Odisha Link
Bridging the Missing Links in Odisha

କରୋନା ମୁକାବିଲା: କେନ୍ଦ୍ର ସରକାର ବନାଇଲେ ୪ବର୍ଷର ଯୋଜନା, ରାଜ୍ୟ ଗୁଡ଼ିକୁ ମିଳିବ ସ୍ବତନ୍ତ୍ର ପ୍ୟାକେଜ

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସର ମୁକାବିଲା କରିବା ପାଇଁ ସାରା ଦେଶ ୨୧ ଦିନ ଯାଏ ଲକ୍‌ଡାଉନ୍। କରୋନା ଭାଇରସକୁ ନଜରରେ ରଖି କେନ୍ଦ୍ର ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। କରୋନା ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କୁ ସମସ୍ତ ରାଜ୍ୟ ସରକାର ସହଯୋଗର ହାତ ବଢ଼ାଇଛନ୍ତି। ରାଜ୍ୟ ଗୁଡ଼ିକର ଭିତ୍ତିଭୂମି ତଥା ସମ୍ବଳର ଉନ୍ନତି ପାଇଁ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ସ୍ୱତନ୍ତ୍ର ପ୍ୟାକେଜ୍ ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି।

ରାଜ୍ୟଗୁଡିକ ପାଇଁ କେନ୍ଦ୍ର ସରକାର ଏକ ସ୍ୱତନ୍ତ୍ର ପ୍ୟାକେଜ୍ ଅନୁମୋଦନ କରିଛନ୍ତି। ଏହି ପ୍ୟାକେଜ୍‌ର ନାମ ହେଉଛି ‘ଇଣ୍ଡିଆ କୋଭିଡ-୧୯ ଏମରଜେନ୍ସି ରେସପନ୍ସ ଆଣ୍ଡ୍ ହେଲଥ ସିଷ୍ଟମ ପ୍ରିପେୟାରନେସ୍’। ଜାନୁୟାରୀ ୨୦୨୦ ରୁ ମାର୍ଚ୍ଚ ୨୦୨୪ ପର୍ଯ୍ୟନ୍ତ ଏହି ପ୍ରକଳ୍ପକୁ ତିନୋଟି ପର୍ଯ୍ୟାୟରେ ବିଭକ୍ତ କରାଯାଇଛି। ଏହି ସମୟରେ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ଟଙ୍କା ଦେବ।

ମୋଟ୍‌ ୩ଟି ପର୍ଯ୍ୟାୟରେ କେନ୍ଦ୍ର ଏହି ଟଙ୍କା ଦେବ। ଜାନୁଆରୀ ୨୦୨୦ରୁ ଜୁନ୍ ୨୦୨୦ ପ୍ରଥମ ପର୍ଯ୍ୟାୟ ରହିଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟ ଜୁଲାଇ ୨୦୨୦ରୁ ମାର୍ଚ୍ଚ ୨୦୨୧ ଏବଂ ତୃତୀୟ ପର୍ଯ୍ୟାୟ ଏପ୍ରିଲ ୨୦୨୧ରୁ ମାର୍ଚ୍ଚ ୨୦୨୪ ରହିଛି। ପ୍ରଥମ ପର୍ଯ୍ୟାୟର ଟଙ୍କା କେନ୍ଦ୍ର ପଠାଇ ଦେଇଥିବା ସୂଚନା ରହିଛି। ପ୍ରଥମ ପର୍ଯ୍ୟାୟର ଟଙ୍କା କୋଭିଡ -୧୯ ଡାକ୍ତରଖାନା ସଂଖ୍ୟା ବୃଦ୍ଧି ଏବଂ ଅନ୍ୟାନ୍ୟ ଡାକ୍ତରଖାନାର ବିକାଶ ହେବ। ଏଥିସହ ଆଇସୋଲେଶନ ଓ୍ୱାର୍ଡ, ଭେଣ୍ଟିଲେଟର ସହିତ ଆଇସିୟୁ, ଡାକ୍ତରଖାନାରେ ଅକ୍ସିଜେନ ଯୋଗାଣ, ଡାକ୍ତରଖାନାର ଲ୍ୟାବ ଗୁଡ଼ିକର ମରାମତି ସହିତ ଆମ୍ୱୁଲାନ୍ସ ସଂଖ୍ୟା ବଢ଼ାଯିବ।

ନ୍ୟାଶନାଲ ହେଲଥ ମିଶନର ନିର୍ଦ୍ଦେଶକ ବନ୍ଦନା ଗୁରୁନାନୀ ଏକ ସର୍କୁଲାର ଜାରି କରି କହିଛନ୍ତି, ଏହା ୧୦୦ ପ୍ରତିଶତ କେନ୍ଦ୍ରର ପ୍ରୋଜେକ୍ଚ। ଏହି ପ୍ୟାକଜରେ ରାଜ୍ୟ ଓ କେନ୍ଦ୍ର ଓ ଶାସିତ ରାଜ୍ୟକୁ ଯେଉଁ ଆର୍ଥିକ ସହଯୋଗ କରାଯାଇଛି ତାହା ସମ୍ପୂର୍ଣ୍ଣ ଭାବରେ କେନ୍ଦ୍ରର ଟଙ୍କା। ଏହି ଆର୍ଥିକ ପ୍ୟାକେଜରେ ଦିଆଯାଇଥିବା ଟଙ୍କାରେ ହସ୍ପିଟାଲର ଆଇସୋଲେଶନ ବୋର୍ଡ, ଆଇସିୟୁ ଭଳି ସ୍ୱାସ୍ଥ୍ୟ ଉପକରଣ କିଣାଯିବ।

ସୂଚନାଥାଉକି, ଆଜି ସକାଳ ୯ଟା ସୁଦ୍ଧା ଦେଶରେ ୫୭୩୪ ଜଣ କରୋନା ଆକ୍ରାନ୍ତ ରୋଗୀ ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁସଂଖ୍ୟା ୧୬୬କୁ ବୃଦ୍ଧି ପାଇଛି। ଅପରପକ୍ଷେ ୪୭୨ ଜଣ କରୋନା ମହାମାରୀରୁ ସୁସ୍ଥ ହୋଇଛନ୍ତି। ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରତିଦିନ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି।

Comments are closed.