କରୋନା ପାଇଁ ନକ୍ସଲଙ୍କ ଅସ୍ତ୍ରବିରତି ଘୋଷଣା

ଭୁବନେଶ୍ବର: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଓଡ଼ିଶାରେ ଅସ୍ତ୍ରବିରତି ଘୋଷଣା କରିଛନ୍ତି ମାଓବାଦୀ। ନିଷିଦ୍ଧ ନକ୍ସଲ ସଂଗଠନ ସିପିଆଇ (ମାଓବାଦୀ) ଆଜି ଏକପାଖିଆ ଅସ୍ତ୍ରବିରତି ଘୋଷଣା କରିଛି। ଏହା ସହ ଦୁର୍ଭେଦ୍ୟ ଜଙ୍ଗଲ ଓ ପାର୍ବ୍ୟାଞ୍ଚଳରେ ରହୁଥିବା ଲୋକଙ୍କ ପାଇଁ କରୋନା ସଂକ୍ରାନ୍ତୀୟ ସ୍ବାସ୍ଥ୍ୟସେବା ପଠାଇବାକୁ ସଂଗଠନ ଓଡ଼ିଶା ସରକାରଙ୍କୁ ଅନୁରୋଧ କରିଛି।
ସିପିଆଇ (ମାଓବାଦୀ) ମାଲକାନଗିରି-କୋରାପୁଟ-ବିଖାପାଟଣା ଉପଖଣ୍ଡ କମିଟିର ସଂପାଦକ ବୋଲି ନିଜକୁ ଦାବି କରି ଜଣେ ବ୍ୟକ୍ତି ତେଲୁଗୁ ଭାଷାରେ ସରକାରଙ୍କ ଉଦ୍ଦେଶ୍ୟରେ ଏକ ଅଡିଓ ବାର୍ତ୍ତା ପଠାଇଛନ୍ତି। ମାଲକାନଗିରି ଓ କୋରାପୁଟ ଜିଲ୍ଲାର ଆଦିବାସୀ ଅଞ୍ଚଳରେ ସହାୟତା ଯୋଗାଇବାକୁ ଆସୁଥିବା କୌଣସି ସରକାରୀ କର୍ମଚାରୀଙ୍କୁ ଆକ୍ରମଣ କରାଯିବ ନାହିଁ ବୋଲି ସେ ଏହି ଅଡିଓରେ ପ୍ରତିଶ୍ରୁତି ଦେଇଛନ୍ତି। ତେବେ ଯଦି ସୁରକ୍ଷାକର୍ମୀ ମାନେ ତାଙ୍କ ଉପରେ ଆକ୍ରମଣ କରନ୍ତି ବା ହଟାିବାକୁ ଚେଷ୍ଟା କରନ୍ତି ତେବେ ଆତ୍ମରକ୍ଷା ପାଇଁ ସେମାନେ ପ୍ରତିଆକ୍ରମଣ କରିବାକୁ ବାଧ୍ୟହେବେ ବୋଲି କହିଛନ୍ତି।
୨୧ ଦିନିଆ ଲକ୍ଡାଉନ୍କୁ ଦୃଷ୍ଟିରେ ରଖି ସରକାର ଲୋକଙ୍କ ଭତ୍ତା ଓ ଯୋଗାଣ ସାମଗ୍ରୀ ବୃଦ୍ଧି କରନ୍ତୁ ବୋଲି ସିପିଆଇ (ମାଓବାଦୀ) ପକ୍ଷରୁ ସରକାରଙ୍କୁ ପରାମର୍ଶ ଦିଆଯାଇଛି। ଏହି ଅଡିଓରେ ଦୁଇ ଜିଲ୍ଲାର ଆଦିବାସୀମାନଙ୍କ ଉଦ୍ଦେଶ୍ୟରେ କୁହାଯାଇଛି ଯେ ସେମାନେ କରୋନାକୁ ଦୂରେଇବା ପାଇଁ ହାତଧୋଇବା ଓ ମାସ୍କ ପିନ୍ଧିବା ଉପରେ ଗୁରୁତ୍ବ ଦିଅନ୍ତୁ। ତେବେ କରୋନା ବ୍ୟାପିବା ପଛରେ ସରକାରଙ୍କ ତ୍ରୁଟିପୂର୍ଣ୍ଣ ନୀତି ଓ ଶିଳ୍ପ ବର୍ଯ୍ୟ ଦାୟୀ ବୋଲି ଅଡିଓରେ ଦାବି କରାଯାଇଛି।
ସରକାର ପହଞ୍ଚି ପାରୁନଥିବା ଦୁର୍ଗମ ଅଞ୍ଚଳରେ ଆମେ ସାମାଜିକ ଦୂରତା ରକ୍ଷା କରି ଥଣ୍ଡା ଓ କଫ ଔଷଧ ବାଣ୍ଟୁଛୁ ବୋଲି ମାଓବାଦୀଙ୍କ ପକ୍ଷରୁ ଏହି ଅଡିଓରେ କୁହାଯାଇଛି। ଏହି ଅଡିଓ ବାବଦରେ ସରକାରଙ୍କର ପ୍ରତିକ୍ରିୟା ମିଳିପାରିନାହିଁ।