Odisha Link
Bridging the Missing Links in Odisha

କରୋନା କ’ଣ ଗୁପ୍ତରୋଗ? ଲୋକଙ୍କ ଜୀବନ ସହ କାହିଁକି ଖେଳୁଛନ୍ତି ସରକାର?

ଶୁଭ୍ରାଂଶୁ ପଣ୍ଡା

କରୋନା ଏକ ଭୂତାଣୁ। ସାରା ବିଶ୍ବରେ ପ୍ରାୟ ୬ ଲକ୍ଷ ପାଖାପାଖି ଲୋକ ଏବେ ଏ ରୋଗରେ ପୀଡ଼ିତ। ଏହା କୌଣସି ଯୌନରୋଗ, ଗୁପ୍ତରୋଗ ବା ଲଜ୍ଜାଜନକ ରୋଗନୁହେଁ। ବହୁ ସେଲିବ୍ରିଟିଙ୍କୁ ଏ ରୋଗ ହୋଇଛି ଓ ଅନ୍ୟର ସଚେତନତା ପାଇଁ ସେମାନେ ନିଜେ ଏ କଥା ଜଣାଇଛନ୍ତି।

ଅଥଚ ଓଡ଼ିଶାରେ ସରକାର କରୋନାକୁ ଗୁପ୍ତରୋଗ ଭଳି ଦେଖୁଛନ୍ତି। ପ୍ରତ୍ୟହ ସରକାରଙ୍କ ମୁଖପାତ୍ର ଇଣ୍ଟରନେଟ୍‌ରୁ ବିଶ୍ବର ତଥ୍ୟ ସାଙ୍ଗକୁ ଓଡ଼ିଶାର ତଥ୍ୟ, ସରକାରଙ୍କ ଯୋଜନା ଆଉ ପଦକ୍ଷେପ ବିଷୟରେ ଗଣମାଧ୍ୟମ ମାଧ୍ୟମରେ ଲୋକଙ୍କୁ ଜଣାଉଛନ୍ତି। ଆମେ କେଉଁ ସ୍ଥିତିରେ ପହଞ୍ଚିଲେଣି, ଆଗକୁ କେତା ନମ୍ବର ସ୍ଥିତିରେ ପହଞ୍ଚିବା ସେ ନେଇ ସୂଚନା ଦେବାରେ ବ୍ୟସ୍ତ ମୁଖପାତ୍ର। ଅଥଚ ଏପଟେ ଭିତରେ ଭିତରେ କରୋନା ଢୋଲ ଭିତରେ ମୁଷା ଭଳି ଓଡ଼ିଶାର ମେରୁହାଡ଼ ଭାଙ୍ଗିବାକୁ ବସିଥିବା ସନ୍ଦେହ କରାଯାଉଛି।

ତୃତୀୟ କରୋନା ରୋଗୀ ଜଣାପଡ଼ିବା ପରେ ଲୋକେ ଏବେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ସୋସିଆଲ ମିଡିଆରେ ସେ ବ୍ୟକ୍ତିଙ୍କର ପରିଚୟ ଜାଣିବା ପାଇଁ ଲୋକେ ଦାବି କରୁଥିବା ବେଳେ ବିଭିନ୍ନ ସ୍ଥାନରେ ଲୋକଙ୍କୁ ସନ୍ଦେହରେ ଘରୁ ଉଠାଇ ନେଉଥିବା ବାବଦରେ ମଧ୍ୟ କେହି କେହି ଲେଖିଛନ୍ତି।

ତେବେ ସେ ଲୋକ ଜଣକ କିଏ ସେ କେଉଁ ସମୟରେ ଇଣ୍ଡିଗୋର କେଉଁ ବିମାନରେ ଯାତ୍ରା କରିଥିଲେ, ଭୁବନେଶ୍ବରର କେଉଁଠାରେ ତାଙ୍କର ଘର, କ’ଣ କରନ୍ତି ଆଦି ଜାଣିବା ପାଇଁ ଲୋକଙ୍କ ମଧ୍ୟରେ ଆଗ୍ରହ ଜନ୍ମିଛି। ଅନ୍ତତଃ ଏହା ଜାଣିବା ପରେ ଛନକାରେ ଥିବା କିଛି ଲୋକ ଆଶ୍ବସ୍ତ ହେବେ ଓ ଆଉ କିଛି ଲୋକ ନିଜେ ନିଜ ଆଡ଼ୁ ତାଙ୍କର ସଂପୃକ୍ତି ନେଇ ମଧ୍ୟ ଜଣାଇ ପାରିବେ। ସରକାର କିନ୍ତୁ ସେ ବ୍ୟକ୍ତିଙ୍କୁ ଗୁପ୍ତରୋଗୀ ଭଳି ବ୍ୟବହାର କରୁଛନ୍ତି। ସରକାରୀ ଅଧିକାରୀଙ୍କ ଦ୍ବାରା ତଦନ୍ତ କରାଯାଇ ରୋଗୀଙ୍କ ସହ ସଂପୃକ୍ତ ହୋଇଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରିବା ପ୍ରୟାସରେ ଅନ୍ଧାରରେ ବାଡ଼ି ବୁଲାଉଛି ପ୍ରଶାସନ।

ସେପଟେ ଆଇସୋଲେସନ୍‌ରେ ଥିବା ସରକାରୀ ବାବୁ ମଧ୍ୟ ଅବଧି ପୂରଣ ଆଗରୁ ବିନା ପରୀକ୍ଷାରେ ନିଜକୁ ନିଜେ ସବୁଜ ସଂକେତ ଦେଇ ଘରୁ ବାହାରକୁ ବାହାରି ଆସିଛନ୍ତି। ମୁଖପାତ୍ର କହିଲେଣି ଆମେ କେରାନା ସଂକ୍ରମଣର ତୃତୀୟ ପର୍ଯ୍ୟାୟ ଆଡ଼କୁ ଗତିକରୁଛେ, ଗୋଷ୍ଠୀ ସଂକ୍ରମଣର ଆଶଙ୍କାକୁ ଏଡ଼ାଇ ହେବନାହିଁ। ନେଡ଼ିଗୁଡ଼ କହୁଣୀକୁ ବୋହିବା ଅପେକ୍ଷାରେ ଥିବା ବେଳେେ ସରକାର କିନ୍ତୁ କରୋନା ତଥ୍ୟ ଲୁଚାଇବାରେ ବ୍ୟସ୍ତ। ହେଉ ରୋଗ ବଢ଼ୁ, ସରକାରଙ୍କର ବା ଚିନ୍ତା କ’ଣ, ରୋଗୀଙ୍କ ପାଇଁ ତ ୧୦୦୦ ଶଯ୍ୟା ପ୍ରସ୍ତୁତ ହେଉଛି! ଯଦି ମୁଖପାତ୍ରଙ୍କର ଆଶଙ୍କା ସତ୍ୟ ହୁଏ, ତେବେ ଏଭଳି ସମୟ ନ ଆସୁ ହଜାର ହଜାର ଶଯ୍ୟା ବି ନିଅଣ୍ଟ ପଡ଼ିବ।

ସମୟ ଏପରି ହେଲାଣି ସରକାର ଓ ଜନତାଙ୍କୁ ପୂର୍ଣ୍ଣ ସହଯୋଗ ଦେଇଆସୁଥିବା ଗଣମାଧ୍ୟମ ପ୍ରତିନିଧିମାନେ ବି ତାତିଲେଣି। କରୋନାକୁ ନେଇ ସରକାରଙ୍କ ଦେଢ଼ଶୁର-ଭାଇବୋହୂ ଖେଳ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ବି ତଟସ୍ଥ କରିଛି। ଗୋଟିଏ ପଟେ ମୁଖ୍ୟମନ୍ତ୍ରୀଙ୍କର ପ୍ୟାକେଜ୍‌ ପରେ ପ୍ୟାକେଜ୍‌ ଘୋଷଣା ଆଉ ଅନ୍ୟପଟେ ରୋଗକୁ ନେଇ ପ୍ରଶାସନର ଖାମଖିଆଲ ଭାବ, ବେଳେ ବେଳେ କରୋନା ପ୍ରତି ସରକାରଙ୍କ ଆଭିମୁଖ୍ୟ ବାବଦରେ ସନ୍ଦେହ ସୃଷ୍ଟି କରୁଛି।

ବଡ଼ ବିଚିତ୍ର ଆମର ବ୍ୟବସ୍ଥା। ରାସ୍ତା ଘାଟରେ ପୋଲିସ ଅମାନିଆ ଲୋକଙ୍କୁ ମାଡ଼, କାନ ଧରି ଉଠବସ କରାଉଥିବା, ପୋଷ୍ଟର ଧରେଇବା ଆଦି ଦୃଶ୍ୟ ଖୋଲାଖୋଲି ଗଣମାଧ୍ୟମରେ ପ୍ରଦର୍ଶିତ ହେବାପାଇଁ ସରକାର ସୁଯୋଗ ଦେଉଛନ୍ତି। ଅଥଚ, ତିନୋଟି ହସ୍ପିଟାଲ ଓ ବିଧାନସଭା ଡିସ୍ପେନସାରିକୁ ଅଛୁଆଁ କରୋନାରେ ମାରା କରିଥିବା ଲୋକଙ୍କ ପରିଚୟ ଗୁପ୍ତ ରଖିବାକୁ ଆମ ସରକାର ବାହଦୁର ଏତେ ତତ୍ପର କାହିଁକି ବୁଝାପଡୁନାହିଁ। ସେ କ’ଣ ପ୍ରଭାବଶାଳୀ, ସରକାରୀ କଳ ବା ଦଳ ସହ ସଂପୃକ୍ତ କି?

ରୋଗୀର ପରିଚୟ ଦେଇ ସନ୍ଦିଗ୍ଧ ଲୋକଙ୍କୁ ନିଜଆଡ଼ୁ ଆତ୍ମସମର୍ପଣ ପାଇଁ ସୁଯୋଗ ଦିଆଯିବା ଉଚିତ। ସରକାର ଅଯଥା ଭୟର ବାତାବରଣରେ ଲୋକଙ୍କୁ ନରଖି ଗୋଳିଆ ପବନକୁ ସ୍ବଚ୍ଛ କରନ୍ତୁ।

Comments are closed.