛନ୍ତି ରୋହିତ କୁମାର ସିଂହ।

ଏହି ଭିଡିଓ ଟି ସୋଶିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଡାକ୍ତରଙ୍କ ଏଭଳିକାର୍ଯ୍ୟକୁ ସୋଶିଆଲ ମିଡିଆ ବ୍ୟବହାରକାରୀ ବହୁତ ପ୍ରଶଂସା କରିବା ସହିତ ସାଧୁବାଦ ଜଣାଇଛନ୍ତି।

Comments are closed.