Odisha Link
Bridging the Missing Links in Odisha

୮୦ ପ୍ରତିଶତ ଆକ୍ରାନ୍ତଙ୍କ ପାଖରେ ‘କରୋନା’ ଲକ୍ଷଣ ନାହିଁ

ଭୁବନେଶ୍ବର: ରାଜ୍ୟରେ ଆଜି ସନ୍ଧ୍ୟା ସୁଦ୍ଧା ୫୦ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ସେ ମଧ୍ୟରୁ ୧୨ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି। ଏପରିକି ଏବେ ସୁଦ୍ଧା ୩୭ ଜଣ କରୋନା ଆକ୍ରାନ୍ତ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏହାରି ମଧ୍ୟରେ ବଡ଼ ଖବର ସାମ୍ନାକୁ ଆସିଛି। ରାଜ୍ୟର ଚିହ୍ନଟ ୫୦ ଆକ୍ରାନ୍ତଙ୍କ ମଧ୍ୟରୁ ୮୦ ପ୍ରତିଶତଙ୍କ ପାଖରେ ‘କରୋନା’ର କୌଣସି ଲକ୍ଷଣ ନଥିଲା। ତେବେ ଟେଷ୍ଟ ପରେ ପଜିଟିଭ ରିପୋର୍ଟ ଆସିଥିଲା। ଏନେଇ ସୂଚନା ଦେଇଛନ୍ତି ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ।

ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ହୋଇଥିବା ପ୍ରେସ୍‌ ମିଟରେ ‘କରୋନା’ ଆକ୍ରାନ୍ତଙ୍କ ସଂପର୍କରେ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ କହିଛନ୍ତି ଯେ, ପୂର୍ବରୁ ୨ ଜଣ ସୁସ୍ଥ ହୋଇ ଡିସ୍‌ଚାର୍ଜ ହୋଇଥିଲେ। ଏବେ ଆଉ ୧୦ ଡିସ୍‌ଚାର୍ଜ ହୋଇଛନ୍ତି। ବାକି ରହିଯାଇଥିବା ୩୭ଟି କେସ୍‌ରେ ୩୫ରେ କୌଣସି ଲକ୍ଷଣ ନାହିଁ। କେବଳ ୨ ଜଣଙ୍କୁ ଛାଡ଼ି ଅନ୍ୟ ୩୫ ଜଣଙ୍କୁ ହସ୍ପିଟାଲ କେୟାର ଦରକାର ନାହିଁ। କାଶ, ଥଣ୍ଡା, ଜ୍ୱର ଆଦି କୌଣସି ଲକ୍ଷଣ ୩୫ ଜଣଙ୍କଠାରେ ଆଉନାହିଁ। କିଛି ଲକ୍ଷଣ ନଥିଲେ ମଧ୍ୟ ପଜିଟିଭ ମିଳିଥିବାରୁ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନେ ସମସ୍ତେ କିଛି ଦିନ ମଧ୍ୟରେ ଡିସ୍‌ଚାର୍ଜ ହେବା ଆଶା କରାଯାଉଛି।

ସେ ଆହୁରି କହିଛନ୍ତି ଯେ, ବିନା ଲକ୍ଷଣରେ ମଧ୍ୟ କାହା ଦେହରେ ‘କରୋନା’ ଥାଇପାରେ। ସେଥିପାଇଁ ବିଭିନ୍ନ ପଞ୍ଚାୟତରେ ଶିବିର କରାଯାଇ ନମୁନା ନିଆଯାଉଛି। ବ୍ୟାପକ ଭାବେ ନମୁନା ନିଆଯାଇ ‘କରୋନା’ ଟେଷ୍ଟ କରାଯାଉଛି। ଏବେ ଦୈନିକ ୩ରୁ ୪ଶହ ଟେଷ୍ଟ କରାଯାଉଛି। ୧୦ ଦିନରେ ୩ ଗୁଣ ବଢ଼ିବ। ଯେତେ ଅଧିକ ଟେଷ୍ଟ ହେବ, ସେତେ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇପାରିବେ। ଆକ୍ରାନ୍ତ ତୁରନ୍ତ ଚିହ୍ନଟ ହେଲେ, ‘କରୋନା’କୁ କାବୁ କରିପାରିବୁ ବୋଲି ସେ କହିଛନ୍ତି ।

Comments are closed.