Odisha Link
Bridging the Missing Links in Odisha

କରୋନା: କଟକଣା ସହ ଖୋଲିବ ବିଶ୍ବବିଦ୍ୟାଳୟ, ଗ୍ରୁପ୍-Aର ସମସ୍ତ ଅଧିକାରୀ ଅଫିସ୍‌ ଆସିବେ

ଭୁବନେଶ୍ବର: ସାରା ଦେଶ ୩ ମେ’ ପର୍ଯ୍ୟନ୍ତ ଲକ୍‌ଡାଉନ୍। ଏପରିକି ରାଜ୍ୟ ସରକାର ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନକୁ ଜୁନ୍‌ ୧୭ ଯାଏ ବନ୍ଦ ରହିବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ଆଜି ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ ଗୁଡିକୁ ଚିଠି ଲେଖିଛନ୍ତି ଉଚ୍ଚଶିକ୍ଷା ସଚିବ। ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସବୁ ସରକାରୀ ଓ ଘରୋଇ ବିଶ୍ୱବିଦ୍ୟାଳୟ କଟକଣା ସହ ଖୋଲିବା ନେଇ ଉଚ୍ଚଶକ୍ଷା ବିଭାଗର ସଚିବ ସମସ୍ତ ବିଶ୍ୱବିଦ୍ୟାଳୟର ଭିସିମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଗ୍ରୁପ A ର ସମସ୍ତ ଟିଚିଂ, ନନ୍ ଟିଚିଂ ଷ୍ଟାଫ୍ ଅଧିକାରୀ କାର୍ଯ୍ୟକ୍ଷେତ୍ରକୁ ଆସିବେ। ଗ୍ରୁପ B, C, Dର ଏକ ତୃତୀୟାଂଶ କର୍ମଚାରୀ ଯୋଗଦେବେ ବୋଲି ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି। କାର୍ଯ୍ୟ କରିବା ସମୟରେ କାର୍ଯ୍ୟାଳୟରେ ସାମାଜିକ ଦୂରତା ଓ ସ୍ୱଚ୍ଛତା ଉପରେ ଧ୍ୟାନ ଦେବା ପାଇଁ କୁହାଯାଇଛି। ହେଲେ କେବେଠୁ ସବୁ ବିଶ୍ୱବିଦ୍ୟାଳୟ ଖୋଲିବ ସେ ନେଇ ନିର୍ଦ୍ଦେଶନାମାରେ କିଛି ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇନାହିଁ l

ନିର୍ଦ୍ଦେଶାନାମାରେ ଆହୁରି ଉଲ୍ଲେଖ ରହିଛି ଯେ, ବିଶ୍ୱବିଦ୍ୟାଳୟ ଖୋଲିବା ସତ୍ୱେ ଥିଓରୀ, ପ୍ରାକ୍ଟ୍ରିକାଲ କ୍ଲାସ ସିଧାସଳଖ ହେବନି କିନ୍ତୁ ଅନଲାଇନରେ କରାଯିବ ବୋଲି କୁହାଯାଇଛି।ଏବେ କୌଣସି ପରୀକ୍ଷା କରାଯିବନି, ହେଲେ ପରୀକ୍ଷା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ କୌଣସି ପିଲା ହଷ୍ଟେଲରେ ରହିପାରିବେନି ଏବଂ ବିନା ଅନୁମତିରେ ଆସିପାରିବେନି। ସେମିନାର, ୱାର୍କସପ୍ କରିବାକୁ ମନା କରାଯାଇଛି। ଆବଶ୍ୟକସ୍ଥଳେ ଏହାକୁ ଅନଲାଇନରେ କରାଯିବ ବୋଲି ଉଲ୍ଲେଖ ରହିଛି। ଜୋନାଲ ମୂଲ୍ୟାୟନ ମନା କରାଯାଇଛି। ହେଲେ ଅନ୍‌ଲାଇନରେ ପିଏଚଡି ମୌଖିକ ସାକ୍ଷାତ କରାଯିବ ବୋଲି ନିର୍ଦ୍ଦେଶନାମାରେ ସ୍ପଷ୍ଟ ଭାବେ ଉଲ୍ଲେଖ ଅଛି।

Comments are closed.