Odisha Link
Bridging the Missing Links in Odisha

୨୦୦୭ ଟି-୨୦ ବିଶ୍ବକପର ହିରୋ, ୨୦୨୦ରେ ରିଅଲ ହିରୋ

ଓଏଲ୍‌ ବ୍ୟୁରୋ: ସାରା ବିଶ୍ବ ଏବେ ମହାମାରୀ କରୋନା ଭାଇରସକୁ ନେଇ ଚିନ୍ତିତ। ଭାରତରେ ମଧ୍ୟ କରୋନା ଭାଇରସ ଦିନକୁ ଦିନ କାୟା ବିସ୍ତାର କରିଛି। ଡାକ୍ତର ମାନେ କରୋନା ରୋଗୀଙ୍କ ଚିକିତ୍ସା କରୁଥିବା ବେଳେ ପୋଲିସ୍‌ କର୍ମୀ ମାନେ ଜନସାଧାରଣଙ୍କୁୁ ବୁଝେଇବା ସହିତ ଲକ୍‌ଡାଉନର ସ୍ଥିତି ସମୀକ୍ଷା କରୁଛନ୍ତି। ଏସବୁ ମଧ୍ୟରେ ୨୦୦୭ ଟି ବିଶ୍ବକପ୍‌ ଫାଇନାଲ ମ୍ୟାଚର ହିରୋ ଭାରତର ପୂର୍ବତନ ଦ୍ରୁତ ବୋଲର ଯୋଗୀନ୍ଦିର ଶର୍ମା ଚର୍ଚ୍ଚାରେ। କାରଣ ସେ ଏବେ ହରିୟାଣା ପୋଲିସରେ ଡିଏସପି ଦାୟିତ୍ଵରେ ରହିଛନ୍ତି। ଏଥିପାଇଁ ମୁହଁରେ ମାସ୍କ ଲଗାଇ ଲକ୍‌ଡାଉନର ସ୍ଥିତି ସମୀକ୍ଷା କରୁଛନ୍ତି ଯୋଗୀନ୍ଦିର ଶର୍ମା। ଯାହାର ଫଟୋ ଏବେ ସୋଶିଆଲ ମିଡିଆରେ ଘୁରି ବୁଲୁଛି।

କରୋନା ଭାଇରସର ମୁକାବିଲା ପାଇଁ ସାରା ଦେଶ ୨୧ ଦିନ ପାଇଁ ଲକ ଡାଉନ। ଏହି ସମୟରେ ଯୋଗୀନ୍ଦିର ଲୋକମାନଙ୍କୁ ଲକଡାଉନ୍ ନିମୟ ଅନୁସରଣ କରିବା ସହ କରୋନା ଭାଇରସଠାରୁ ପାଇବା ପାଇଁ ଘରେ ରହିବାକୁ ପରାମର୍ଶ ଦେଉଛନ୍ତି। ଏନେଇ ଯୋଗୀନ୍ଦିରଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯୋଗୀନ୍ଦିରଙ୍କ ଏଭଳି କାମକୁ ଦେଖି ଆଇସିସି ମଧ୍ୟ ତାଙ୍କ ପ୍ରଶଂସା କରିଛି।

ଆଇସିସି ପକ୍ଷରୁ ଟୁଇଟ କରି କୁହାଯାଇଛି ଯେ, “୨୦୦୭ ମସିହା ଟି-୨୦ ବିଶ୍ବକପର ହିରୋ ୨୦୨୦ ମସିହାରେ ବିଶ୍ଵ ସ୍ଵାସ୍ଥ୍ୟ ସଙ୍କଟରେ ପ୍ରକୃତ ହିରୋ ପାଲଟିଛି। ଭାରତର ପୂର୍ବତନ ଦ୍ରୁତ ବୋଲର ଯୋଗୀନ୍ଦର ଶର୍ମା କ୍ରିକେଟ୍ କ୍ୟାରିୟର ପରେ ଏଭଳି ସଙ୍କଟ ସମୟରେ ପୋଲିସ୍ ଭାବରେ ନିଜର କର୍ତ୍ତବ୍ୟ କରୁଛନ୍ତି”।

Comments are closed.